Below header

ଅଷ୍ଟ୍ରେଲିଆରେ ନିଆଁ ବର୍ଷା, ଜଳ ସଙ୍କଟ ଯୋଗୁ ବଢ଼ୁଛି ପାଣି ଚୋରି

ଭାରତରେ ଏବେ ଶୀତ ଲହରି ଜାରିଥିବା ବେଳେ ଅଷ୍ଟ୍ରେଲିଆରେ କିନ୍ତୁ ନିଆଁ ବର୍ଷୁଛି। ଅଷ୍ଟ୍ରେଲିଆରେ ବର୍ତ୍ତମାନ ଗ୍ରୀଷ୍ମଋତୁ ଚାଲିଥିବାରୁ ସ୍ଥିତି ଗମ୍ଭୀର ହୋଇପଡ଼ିଛି। ଗତ ଦୁଇ ମାସ ହେଲା ଜଙ୍ଗଲରେ ଲାଗିଥିବା ନିଆଁ ଓ ବର୍ଷା ଅଭାବରୁ ପଶ୍ଚିମ ଅଷ୍ଟ୍ରେଲିଆର ଅଧିକାଂଶ ଅଞ୍ଚଳର ଅଧିକାଂଶ ନଦୀ ପୋଖରୀ ଶୁଖିଯାଇଛି। ଫଳରେ ପିଇବାକୁ ମଧ୍ୟ ପାଣି ମିଳୁନାହିଁ। ଏଣୁ ପାଣି ପାଇଁ ଆଉଟୁପାଉଟୁ ହୋଇ ଲୋକେ ଚୋରି କରିବାକୁ ମଧ୍ୟ ପଛଘୁଞ୍ଚା ଦେଉନାହାନ୍ତି। ଶୋଷରୁ ନିସ୍ତାର ପାଇବାକୁ ଲୋକେ ପାଣି ଚୋରି କରୁଥିବା ଦେଖିବାକୁ ମିଳିଛି।

ରିପୋର୍ଟ ମୁତାବକ ନ୍ୟୁ ସାଉଥ୍‌ ୱେଲ୍ସର ଏକ ଅଞ୍ଚଳରୁ ୩ ଲକ୍ଷ ଲିଟର ଜଳ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଖପାଖ ଲୋକଙ୍କୁ ପଚରାଉଚରା ଜାରି ରଖିଛି। ତେବେ ପାଣି ମିଳୁନଥିବାରୁ କେହି ଏଭଳି କରିଥିବା ପୋଲିସ କହିଛି।

ପୋଲିସ ବିଭାଗର କହିବାନୁସାରେ ବର୍ତ୍ତମାନ ସହରର ବିଭିନ୍ନ ବନ୍ଧର ଜଳସ୍ତର ୩୭ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଗଲାଣି। ବନ୍ଧ ନିର୍ମାଣ ହେବା ପରେ ଏଭଳି ପ୍ରଥମ ଥର ପାଇଁ ଜଳସଙ୍କଟ ଦେଖାଦେଇଛି। ଭୀଷଣ ଖରା ଯୋଗୁ ଚଳିତମାସରେ ୧.୧ ପ୍ରତିଶତ ଜଳ ବାଷ୍ପରେ ପରିଣତ ହୋଇଛି। ତେବେ ବର୍ଷା କେବେ ହେବ ସେ ନେଇ ମଧ୍ୟ କୌଣସି ସୂଚନା ମିଳୁନଥିବା ସେ କହିଛନ୍ତି।

ସାରା ଦେଶର ତାପମାତ୍ରା ବର୍ତ୍ତମାନ ୪୧.୯ ଡିଗ୍ରୀ ସେଲ୍‌ସିୟସ୍‌ରେ ପହଞ୍ଚିଛି। ଦକ୍ଷିଣ ଅଷ୍ଟ୍ରେଲିଆର ତାପମାତ୍ରା ୫୦ ଡିଗ୍ରୀ ଛୁଇଁବ ବୋଲି ଆଶଙ୍କା କରାଯାଉଛି। କେବଳ ଏତିକି ନୁହେଁ ୬୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗରମ ପବନ ମଧ୍ୟ ପ୍ରବାହିତ ହେଉଥିବାରୁ ଲୋକଙ୍କ ଜୀବନ ପ୍ରଭାବିତ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.