Below header

ଭୀଷଣ ହେଉଛି ଡୋନବାସ ଲଢ଼େଇ, ୩୦ ହଜାର ସୈନ୍ୟଙ୍କୁ ହରାଇ ସାରିଲାଣି ରୁଷ୍

ନୂଆଦିଲ୍ଲୀ : ଭୀଷଣ ହେଉଛି ଡୋନ୍ବାସ ଲଢ଼େଇ। ଅନେକ ସହରରେ ଚାଲିଛି ତୁମୁଳ ସଂଘର୍ଷ। ୨୪ ଘଣ୍ଟାରରେ ୫୯ ଆବାସିକ ବିଲ୍ଡିଂ ଉପରେ ରୁଷ୍ ସେନା କରିଛି ଅସ୍ତ୍ର ପ୍ରହାର । ରକେଟ୍ ମାଡ଼ରେ ଧ୍ୱଂସ ହୋଇ ଯାଇଛି ବିଲ୍ଡିଂ । ଅନେକ ଲୋକ ମୃତାହତ ହୋଇଛନ୍ତି । ସେଭେରୋଡୋନେସ୍କରେ ଆଗକୁ ବଢ଼ୁଛି ରୁଷ୍ ସେନା । ଲୁହାନ୍ସ୍କ ଓବ୍ଲାଷ୍ଟର ଶେଷ ବଡ଼ ସହର ହେଉଛି ସେଭେରୋଡୋନେସ୍କ। ଏହି ସହରକୁ ଦଖଲ କରି ପୂରା ଲୁହାନ୍ସ୍କ ଦଖଲ ଦାବି କରିବ ରୁଷ୍ ।

ଲୁହାନ୍ସ୍କର ବାଖମୁତ ଓ ଲିସିଚାନ୍ସ୍କରେ ମଧ୍ୟ ରୁଷ୍ ସେନା ରକେଟ୍ ବର୍ଷା କରୁଛି। ତେବେ ଜବରଦସ୍ତ ପ୍ରତିଆକ୍ରମଣ କରୁଛି ୟୁକ୍ରେନ୍ । ଧ୍ୱଂସ ହେଉଛି ରୁଷ୍ର ଅସ୍ତ୍ରଶସ୍ତ୍ର। ରୁଷ୍ର ଟ୍ୟାଙ୍କ୍ ଓ ଆର୍ଟିଲାରୀ ଶିକାର କରୁଛି ୟୁକ୍ରେନ୍ ସେନା । ଆଜି ପୂର୍ବ ୟୁକ୍ରେନ୍ରେ ରୁଷ୍ର ଅସ୍ତ୍ରାଗାରକୁ ଉଡ଼ାଇ ଦେଇଛି ୟୁକ୍ରେନ୍ । ଖେରସନ୍ରେ ରୁଷ୍ ସେନା ଉପରେ ପାଲଟା ହମ୍ଲା କରିଛି। ରାଜରାସ୍ତାରେ ଚାଲିଛି ଲଢ଼େଇ । ବ୍ରିଟେନ୍ ଗୁଇନ୍ଦା ରିପୋର୍ଟ ମୁତାବକ, ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି ରୁଷ୍। ସେନାର ମଧ୍ୟମ ଓ କନିଷ୍ଠ ର‍୍ୟାଙ୍କ୍‌ରେ ଲାଗିଛି ବଡ଼ ଝଟ୍କା ।

ଉଚ୍ଚ ତାଲିମପ୍ରାପ୍ତ କ୍ୟାଡର ଅଭାବ ପଡ଼ିଲାଣି । ବିଭିନ୍ନ ୟୁନିଟ୍ରେ ବଞ୍ଚିଥିବା ସୈନ୍ୟଙ୍କୁ ନେଇ ରୁଷ୍ ଯେଉଁ ନୂଆ ଗ୍ରୁପ୍ ଗଠନ କରିଛି ତାହା ପ୍ରଭାବୀ ହୋଇପାରୁନି। ଏପର୍ଯ୍ୟନ୍ତ ୩୦ ହଜାର ୩୫୦ ସୈନ୍ୟଙ୍କୁ ହରାଇ ସାରିଲାଣି ରୁଷ୍ । ସୈନ୍ୟ ସଂକଟ ପରେ ୟୁକ୍ରେନ୍ ସୀମାକୁ ଆସୁଛନ୍ତି ନୂଆ ସୈନ୍ୟ। ଅସ୍ତ୍ରଶସ୍ତ୍ର ବି ପଠାଉଛି ମସ୍କୋ। ରୁଷ୍ର ଲକ୍ଷ୍ୟ ଡୋନ୍ବାସ୍ ବୋଲି କହିଛନ୍ତି ସର୍ଗେଇ ଲାଭରୋଭ।

ତେବେ ରୁଷ୍ ପାଇଁ ଏତେ ସହଜ ନୁହେଁ ଡୋନବାସ୍ । ଡୋନ୍ବାସ ଲଢ଼େଇ ପାଇଁ ବିଦେଶରୁ ୟୁକ୍ରେନ୍ ଆସୁଛି ଘାତକ ଅସ୍ତ୍ରଶସ୍ତ୍ର। ନୈତିକ ସମର୍ଥନ ଦେବାକୁ ଆସୁଛନ୍ତି ବଦେଶୀ ନେତା । ୟୁକ୍ରେନ୍ରେ ପହଞ୍ଚିଛନ୍ତି ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ କ୍ୟାଥେରିନ୍ କୋଲୋନା । ୟୁକ୍ରେନ ପ୍ରତିପକ୍ଷ ଡିମିଟ୍ରୋ କୁଲେବାଙ୍କୁ ଭେଟିଛନ୍ତି। ଜେଲେନ୍ସ୍କିଙ୍କୁ ଭେଟିବେ । ଯୁଦ୍ଧ ସ୍ଥିତି ସଂପର୍କରେ କଥା ହେବେ । ପୁଟିନ୍ଙ୍କ ସହ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍ କଥା ହେବାର ଦୁଇ ଦିନ ପରେ ଫ୍ରାନ୍ସ ବିଦେଶ ମନ୍ତ୍ରୀ ୟୁକ୍ରେନ୍ ଆସିଛନ୍ତି।

ଏହାକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି। ସେପଟେ ଯୁଦ୍ଧ ଭୂମିରେ ଜେଲେନ୍ସ୍କି । ଖାରକିଭ୍ରେ ସୈନ୍ୟଙ୍କୁ ଭେଟି ମନୋବଳ ବଢ଼ାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ଖାରକିଭ୍ର ଧ୍ୱଂସ ଚିତ୍ର ବି ଦେଖିଛନ୍ତି। ଖାରକିଭ୍ର ପ୍ରାୟ ୯୦ ପ୍ରତିଶତ ବିଲ୍ଡିଂ ଓ ଭିତ୍ତିଭୂମିକୁ ଧ୍ୱଂସ କରିଦେଇଛି ରୁଷ୍। ଗୋଟିଏ ପରେ ଗୋଟିଏ ସହର ଧ୍ୱଂସ କରି ନିଜ ସୀମାରେ ସାମିଲ କରିଦେବାକୁ ଲକ୍ଷ୍ୟ ରଖିଛି ମସ୍କୋ। ତେବେ ଶାନ୍ତି ପାଇଁ ରୁଷ୍ ହାତକୁ ଇଞ୍ଚେ ଭୂମି ଟେକି ଦିଆଯିବ ନାହିଁ ବୋଲି ପଣ କରିଛନ୍ତି ଜେଲେନ୍ସ୍କି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.