କେରଳ: ଶିଶୁ ଜନ୍ମ ଦେବା ପରେ ସମଲିଙ୍ଗୀ ଯୋଡ଼ି ବଢ଼ାଇଲେ ସରକାରଙ୍କ ଚିନ୍ତା; ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାବି କଲେ ଏହି ଜିନିଷ
କେରଳରେ ଶିଶୁ ଜନ୍ମ ଦେଇଥିବା ସମଲିଙ୍ଗୀ ଦମ୍ପତି ଏକ ଏମିତି ଦାବି କରିଛନ୍ତି, ଯାହା ଉପରେ ରାଜ୍ୟ ସରକାରଙ୍କୁ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଶିଶୁ ଜନ୍ମ ଦେଇଥିବା ଟ୍ରାନ୍ସଜେଣ୍ଡର ଜଣକ ଚାହୁଁଛନ୍ତି ଯେ ଶିଶୁର ପିତା ରୂପେ ତାଙ୍କର ନାମ ଲେଖାଯାଉ।
କେରଳରେ ଏକ ଟ୍ରାନ୍ସଜେଣ୍ଡର ଦମ୍ପତିଙ୍କ ଅନୁରୋଧ କ୍ରମେ ସରକାରଙ୍କୁ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଦମ୍ପତି ନିକଟରେ ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ଏବେ ସେମାନେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଟ୍ରାନ୍ସ ପିତାଙ୍କୁ ଜନ୍ମ ରେକର୍ଡରେ ଶିଶୁର ବାପା ବୋଲି ପରିଚୟ ଦେବାକୁ ଅନୁରୋଧ କରିଛନ୍ତି।
ବୁଧବାର ୨୩ ବର୍ଷୀୟ ସହଦ ନାମକ ଟ୍ରାନ୍ସମ୍ୟାନ ଏକ ଶିଶୁକୁ ଜନ୍ମ ଦେଇ ରେକର୍ଡ ବୁକ୍ରେ ନିଜ ନାମ ସ୍ଥାନିତ କରାଇଛନ୍ତି। ସେ କୋଝିକୋଡସ୍ଥିତ ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ଶିଶୁକୁ ଜନ୍ମ ଦେଇଥିଲେ।
ସହଦ ଓ ୨୧ ବର୍ଷୀୟା ଜିୟା ପାଓ୍ଵଲ କୋଝିକୋଡରେ ଜଣେ ଟ୍ରାନ୍ସଜେଣ୍ଡର ଦମ୍ପତି। ଅନେକ ମାସ ଧରି ସହଦ ଗର୍ଭବତୀ ହେବା ପାଇଁ ଟ୍ରାନ୍ସମ୍ୟାନର ଚିକିତ୍ସା ପ୍ରକ୍ରିୟା ବନ୍ଦ କରିଦେଇଥିଲେ ଏବଂ ଦୁହେଁ ମା’, ବାପା ହେବାକୁ ପ୍ରସ୍ତୁତି ଚଳାଇଥିଲେ। ଦମ୍ପତି ଏବେ ହସ୍ପିଟାଲ ଅଧିକାରୀଙ୍କୁ ନବଜାତ ଶିଶୁର ଜନ୍ମ ରେକର୍ଡରେ ସହଦଙ୍କୁ ବାପା ଏବଂ ଜିୟାଙ୍କୁ ମା’ ରୂପରେ ପଞ୍ଜିକରଣ କରିବାକୁ ଅନୁରୋଧ କରିଛନ୍ତି।
ଏ କ୍ଷେତ୍ରରେ ହସ୍ପିଟାଲ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ଅନୁରୋଧ ପତ୍ର ପଠାଇବେ, ଯାହା ଉପରେ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିପାରେ। ସହଦ ପେସାରେ ଆକାଉଣ୍ଟାଣ୍ଟ ହୋଇଥିବା ବେଳେ ଜିୟା ଜଣେ ନୃତ୍ୟ ଶିକ୍ଷକ। ଉଭୟେ ହରମୋନ୍ ଥେରାପି ଦେଇ ଗତି କରିଛନ୍ତି। ଦୀର୍ଘ ତିନି ବର୍ଷ ଧରି ଏକାଠି ରହୁଥିବା ଏହି ଦମ୍ପତି ଏବେ ସନ୍ତାନ ଜନ୍ମ କରିଛନ୍ତି।
ଶିଶୁର ଜନ୍ମ ପରେ ସହଦ ପୁରୁଷ ହେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏହି ପ୍ରକ୍ରିୟା ସେତେବେଳେ ଆରମ୍ଭ ହୋଇଥିଲା, ଯେତେବେଳେ କିଛି ଦିନ ଆଗରୁ ତାଙ୍କର ସ୍ତନ ଦ୍ୱୟକୁ କାଢ଼ି ଦିଆଯାଇଥିଲା। ପ୍ରସବ ପରେ ସେମାନେ ହସ୍ପିଟାଲର ବ୍ରେଷ୍ଟ୍ ମିଲ୍କ ବ୍ୟାଙ୍କ୍ରୁ ମା’ କ୍ଷୀର ସଂଗ୍ରହ କରୁଛନ୍ତି।