Below header

ପରମାଣୁ ଓ ଏନର୍ଜି ବ୍ଲାକ୍‌ମେଲ ପରେ ଫୁଡ୍‌ ବ୍ଲାକ୍‌ମେଲ, ପୁଣି ଭୋକ ମୁହଁକୁ ଠେଲି ହୋଇଯିବ ପୃଥିବୀ

ନୂଆଦିଲ୍ଲୀ : ପରମାଣୁ ଓ ଏନର୍ଜି ବ୍ଲାକ୍‌ମେଲ ପରେ ଫୁଡ୍‌ ବ୍ଲାକ୍‌ମେଲ ଆରମ୍ଭ କରିଛି ରୁଷ୍‌ । ପୁଣି ଅବରୋଧ ହେବ ବ୍ଲାକ୍‌ ସି । ୟୁକ୍ରେନ୍‌ରୁ ଆସିପାରିବନି ବିଶ୍ୱ ବଜାରକୁ ଖାଦ୍ୟଶଶ୍ୟ । ୟୁକ୍ରେନ୍‌ରୁ ଖାଦ୍ୟଶଶ୍ୟ ରପ୍ତାନୀ ଚୁକ୍ତିରୁ ଓହରିଲା କ୍ରେମଲିନ୍‌ । ବ୍ଲାକ୍‌ ସି ଫ୍ଲିଟ୍‌ରେ ୟୁକ୍ରେନ୍ର ଡ୍ରୋନ୍‌ ଆକ୍ରମଣ ଅଭିଯୋଗ ବାହାନା କରି ଚୁକ୍ତି ବାତିଲ କରିଛି ରୁଷ୍‌ । ଫଳରେ ପୁଣି କ୍ଷୁଧା ମୁହଁକୁ ଯିବ ବିଶ୍ୱ । ରୁଷ୍ର ଏଭଳି କାର୍ଯ୍ୟକଳାପରେ ଖପ୍ପା ହୋଇଛନ୍ତି ବାଇଡେନ୍‌ । ବିଶ୍ୱରେ ଖାଦ୍ୟଶଶ୍ୟ ପହଞ୍ଚିବ କି ନାହିଁ ସେ ନିଷ୍ପତ୍ତି ନେବାକୁ ମସ୍କୋ କିଏ ବୋଲି ପ୍ରଶ୍ନ କରିଛନ୍ତି ଜେଲେନ୍‌ସ୍କି ।ପୁଣି ଭୋକ ମୁହଁକୁ ଠେଲି ହୋଇଯିବ ପୃଥିବୀ । ୟୁରୋପର ରୁଟି ଝୁଡ଼ିରେ ପୁଣି ପଡ଼ିବ ତାଲା। ବନ୍ଦ ହେବ ବ୍ଲାକ୍‌ ସି ରାସ୍ତା ଦେଇ ୟୁକ୍ରେନ୍‌ରୁ ଖାଦ୍ୟଶସ୍ୟ ରପ୍ତାନୀ ।

ଖାଦ୍ୟକୁ ନେଇ ପୁଟିନ୍‌ଙ୍କ ଖେଳ । ଖାଦ୍ୟଶସ୍ୟ ରପ୍ତାନୀ ଚୁକ୍ତିରୁ ଓହରିଲା ରୁଷ୍। ଗତ ଜୁଲାଇ ମାସରେ ଜାତିସଂଘ ଓ ତର୍କୀ ମଧ୍ୟସ୍ଥତାରେ ଚୁକ୍ତି କରିଥିଲେ ମସ୍କୋ ଓ କିଭ୍‌ । ୟୁକ୍ରେନ୍ର ୩ଟି ପୋର୍ଟ ଦେଇ ବାହାରକୁ ଖାଦ୍ୟଶଶ୍ୟ ରପ୍ତାନୀରେ ରୁଷ୍‌ ସୁରକ୍ଷା ଦେବାକୁ ଚୁକ୍ତି କରିଥିଲା। ଏହା ପରେ ବିଶ୍ୱର ବିଭିନ୍ନ ଦେଶକୁ ୟୁକ୍ରେନ୍‌ ବନ୍ଦରରୁ ବାହାରିଥିଲା ବଡ଼ବଡ଼ ଖାଦ୍ୟଶଶ୍ୟ ବୋଝେଇ ଜାହାଜ । ଏବେ ପୁଣି ଜୁଲାଇ ପୂର୍ବାବସ୍ଥାକୁ ଫେରିବ ବ୍ଲାକ୍‌ ସି । ଚୁକ୍ତିରୁ ଓହରିଲା ମସ୍କୋ । କ୍ରିମିଆ ସେଭାଷ୍ଟୋପୋଲରେ ୟୁକ୍ରେନ୍ର ଡ୍ରୋନ୍‌ ଆକ୍ରମଣ ପରେ ଚୁକ୍ତି ବାତିଲ ନେଇ ଘୋଷଣା କରିଛି କ୍ରେମଲିନ୍‌ ।

ଅନିର୍ଦ୍ଦିଷ୍ଟ କାଳ ପାଇଁ ଚୁକ୍ତି ବାତିଲ କରିଥିବା ରୁଷ୍‌ ବୈଦେଶିକ ମନ୍ତ୍ରାଳୟ ଘୋଷଣା କରିଛି । ବ୍ରିଟେନ ବିଶେଜ୍ଞଙ୍କ ସହାୟତାରେ ଅକ୍ଟୋବର ୨୯ ଅର୍ଥାତ ଗତକାଲି ବ୍ଲାକ୍‌ ସି ଫ୍ଲିଟ୍‌ରେ ଡ୍ରୋନ୍‌ ଆକ୍ରମଣ କରିଥିବା ଅଭିଯୋଗ କରିଛି ମସ୍କୋ । ଏପରିକି ୧୬ଟି ଏରିଅଲ ଓ ଡ୍ରୋନ୍‌କୁ ଖସାଇ ଦେଇଥିବା ଦାବି କରିଛି । ଆଉ ଏହାକୁ କାରଣ ଦର୍ଶାଇ ଚୁକ୍ତିରୁ ଓହରି ଯାଇଛି । ଗ୍ରେନ୍‌ କରିଡରକୁ ଆଉ ସୁରକ୍ଷା ଗ୍ୟାରେଣ୍ଟି ଦିଆଯିବ ନାହିଁ ବୋଲି ରୁଷ୍‌ କହିଛି । ତେବେ ରୁଷ୍ ର ଅଭିଯୋଗକୁ ଖଣ୍ଡନ କରିଛି ବ୍ରିଟେନ୍‌ । ଏହାକୁ ମସ୍କୋର ନାଟକ ବୋଲି କହିଛି।

ରୁଷ୍ ର ଏହି ନିଷ୍ପତ୍ତି ଉପରେ ମିଳିତ ଜାତିସଂଘ ଓ ବିଶ୍ୱର ୨୦ଟି ବୃହତ ଅର୍ଥନୀତି ପ୍ରତିକ୍ରିୟା ପ୍ରକାଶ କରନ୍ତୁ ବୋଲି ଜେଲେନ୍‌ସ୍କି କହିଛନ୍ତି । ଇଜିପ୍ଟ ଓ ବାଂଲାଦେଶ ଲୋକଙ୍କ ଟେବୁଲରେ ଖାଦ୍ୟ ରହିବ କି ନାହିଁ ଏ ନିଷ୍ପତ୍ତି ନିବୋକୁ କ୍ରେମଲିନ୍‌ କିଏ ବୋଲି ପ୍ରଶ୍ନ କରିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି । ଗତ ଫେବ୍ରୁଆରୀ ୨୪ରେ ଯୁଦ୍ଧ ଆରମ୍ଭ ପରଠାରୁ ବ୍ଲାକ୍‌ ସିକୁ ବ୍ଳକେଡ୍‌ କରିଥିଲା ରୁଷ୍‌ । ଫଳରେ ୟୁକ୍ରେନ୍ର ଖାଦ୍ୟଶଶ୍ୟ ବିଶ୍ୱ ବଜାରରେ ପହଞ୍ଚି ପାରୁ ନଥିଲା । ତେଣୁ ଆଫ୍ରିକୀୟ ରାଷ୍ଟ୍ର ସମେତ ବିଶ୍ୱର ଅନେକ ଦେଶରେ ଖାଦ୍ୟ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ବଢ଼ିଥିଲା ଦରଦାମ । ଏବେ ପୁଣି ସେହି ସ୍ଥିତିକୁ ଫେରିବ ବିଶ୍ୱ ବୋଲି ଆଶଙ୍କା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.