ୟୁକ୍ରେନ୍ ପରେ ଏବେ ଫିନ୍ଲାଣ୍ଡ ଓ ସ୍ୱିଡେନ୍ ଉପରେ ରୁଷିଆର ରାଗ, ଦୁଇ ଦେଶକୁ ଧମକ ଦେଇଛି

ନୂଆଦିଲ୍ଲୀ : ନାଟୋରେ ମିଶିବା କଥାକୁ ନେଇ ରୁଷିଆ ଏବେ ୟୁକ୍ରେନ୍ ଉପରେ ବୋମା ବର୍ଷା କରାଉଛି । ୟୁକ୍ରେନ୍ର ଅନେକ ଅଞ୍ଚଳକୁ ଛାରଖାର କରି ସାରିଲାଣି। ଏହାକୁ ନେଇ ସାରା ବିଶ୍ୱରେ ଚିନ୍ତା ଓ ଚଚ୍ଚା ଚାଲିଥିବା ବେଳେ ରୁଷିଆ ଏବେ ଆଉ ଏକ ପଡ଼ୋଶୀ ଦେଶ ଫିନ୍ଲାଣ୍ଡ ଉପରକୁ ଆଙ୍ଗୁଳି ଉଠାଇଲାଣି । କାରଣ ୟୁକ୍ରେନ୍ ଭଳି ଫିନ୍ଲାଣ୍ଡ ମଧ୍ୟ ନାଟୋରେ ମିଶିବାକୁ ଧମକ ଦେଲାଣି ।
ବର୍ତ୍ତମାନର ପରିସ୍ଥିତିକୁ ଦେଖି ଫିନ୍ଲାଣ୍ଡ ପ୍ରଧାନମନ୍ତ୍ରୀ ସାନା ମାରିନ୍ କହିଛନ୍ତି କି ଯଦି ଆମ ଦେଶ ପ୍ରତି ରୁଷ୍ ତରଫରୁ କିଛି ବିପଦ ଆସେ ତେବେ ଆମେ ନାଟୋରେ ସାମିଲ ହେବାକୁ ଆବେଦନ କରିବୁ । ଏହା ଶୁଣିବା ପରେ ରୁଷିଆ ବିଚଳିତ ହୋଇ ପଡ଼ିଛି । କହିଛି କି ଫିନ୍ଲାଣ୍ଡ ଯଦି ଏଭଳି କିଛି ପଦକ୍ଷେପ ନିଏ ତେବେ ଆମେ ତାକୁ ବରବାଦ କରିଦେବୁ ।
ଅବଶ୍ୟ ରୁଷିଆ ଏଭଳି ଚେତାବନୀ ଦେବା ପଛରେ ଏକ ବଡ଼ କାରଣ ରହିଛି । ଫିନ୍ଲାଣ୍ଡର ଭୌଗୋଳିକ ସ୍ଥିତି ଏମିତି କି ରୁଷିଆ ଅସୁବିଧାରେ ପଡ଼ିଯିବ । ସେହି ବାଟ ଦେଇ ନାଟୋ ସେନା ରୁଷିଆକୁ ଉତ୍ତର ପଟୁ ଆକ୍ରମଣ କରି ପାରିବେ । ତେଣୁ ରୁଷିଆ ଏହାକୁ ନେଇ ଡରୁଛି ବୋଲି କୁହାଯାଉଛି । ସେହିଭଳି ଫିନ୍ଲାଣ୍ଡ ସହିତ ସ୍ୱିଡେନ୍କୁ ବି ରୁଷିଆ ତରଫରୁ ଧମକ ଦିଆଯାଇଛି । କାରଣ ବାଲଟିକ ସାଗର ପାଖରେ ରହିଛି ସେଣ୍ଟ ପିଟର୍ସବର୍ଗ ସହର । ଆରପଟେ ହେଉଛି ଫିନ୍ଲାଣ୍ଡ । ଏହି ବାଟ ଦେଇ ସବୁବେଳେ ଆମେରିକାର ବୁଡ଼ାଜାହାଜ ସବୁ ଯିବା ଆସିବା କରୁଛି । ତେଣୁ ଫିନ୍ଲାଣ୍ଡକୁ ଯଦି ରୁଷିଆ ଆକ୍ରମଣ କରେ ତେବେ ତୁରନ୍ତ ଆମେରିକା ସେନା ସେହି ବାଟ ଦେଇ ପହଞ୍ଚି ଯାଇ ପାରିବେ । ତେଣୁ ଏସବୁ ଦୃଷ୍ଟିରୁ ରୁଷିଆ ଡରୁଥିବା କୁହାଯାଉଛି । ସେପଟେ ବର୍ତ୍ତମାନ ପରିସ୍ଥିତିକୁ ଦେଖି ଫିନ୍ଲାଣ୍ଡ ମଧ୍ୟ ନିଜର ସୁରକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ।