Below header

ବର୍ତ୍ତମାନ ସମୟର ଆବଶ୍ୟକତା ଏକକ ନିର୍ବାଚନ, ସଂସଦର ଉଭୟ ଗୃହକୁ ଉଦ୍‌ବୋଧନ ଦେଇ ମତ ରଖିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ(କେନ୍ୟୁଜ୍) : ବର୍ତ୍ତମାନ ସମୟର ଆବଶ୍ୟକତା ଏକକ ନିର୍ବାଚନ। ଯାହା ବିକାଶକୁ ତ୍ୱରାନ୍ଵିତ କରିବ। ଦେଶବାସୀଙ୍କୁ ଫାଇଦା ଦେବ। ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନରେ ସଂସଦର ଉଭୟ ଗୃହକୁ ଉଦ୍‌ବୋଧନ ଦେଇ ଏହା କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି କହିଛନ୍ତି, ଗତ କିଛି ଦଶନ୍ଦୀ ହେଲା ଦେଶରେ ବାରମ୍ବାର ନିର୍ବାଚନ ଯୋଗୁଁ ବିକାଶର ଗତି ବାଧାପ୍ରାପ୍ତ ହୋଇଛି। ଏକକ ନିର୍ବାଚନ ଦ୍ୱାରା ସବୁ ରାଜନୈତିକ ଦଳ ବିକାଶ ମୂଳକ କାମରେ ନିଜର ଶକ୍ତି ଖଟାଇ ପାରିବେ।

ତେଣୁ ସବୁ ରାଜନୈତିକ ଦଳଙ୍କୁ ୱାନ ନେସନ ସାଇମଲଟେନିୟସ ଇଲେକ୍ସନ ପ୍ରସଙ୍ଗରେ ବିଚାର କରିବାକୁ ଅନୁରୋଧ କରିଛନ୍ତି ରାଷ୍ଟ୍ରପତି। ରାଜନୈତିକ, ଅର୍ଥନୈତିକ, ସାମାଜିକ, ବିଜ୍ଞାନ, ଚାଷ, ଚାଷୀ ଓ ସୁରକ୍ଷା ଆଦି ସବୁ ପ୍ରସଙ୍ଗରେ ନିଜ ମତ ରଖିଥିଲେ ରାଷ୍ଟ୍ରପତି। ଆତଙ୍କବାଦ ଓ ମାଓବାଦ ମୁକାବିଲା ନେଇ ଯଥେଷ୍ଟ ପଦକ୍ଷେପ ନିଆଯାଉଛି। ସର୍ଜିକାଲ ଷ୍ଟ୍ରାଇକ୍‌ ଓ ଏୟାର ଷ୍ଟ୍ରାଇକ୍‌ କରି ଭାରତ ନିଜ ଦକ୍ଷତା ପ୍ରତିପାଦନ କରିବା ସହ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛି। ଆତଙ୍କବାଦ ପ୍ରସଙ୍ଗରେ ବିଶ୍ୱ ଭାରତ ସହ ଠିଆ ହୋଇଛି। ମାସୁଦ ଆଜହରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ତାର ଉଦାହରଣ ବୋଲି କହିଥିଲେ ରାଷ୍ଟ୍ରପତି।

ଅଭିଭାଷଣରେ ଫନି ପ୍ରସଙ୍ଗ ସ୍ଥାନ ପାଇଥିଲା। ରାଷ୍ଟ୍ରପତି କହିିଥିଲେ, ପାଣିପାଗର ପୂର୍ବାନୁମାନରେ ଭାରତ ବେଶ ଆଗକୁ ବଢିଛି। ଫନି ସମୟରେ ସଠିକ ସୂଚନା ସହ ଠିକ ସମୟରେ ପଦକ୍ଷେପ ଯୋଗୁ ବହୁ ଧନଜୀବନ ରକ୍ଷା ହୋଇ ପାରିଲା।

ରାମନାଥ କୋବିନ୍ଦ କହିଛନ୍ତି, ଖୁବ୍‌ ଶୀଘ୍ର ଭାରତକୁ ରାଫେଲ ବିମାନ ମିଳିବ । ଏହା ସହ ଆୟୁଷ୍ମାନ ଯୋଜନାକୁ ପ୍ରଶଂସା କରିବା ସହ ୨୦୨୨ ସୁଦ୍ଧା ସବୁ ଗାଁରେ ହେଲ୍‌ଥ ସେଣ୍ଟର ଖୋଲିବା ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୮ ହଜାର ହେଲ୍‌ଥ ସେଣ୍ଟର ଖୋଲାଯାଇଛି । ଶସ୍ତାରେ ଔଷଧ ପାଇଁ ୫୩୦୦ ଜନଔଷଧି କେନ୍ଦ୍ର ଖୋଲାଯାଇଛି । ସରକାର ସବ୍‌କା ସାଥ୍‌ ସବ୍‌କା ବିକାଶ ଉପରେ କାମ କରିଛନ୍ତି । ଦେଶର ସମସ୍ତ ଲୋକଙ୍କୁ ଶସକ୍ତ କରିବା ସରକାରଙ୍କ ଲକ୍ଷ୍ୟ । ଛୋଟ ଦୋକାନୀ ଓ ବ୍ୟବସାୟୀଙ୍କ ପାଇଁ ପେନ୍‌ସନ୍‌ ଯୋଜନା ହୋଇଛି । ଏହା ଦ୍ୱାରା ୩ କୋଟି ଛୋଟ ଦୋକାନୀଙ୍କୁ ଲାଭ ମିଳିବ । କୃଷି ଉତ୍ପାଦନ ବୃଦ୍ଧି ପାଇଁ ୨୫ ଲକ୍ଷ କୋଟିର ଯୋଜନା ହୋଇଛି । ମତ୍ସ୍ୟ ପାଳନ ପାଇଁ ଅଲଗା ବିଭାଗ ଗଠନ ହୋଇଛି । ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇ ଗଣା କରିବାକୁ ଲକ୍ଷ୍ୟ ରଖାଯାଇଛି । ଦୁଗ୍ଦ ଓ ମତ୍ସ୍ୟପାଳନ ଦ୍ୱାରା କୃଷକଙ୍କ ଆୟ ବୃଦ୍ଧି ହେବ ।

ସେହିପରି ଅର୍ଥବ୍ୟବସ୍ଥା ଉପରେ ରାଷ୍ଟ୍ରପତି କହିଛନ୍ତି, ଭାରତ ବିଶ୍ୱରେ ପଞ୍ଚମ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା । ଜିଏସ୍‌ଟି ସରଳୀକରଣ କରିବା ପାଇଁ ଚେଷ୍ଟା କରାଯାଉଛି । ଗଙ୍ଗାକୁ ନିର୍ମଳ କରିବା ପାଇଁ ସରକାର ପ୍ରତିବଦ୍ଧ । ମହାନଦୀକୁ ପ୍ରଦୂଷଣ ମୁକ୍ତ କରାଯିବ । ନମାନୀ ଗଙ୍ଗା ଭଳି ଯୋଜନା କରାଯିବ ବୋଲି କହିଛନ୍ତି ରାଷ୍ଟ୍ରପତି ।

ସେହିପରି ଚନ୍ଦ୍ରଯାନ-୨ର ଲଞ୍ଚ କରିବା ପାଇଁ ପ୍ରସ୍ତୁତିରେ ଲାଗିଛନ୍ତି ବୈଜ୍ଞାନିକ । ୨୦୨୨ ସୁଦ୍ଧା ମହାକାଶରେ ମଣିଷ ପହଞ୍ଚିବା ଲକ୍ଷ ରଖାଯାଇଛି । ସଂସଦର ସେଣ୍ଟ୍ରାଲ ହଲ୍‌ରେ ଆୟୋଜିତ ଏହି ମିଳିତ ଅଧିବେଶନରେ ରାଷ୍ଟ୍ରପତି ଲୋକସଭାର ସମସ୍ତଙ୍କ ସାଂସଦଙ୍କୁ ଶୁଭେଚ୍ଛା ଜଣାଇଥିଲେ । ୭୮ ମହିଳା ସାଂସଦ ହେବା ଇତିହାସରେ ପ୍ରଥମ । ଏହି ଅଧିବେଶନରେ ରାଷ୍ଟ୍ରପତିଙ୍କ ସହ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.