ପଡ଼ିଲାନି ନୋଟ୍‌ବନ୍ଦୀ ପ୍ରଭାବ: ନିର୍ବାଚନ ବେଳେ ଜବତ ହୋଇଛି ୧୯୧୮ କୋଟି ନଗଦ ଟଙ୍କା, ଡ୍ରଗ୍ସ ଓ ମଦ

ନୋଟ୍‌ ବନ୍ଦୀ ବେଳେ ସରକାର ଦାବି କରିଥିଲେ ଯେ ଦେଶରେ ନଗଦ ଟଙ୍କା ଖୁବ୍‌ କମ୍‌ ମିଳିଛି। ଏହା ଦ୍ୱାରା ଖାସ୍‌ କରି ନିର୍ବାଚନ ବେଳେ ନଗଦ କାରବାର କମିଯିବ। କିନ୍ତୁ ଏବେ ୫ ବର୍ଷ ପରେ ସ୍ଥିତି ପୂରା ଅଲଗା ରହିଛି। ନିର୍ବାଚନ ଆୟୋଗ ଶୁକ୍ରବାର ଏକ ବୟାନ ଜାରି କରି କହିଛନ୍ତି- ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ମଣିପୁର ଓ ଗୋଆ ବିଧାନସଭା ନିର୍ବାଚନରେ ଏବେ ଯାଏଁ ୧୦୦୦ କୋଟିରୁ ଅଧିକ ନଗଦ, ଡ୍ରଗ୍ସ, ମଦ ଓ ଅନ୍ୟ ଜିନିଷ ଜବତ ହୋଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ ନୋଟ୍‌ବନ୍ଦୀର କୌଣସି ପ୍ରଭାବ ନିର୍ବାଚନ ଉପରେ ପଡ଼ିନାହିଁ।

ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି, ଇଡି ୧୦୯ କୋଟି ଟଙ୍କାର ଡ୍ରଗ୍ସ ପଞ୍ଜାବରୁ ଜବତ କରିଛି। ସେହିପରି ୮ ଲକ୍ଷ ଲିଟର ମଦ ଉତ୍ତର ପ୍ରଦେଶରୁ ଜବତ ହୋଇଛି। ୨୦୧୭ ବିଧାନସଭା ନିର୍ବାଚନ ବେଳେ ନିର୍ବାଚନ ଆୟୋଗ ୨୯୯ କୋଟି ୮୪ ଲକ୍ଷ ଟଙ୍କାର ଅବୈଧ ସାମଗ୍ରୀ ଜବତ କରିଥିଲା। ମାତ୍ର ୨୦୨୨ ବିଧାନସଭା ନିର୍ବାଚନରେ ୨୦୧୭ ଠାରୁ ୪ଗୁଣ ଅଧିକ ନଗଦ, ଡ୍ରଗ୍ସ ଓ ଅନ୍ୟ ଅବୈଧ ସାମଗ୍ରୀ ନିର୍ବାଚନ ଆୟୋଗ ଜବତ କରିଛି।

ପାଞ୍ଚଟି ରାଜ୍ୟ ମଧ୍ୟରୁ ପଞ୍ଜାବରେ ସବୁଠୁ ଅଧିକ ସାମଗ୍ରୀ ମିଳିଛି। ପଞ୍ଜାବରେ ନିର୍ବାଚନ କମିଶନ ୫୧୦ କୋଟି ଟଙ୍କାର ନଗଦ, ଡ୍ରଗ୍ସ, ମଦ ଓ ଅନ୍ୟ ଅବୈଧ ସାମଗ୍ରୀ ଜବତ କରିଛି। ସେହିପରି ଉତ୍ତର ପ୍ରଦେଶରେ ୩୦୭ କୋଟି ୯୨ ଲକ୍ଷ, ମଣିପୁରରେ ୧୬୭ କୋଟି ୮୩ ଲକ୍ଷ, ଗୋଆରେ ୧୮ କୋଟି ୭୩ ଲକ୍ଷ ଓ ଉତ୍ତରାଖଣ୍ଡରେ ୧୨ କୋଟି ୭୩ ଲକ୍ଷର ନଗଦ ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି। ଏହି ଚିତ୍ର ସ୍ପଷ୍ଟ କରିଛି ଯେ ନୋଟ୍‌ବନ୍ଦୀର କୌଣସି ପ୍ରଭାବ ନିର୍ବାଚନ ଉପରେ ପଡ଼ିନାହିଁ।

Also Read: ଦେଶ ପାଇଁ ଲଢ଼ିବାକୁ ଅଣ୍ଟା ଭିଡ଼ିଲେ ୟୁକ୍ରେନ୍‌ର ମହିଳା ସାଂସଦ, ରୁଷ ବିରୋଧରେ ଉଠାଇଲେ ବନ୍ଧୁକ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.