ଆସାମ : ଆମିଷ ଖାଇବା ପାଇଁ ଲୋକେ ଛୁଟି ଦିନ କିମ୍ବା ଭଲ ବାରକୁ ଚାହିଁ ବସିଥାନ୍ତି । ସେଦିନ ଆମିଷ ମାର୍କେଟରେ ଭାରି ଭିଡ ଜମେ । ମାଛ, ଚିକେନ୍, ମାଂସ,ଅଣ୍ଡା, ସୁଖୁଆ ଆଦି ବିଭିନ୍ନ ଆମିଷ ଦୋକାନର ପରସା ବଜାରରେ ଖୋଲାଯାଇଥାଏ । ନିଜ ମନ ପସନ୍ଦର ଆମିଷକୁ କିଣି ଲୋକେ ଘରକୁ ନେଇଥାନ୍ତି । କିନ୍ତୁ ଏମିତି ଏକ ଆମିଷ ବଜାର ଅଛି ଯେଉଁଠି ଏହି ମାଛ, ମାଂସ ଠାରୁ ଅଧିକ ଚାହିଦା ରହିଛି ସିଝା ଯାଇ, ଚମଡ଼ା ଉତରା ଯିବା ପରେ ବିଭିନ୍ନ ମସଲା ଦେଇ ରନ୍ଧା ଯାଇଥିବା ମୂଷା । ଯାହା ଗ୍ରାହକମାନଙ୍କର ଅତି ପ୍ରିୟ।
ଏଭଳି ଘଟଣା ଆସାମର କୁମାରୀକତା ଗାଁ’ର ରବିବାର ହାଟରେ ଦେଖିବାକୁ ମିଳିଥାଏ । ବେପାରୀମାନେ ସ୍ଥାନୀୟ ଚାଷୀମାନଙ୍କ ଠାରୁ ନଗଦ ଧରାଯାଇ ଚମଡ଼ା ଉତରା ଯାଇଥିବା ଶହ ଶହ ମୂଷା କିଣିକି ଅଆଣିଥାନ୍ତି । ଚାଷଜମି ନଷ୍ଟ କରୁଥିବା ମୂଷାମାନଙ୍କୁ ଭୁଟାନ ସୀମାନ୍ତରେ ଅବସ୍ଥିତ ଏହି ରାଜ୍ୟର ଚାଷୀମାନେ ନିପାତ କରୁଥିବା କଥା କହୁଛନ୍ତି। ଏହାଛଡ଼ା ଭଜାହୋଇଥିବା ମୂଷା ବି ଭଲ ବିକ୍ରି ହୁଏ।
ଆସାମର ପ୍ରସିଦ୍ଧ ଚା ବଗିଚାଗୁଡ଼ିକରେ କାମ କରି ନିଜ ପେଟ ପୋଷୁଥିବା ଗୁଜୁରାଣ ଗରିବ ଆଦିବାସୀ ସମ୍ପ୍ରଦାୟମାନଙ୍କ ପାଇଁ ଗୋଟାଏ ମୂଷା ମଧ୍ଯ ବହୁତ ମୂଲ୍ୟବାନ । ଶୀତ ଦିନେ ଚା ତୋଳା ବନ୍ଦ ହୋଇଯାଉଥିବାରୁ ଆଦିବାସୀମାନେ ଧାନ ବିଲକୁ ଯାଇ ହାଟରେ ବିକିବା ପାଇଁ ମୂଷା ମାନଙ୍କୁ ଧରିଥାନ୍ତି । ଯାହାର ଗୋଟିଏ କିଲୋର ଦର ପ୍ରାୟ ୨୦୦ଶହ ଟଙ୍କାରେ ବିକିଥାନ୍ତି ।
ଗତ କେତେ ବର୍ଷ ହେବ ଏ ଅଞ୍ଚଳରେ ମୂଷାବଂଶ ବୃଦ୍ଧି ପାଇଥିବା କଥା ଚାଷୀମାନେ କହିଛନ୍ତି। ତେବେ ଏଠାକାର ଜଣେ ମୂଷା ବିକ୍ରେତା କହିବା ଅନୁଯାୟୀ ମୂଷାମାନେ ଲୋକଙ୍କ ଧାନ ଖାଇ ଯାଉଥିବାରୁ ଆମେ ବିଲରେ ଯନ୍ତା ବସାଇଥାଉ। ବାଉଁଶ ତିଆରି ଯନ୍ତା ଦ୍ୱାରା ଧାନ ଅମଳ ସମୟରେ ଏହି ମୁଷା ମାନଙ୍କୁ ଧରିଥାଉ। ସନ୍ଧ୍ୟାବେଳେ ମୂଷା ଗାତ ମୁହଁରେ ଯନ୍ତା ବସାଯାଇଥାଏ। ସେମାନେ ବାହାରକୁ ବାହାରିବା କ୍ଷଣି ଯନ୍ତାରେ ପଡ଼ି ଯାଇଥାନ୍ତି।
କାଳେ ଅନ୍ୟ କୌଣସି ଶିକାରୀ ଜନ୍ତୁ ଯନ୍ତାରେ ପଡ଼ିଥିବା ମୂଷାଙ୍କୁ ଖାଇ ଦେବ ସେଥିଲାଗି ବିକ୍ରେତାମାନେ ରାତିରେ ଉଜାଗର ରହି ଜଗିଥାନ୍ତି । ଗୋଟିଏ ଗୋଟିଏ ମୂଷାର ଓଜନ ଏକ କିଲୋରୁ ଅଧିକ ହୋଇଥାଏ । ତେବେ ଗୋଟିଏ ରାତିରେ ଏମାନେ ପ୍ରାୟ ୧୦ କିଲୋରୁ ୨୦ କିଲୋ ଯାଏଁ ମୂଷା ଧରିଥାନ୍ତି।