Below header

ମଧ୍ୟସ୍ଥତାରେ ସମାଧାନ ହେବ କି ଅଯୋଧ୍ୟା ଜମି ବିବାଦ , ଆଜି ସୁପ୍ରିମକୋର୍ଟରୁ ଅସିପାରେ ନିଷ୍ପତ୍ତି

ନୂଆଦିଲ୍ଲୀ(କେନ୍ୟୁଜ୍) : ଅଯୋଧ୍ୟା ମାମଲାରେ ମଧ୍ୟସ୍ଥତା ନେଇ ଆଜି ନିଷ୍ପତ୍ତି ହେବ । ମଧ୍ୟସ୍ଥ ଚୂଡାନ୍ତ କରିବେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ବେଞ୍ଚ । ବିବାଦୀୟ ରାମ ଜନ୍ମଭୂମି ଓ ବାବ୍ରି ମସଜିଦ ଜମି ମାମଲାର ସ୍ଥାୟୀ ସମାଧାନ ନେଇ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ମଧ୍ୟସ୍ଥତା ଜରୁରୀ କି ? ଏହାର ବିଚାର କରି ବୁଧବାର ରାୟ ସଂରକ୍ଷିତ କରିଛନ୍ତି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ । ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ କହିଛନ୍ତି, ମାମଲାର ଗମ୍ଭୀରତା ସମ୍ପର୍କରେ କୋର୍ଟ ଅବଗତ ଅଛନ୍ତି । ମାମଲାରେ ସଂପୃକ୍ତ ସମସ୍ତ ପକ୍ଷ ଯଥାଶୀଘ୍ର ମଧ୍ୟସ୍ଥ କିମ୍ବା ମଧ୍ୟସ୍ଥମାନଙ୍କ ନାମ ପ୍ରସ୍ତାବ ଦିଅନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ହିନ୍ଦୁ ମହାସଭା ମଧ୍ୟସ୍ଥି ନିଯୁକ୍ତିକୁ ବିରୋଧ କରୁଛି । ହିନ୍ଦୁ ମହାସଭା କହିଛି, ମାମଲା ଲୋକଙ୍କ ଧାର୍ମୀୟ ଭାବନା ସହ ଜଡ଼ିତ । ଜମି ଭଗବାନ ଶ୍ରୀରାମଙ୍କର । ଏଠାରେ କେବଳ ରାମମନ୍ଦିର ନିର୍ମାଣ କରାଯାଉ । ମଧ୍ୟସ୍ଥତା ନିରର୍ଥକ ପ୍ରୟାସ ହେବ । ଗତ ଫେବ୍ରୁଆରୀ ୨୬ ତାରିଖରେ ଶୁଣାଣି ବେଳେ ମଧ୍ୟସ୍ଥି ସପକ୍ଷରେ ପ୍ରସ୍ତାବ ଦେଇଥିଲେ ସୁପ୍ରିମକୋର୍ଟ । ଅଯୋଧ୍ୟା ଜମି ବିବାଦ ମାମଲାରେ ୨୦୧୦ରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ୧୪ଟି ଆବେଦନ ହୋଇଥିଲା । ୨. ୭୭ ଏକର ବିବାଦୀୟ ଜମିକୁ ସୁନୀ ଓ୍ଵାଖଫ ବୋର୍ଡ, ନିର୍ମୋହୀ ଆଖଡା ଓ ରାମ ଲାଲଙ୍କ ମଧ୍ୟରେ ସମାନ ଭାବେ ବାଣ୍ଟିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.