Below header

ଲିଭୁନି ନୈନିତାଲ ଜଙ୍ଗଲର ନିଆଁ, ଲୋକଙ୍କଠାରୁ ସହାୟତା ଲୋଡ଼ିିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଜଳୁଛି ନୈନିତାଲ । ଉତ୍ତରାଖଣ୍ଡର ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନାହିଁ । ଲଗାତାର ଦ୍ୱିତୀୟ ଦିନ ଭାରତୀୟ ବାୟୁସେନା ନିଆଁ ଲିଭାଇବାରେ ସାହାଯ୍ୟ କରିଛି ।

ଜଳୁଛି ନୈନିତାଲ । ଉତ୍ତରାଖଣ୍ଡର ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନାହିଁ । ଲଗାତାର ଦ୍ୱିତୀୟ ଦିନ ଭାରତୀୟ ବାୟୁସେନା ନିଆଁ ଲିଭାଇବାରେ ସାହାଯ୍ୟ କରିଛି । ରବିବାର ଏଠାରେ ନିଆଁ ଲାଗିବାର ୮ଟି ନୂଆ ମାମଲା ସାମ୍ନାକୁ ଆସିଛି । ବାୟୁସେନାର MI-17 V5 ହେଲିକପ୍ଟର ନିଆଁ ଲିଭାଇବାରେ ନିୟୋଜିତ ଅଛି ।

ହେଲିକପ୍ଟରରେ ଲାଗିଥିବା ବମ୍ପି ବକେଟ୍‌ ଏକ ସମୟରେ ୫୦୦୦ ଲିଟର ପାଣି ଭରିପାରେ, ଯାହାକୁ ଜଙ୍ଗଲ ନିଆଁରେ ଢଳାଯାଇପାରେ । କିନ୍ତୁ ଏ ପର୍ଯ୍ୟନ୍ତ ନିଆଁକୁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ କରାଯାଇ ପାରିନାହିଁ । ଏହି ଭୟଙ୍କର ନିଆଁ ରବିବାର ୧୧.୭୫ ହେକ୍ଟରରେ ବ୍ୟାପିଥିବା ଜଙ୍ଗଲ ସମ୍ପଦକୁ ଜାଳି ନଷ୍ଟ କରିଦେଇଛି । ଶନିବାର ୨୩ଟି ନୂଆ ଜାଗାରେ ନିଆଁ ଲାଗିଥିଲା, ଯେଉଁ କାରଣରୁ ୩୪.୧୭୫ ହେକ୍ଟରରେ ବ୍ୟାପିଥିବା ଜଙ୍ଗଲ ସମ୍ପଦ ଜଳପୋଡ଼ି ଛାରଖାର ହୋଇଯାଇଛି ।

ବନ ବିଭାଗର ସୂଚନା ଅନୁସାରେ, ୨୦୨୩ ନଭେମ୍ବର ପରଠାରୁ ଉତ୍ତରାଖଣ୍ଡର ଜଙ୍ଗଲରେ ନିଆଁ ଲାଗିବାର ୬୦୬ଟି ମାମଲା ସାମ୍ନାକୁ ଆସିଛି । ଏହି ଅଗ୍ନିକାଣ୍ଡ ହେତୁ ସମୁଦାୟ ୭୩୫.୮୧୫ ହେକ୍ଟର ଜଙ୍ଗଲ ସମ୍ପଦ ନଷ୍ଟ ହୋଇଛି । କୁମାଁଓର ମୁଖ୍ୟ ବନ ସଂରକ୍ଷକ ପ୍ରସନ୍ନ କୁମାର ରାଓଙ୍କ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ କୌଣସି ବଡ଼ ଘଟଣା ଘଟି ନାହିଁ ।

ସେପଟେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସ୍ଥାନୀୟ ଲୋକଙ୍କଠାରୁ ସାହାଯ୍ୟ ଲୋଡିଛନ୍ତି । ସେ କହିଛନ୍ତି ଯେ ‘ଆମେ ଭାରତୀୟ ସେନା ସମେତ ସମସ୍ତ ଅନୁଷ୍ଠାନରୁ ସହାୟତା ଲୋଡିଛୁ । ସ୍ଥାନୀୟ ଲୋକଙ୍କଠାରୁ ମଧ୍ୟ ନିଆଁ ଲିଭାଇବାରେ ସହାୟତା ଲୋଡାଯାଇଛି । ଏହି ମାମଲାରେ ଅଧିକାରୀଙ୍କ ଦାୟିତ୍ୱ ମଧ୍ୟ ସ୍ଥିର କରାଯିବ’ । ଜଙ୍ଗଲରେ ଦ୍ରୁତ ଗତିରେ ବ୍ୟାପୁଥିବା ନିଆଁର ମୁକାବିଲା ପାଇଁ ରାଜ୍ୟ ସରକାର ଆଲର୍ଟ ମୋଡ୍‌ରେ ଅଛନ୍ତି ।

ନେପାଳ ନିକଟସ୍ଥ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଥିବା ସୂଚନା ରହିଛି । ନୈନିତାଲର ଆବାସିକ ଅଞ୍ଚଳରେ ନିଆଁ ପହଞ୍ଚିବା କାରଣରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଜଙ୍ଗଲରେ ନିଆଁ ଲଗାଇବା ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.