Below header

ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ନୂଆ ଲୋକସଭାର ପ୍ରଥମ ଅଧିବେଶନ, କିଏ ହେବେ ଲୋକସଭା ଉପବାଚସ୍ପତି?

(କେନ୍ୟୁଜ୍): କିଏ ହେବେ ଲୋକସଭା ଉପବାଚସ୍ପତି ? ଏହାକୁ ନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ବିଜେପି ଏହି ପଦ ପାଇଁ ଓ୍ଵାଇଏସ୍‌ଆର କଂଗ୍ରେସକୁ ଅଫର ଦେଇଥିବା ସୂଚନା ମିଳିଛି । ବିଜେପି ସାଂସଦ ତଥା ମୁଖପାତ୍ର ଜିଭିଏଲ୍‌ ନରସିହ୍ମା ରାଓ ଗତକାଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଓ୍ଵାଇଏସ୍‌ଆର କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡୀଙ୍କ ସହ ଆଲୋଚନା କରିଛନ୍ତି । ଦୁଇ ନେତାଙ୍କ ମଧ୍ୟରେ ପାଖାପାଖି ଅଧଘଣ୍ଟା ଆଲୋଚନା ହୋଇଥିଲା । ଓ୍ଵାଇଏସ୍‌ଆର କଂଗ୍ରେସକୁ ସେ ଉପବାଚସ୍ପତି ପଦ ପାଇଁ ଅଫର ଦେଇଥିବା ସୂଚନା ମିଳିଛି । ତେବେ ଜଗନମୋହନ ଏନେଇ କିଛି ସମୟ ନେଇଛନ୍ତି । ଓ୍ଵାଇଏସ୍‌ଆର କଂଗ୍ରେସର ୨୨ ଜଣ ସାଂସଦ ଅଛନ୍ତି । ଆସନ୍ତା ୧୫ ତାରିଖରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବେ ଜଗନମୋହନ ରେଡ୍ଡୀ । ବୈଠକ ପରେ ଜଗନମୋହନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ପାରନ୍ତି । ଉପବାଚସ୍ପତି ନେଇ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁ ମଧ୍ୟ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି । ଏହା ପରେ ଶିବସେନା ମଧ୍ୟ ଉପବାଚସ୍ପତି ପଦ ଦାବି କରିଛି । ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ନୂଆ ଲୋକସଭାର ପ୍ରଥମ ଅଧିବେଶନ । ୧୯ ତାରିଖରେ ଉଭୟ ବାଚସ୍ପତି ଓ ଉପବାଚସ୍ପତି ପଦ ପାଇଁ ନିର୍ବାଚନ ହେବ । ପରମ୍ପରା ଅନୁସାରେ ଲୋକସଭା ଉପବାଚସ୍ପତି ପଦ ବିରୋଧୀ ଦଳକୁ ମିଳିଥାଏ । ତେଣୁ ଏଥର କିଏ ହେବେ ଲୋକସଭା ଉପବାଚସ୍ପତି ତାକୁ ନେଇ କଳ୍ପନାଜଳ୍ପନା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.