ଲ୍ୟୁଟେନ୍ସ ଦିଲ୍ଲୀକୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ପ୍ଲାନ୍, ରାଜପଥ ସମେତ ନୂଆ ସଂସଦ ଭବନ ନିର୍ମାଣ ଯୋଜନା
ଲ୍ୟୁଟେନ୍ସ ଦିଲ୍ଲୀକୁ ନେଇ କେନ୍ଦ୍ର ସରକାରଙ୍କ ନୂଆ ପ୍ଲାନ୍ । ରାଜପଥ ସମେତ ନୂଆ ସଂସଦ ଭବନ ନିର୍ମାଣ କରିବାକୁ ଯୋଜନା ଚାଲିଛି । ୨୦୨୪ ସୁଦ୍ଧା ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ମୋଦିଙ୍କ ଏହି ଡ୍ରିମ ପ୍ରୋଜେକ୍ଟରେ ନୂଆ ରୂପ ପାଇବ ସଂସଦ ଭବନ, ରାଷ୍ଟ୍ରପତି ଭବନ, ନର୍ଥବ୍ଳକ, ସାଉଥ ବ୍ଳକ୍ ଓ ସେଣ୍ଟ୍ରାଲ ଭିଷ୍ଟା ।
ନୂଆ ପାର୍ଲିଆମେଣ୍ଟ ଭବନରେ ଚାଲିବ ଅଷ୍ଟାଦଶ ଲୋକସଭା । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବଦଳିବ ଲ୍ୟୁଟେନ୍ସ୍ ଦିଲ୍ଲୀର ଚିତ୍ର । ଏଭଳି କିଛି ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଆସନ୍ତା ବର୍ଷରୁ ଆରମ୍ଭ ହୋଇପାରେ କାମ । ୨୦୨୪ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ଲାନିଂ ଅନୁସାରେ ନୂଆ ରୂପ ପାଇବ ପାର୍ଲାମେଣ୍ଟ ଭବନ, ନର୍ଥ ବ୍ଳକ, ସାଉଥ ବ୍ଳକ୍ ଓ ସେଣ୍ଟ୍ରାଲ ଭିଷ୍ଟା । ନର୍ଥ ବ୍ଳକ୍ ଓ ସାଉଥ ବ୍ଳକ୍କୁ ମ୍ୟୁଜିୟମରେ ପରିଣତ କରାଯିବ । ଏକ ସାଧାରଣ କେନ୍ଦ୍ରୀୟ ସଚିବାଳୟ ନିର୍ମାଣ ହେବ । ଗୋଟିଏ କଂପ୍ଲେକ୍ସରେ ଅନେକ ସେଣ୍ଟ୍ରାଲ ବିଲ୍ଡିଂ ରହିବ । ଏହି ବିଲ୍ଡିଂ ଗୁଡ଼ିକ ପରସ୍ପର ସହ ସଂଯୁକ୍ତ ରହିବେ । ଏହା ଭିତରେ ମେଟ୍ରୋ ଷ୍ଟେସନ ରହିବା ଯୋଜନା ମଧ୍ୟ କରାଯାଉଛି । କେତେକ ବିଲ୍ଡିଂ ନୂଆ ରୂପ ପାଇବାକୁ ଥିବା ବେଳେ କିଛି ବିଲ୍ଡିଂ ଭାଂଗି ଦିଆଯିବ । ଦେଶ ସ୍ୱାଧୀନ ହେବା ପରେ କିଛି ବିଲ୍ଡିଂ ତରବରିଆ ଭାବେ ନିର୍ମାଣ ହୋଇଥିଲା । ସେଗୁଡିକ ଏବେ ଆବଶ୍ୟକତା ପୂରଣ କରି ପାରୁନାହନ୍ତି । ଏଗୁଡିକ ଭାଂଗିଦେବାକୁ ଯୋଜନା ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଡ୍ରିମ୍ ପ୍ରୋଜେକ୍ଟ ପାଇଁ ଡିଜାଇନ୍ ପ୍ରସ୍ତୁତି ଚାଲିଛି । ବଛାବଛା ବିଶେଷଜ୍ଞ ଫାର୍ମ ଓ ସ୍ଥପତିଙ୍କଠାରୁ ପ୍ଲାନିଂ ମଗାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂ ପୁରୀ ।
ବ୍ରିଟିଶ ସୟରେ ନିର୍ମାଣ ହୋଇଥିଲା ରାଇସିନା ହିଲ୍ । ଲ୍ୟୁଟେନ୍ସ୍ ଦିଲ୍ଲୀର ଡିଜାଇନ୍ କରିଥିଲେ ବ୍ରିଟିଶ ସ୍ଥପତି ସାର ଏଡଓ୍ଵିନ୍ ଲ୍ୟୁଟେନ୍ସ୍ । ୧୯୪୭ ପରେ କିନ୍ତୁ ସେଭିଳ କୌଣସି ବଡ ନିର୍ମାଣ ହୋଇ ନାହିଁ । ନୂଆ ପାର୍ଲାମେଣ୍ଟ ବିଲ୍ଡିଂ ତିଆରି ହେଲେ ଭାରତୀୟ ସ୍ଥାପତ୍ୟର ଏହା ସ୍ମାରକୀ ହେବ । ତେବେ ପୁରଣା ପାର୍ଲାମେଣ୍ଟ ବିଲ୍ଡିଂକୁ ବିକଶିତ କରାଯିବ କି ନୂଆ ପାର୍ଲାମେଣ୍ଟ ଭବନ ନିର୍ମାଣ ହେବ ତାହା ଚୂଡାନ୍ତ ହୋଇନାହିଁ ।