ସ୍ୱାଧୀନତା ଦିବସରେ ‘ବୀର ଚକ୍ର’ରେ ସମ୍ମାନିତ ହେବେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ, ୫ ପାଇଲଟଙ୍କୁ ‘ବାୟୁସେନା ମେଡାଲ’

ଭାରତୀୟ ବାୟୁ ସେନାର ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ସ୍ୱାଧୀନତା ଦିବସ ଅବସରରେ ‘ବୀର ଚକ୍ର’ରେ ସମ୍ମାନିତ କରାଯିବ। ଏହାସହିତ ଅଶ୍ୱାରୋହୀ ସୈନ୍ୟଦଳ ମୁଖ୍ୟ ମିଣ୍ଟି ଅଗ୍ରଓ୍ଵାଲଙ୍କୁ ମଧ୍ୟ ‘ଯୁଦ୍ଧ ସେବା ପଦକ’ରେ ସମ୍ମାନିତ କରାଯିବ। ଫେବୃୟାରୀ ୨୭ରେ ଅଭିନନ୍ଦନ ମିଗ୍‌-୨୧ ବାଇସନ୍‌ରେ ପାକିସ୍ତାନର ଏଫ୍‌-୧୬ ବିମାନର ପିଛା କରିବା ପରେ ଏକ ବିମାନକୁ ଖସାଇ ଦେଇଥିଲେ। ପରେ ତାଙ୍କ ବିମାନ ଏକ କ୍ଷେପଣାସ୍ତ୍ର ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲା, ଯାହା ନଷ୍ଟ ହେବା ପୂର୍ବରୁ ଅଭିନନ୍ଦନ ବିମାନରୁ ବାହାରି ଆସିଥିଲେ ଏବଂ ପିଓକେରେ ଫସି ଯାଇଥିଲେ। ପାକିସ୍ତାନୀ ସୁରକ୍ଷା ବଳ ତାଙ୍କୁ ଗିରଫ କରିନେଇଥିଲା। ଯଦିଓ ଭାରତର ଦାବି ପରେ ପାକିସ୍ତାନ ଅଭିନନ୍ଦନଙ୍କୁ ଛାଡ଼ିଦେଇଥିଲା, କିନ୍ତୁ ପାଖାପାଖି ୬୦ ଘଣ୍ଟା ପରେ ଓ୍ଵାଘା ସୀମାରେ ଭାରତକୁ ତାଙ୍କୁ ହସ୍ତାନ୍ତର କରାଯାଇଥିଲା। ‘ବୀର ଚକ୍ର’ ଭାରତରେ ଯୁଦ୍ଧ ସମୟରେ ଦିଆଯାଉଥିବା ତୃତୀୟ ସର୍ବୋଚ୍ଚ ସମ୍ମାନ।


wing1

ବାଲ୍ଲାକୋଟ ଏୟାରଷ୍ଟ୍ରାଇକ୍‌ କରିଥିବା ୫ ପାଇଲଟଙ୍କୁ ‘ବାୟୁସେନା ମେଡାଲ’

ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀ ଶିବିର ଧ୍ୱଂସ କରିଦେଇଥିବା ବାୟୁସେନା ପାଇଲଟଙ୍କୁ ସମ୍ମାନିତ କରାଯିବ। ସ୍ୱାଧୀନତା ଦିବସରେ ଓ୍ଵିଙ୍ଗ୍‌ କମାଣ୍ଡର ଅମିତ ରଞ୍ଜନ, ସେନାଦଳ ମୁଖ୍ୟ ରାହୁଲ ବସୋୟା, ପଙ୍କଜ ଭୁଜଡେ, ବିକେଏନ୍‌ ରେଡ୍ଡୀ ଓ ଶଶାଙ୍କ ସିଂଙ୍କୁ ବାୟୁସେନା ପଦକ(ବୀରତା) ଦିଆଯିବ। ଏହି ଅଧିକାରୀମାନେ ମିରାଜ ୨୦୦୦ ଯୁଦ୍ଧ ବିମାନର ପାଇଲଟ ଅଟନ୍ତି। ଏମାନେ ସମସ୍ତେ ପାକିସ୍ତାନର ବାଲ୍ଲାକୋଟରେ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଶିବିରକୁ ଧ୍ୱସଂ କରିଦେଇଥିଲେ।