୯ ବର୍ଷର ବାଳିକା ହେଲେ ଗ୍ରିନ୍ ମଣିପୁର ମିସନର ବ୍ରାଣ୍ଡ ଆମ୍ବାସଡର, ଏହା ପଛରେ ରହିଛି ଏହି ରୋଚକ ଘଟଣା
ବେଙ୍ଗାଲୁରୁ(କେନ୍ୟୁଜ୍): ଜଣେ ୯ ବର୍ଷର ବାଳିକା ଗଛକୁ ଧରି କାନ୍ଦିବାରୁ ମଣିପୁର ସରକାର ତାକୁ ଗ୍ରିନ ମଣିପୁର ମିସନର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତି କରିଥିବା ଘଟଣା ସମସ୍ତଙ୍କୁ ଚକିତ କରିଛି । କାହିଁକି ମଣିପୁରର ମୁଖ୍ୟମନ୍ତ୍ର୍ୟ ଏପରି ନିଷ୍ପତି ନେଲେ ଆସନ୍ତୁ ଜାଣିବା । ମଣିପୁରର ଅମୁଟୋମ୍ବି ଡିଭାଇନ୍ ଲାଇଫ୍ ଇଂରାଜୀ ବିଦ୍ୟଳୟର ୫ମ ଶ୍ରେଣୀର ଛାତ୍ରୀ ଏଲାଙ୍ଗବମ୍ ଭେଲେଂଟିନା ଦେବୀ । ତାଙ୍କ ବୟସ ମାତ୍ର ୯ ବର୍ଷ । ତାଙ୍କର ଜନ୍ମରୁ ରହିଛି ଗଛ ପ୍ରତି ଗଭୀର ଭଲପାଇବା । ତେବେ ବିଦ୍ୟାଳୟ ପକ୍ଷରୁ ଦିର୍ଘ ୪ ବର୍ଷ ଧରି ଚାରାରୋପଣ କାର୍ଯ୍ୟକ୍ରମ କରାଯାଇଆସୁଥିଲା । ତେବେ ଏହି ୯ ବର୍ଷର ଛାତ୍ରୀ ପ୍ରତିଦିନ ରାସ୍ତା କଡରେ ଗୋଟେ ଦୁଇଟି ଗଛ ଲଗାଇଥାନ୍ତି । କେବଳ ରାସ୍ତା ପାଶ୍ୱରେ ନୁହେଁ ବରଂ ନଦୀ ପଠାରେ ମଧ୍ୟ ବୃକ୍ଷ ରୋପଣ କରିଥାନ୍ତି ଏହି ଛାତ୍ରୀ ଜଣଙ୍କ ।
ବୟସ କମ୍ ହେଲେ ମଧ୍ୟ ସେ ପ୍ରଥମ ଶେଣ୍ରୀରେ ପଢିଲା ବେଳଠୁ ଗଛ ଲଗାଇ ଆସୁଛନ୍ତି । ଗତ ଅଗଷ୍ଟ ମାସ ୭ ତାରିଖରେ ରାସ୍ତାର ପ୍ରଶସ୍ତି କରଣ କାର୍ଯ୍ୟ ନିମନ୍ତେ ମଣିପୁର ସରକାରଙ୍କ ପକ୍ଷରୁ ରାସ୍ତା ପାଶ୍ୱରେ ଥିବା ଗଛ ଗୁଡିକୁ କାଟିବା କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଏହି ସୂଚନା ପାଇବା ପରେ ଉକ୍ତ ଛାତ୍ରୀ ଜଣଙ୍କ ସେଠାକୁ ଯାଇ ୨ ଟି ଗଛକୁ ଧରି ଚିତ୍କାର କରି କୋହଭରା କଣ୍ଠରେ କାନ୍ଦିବାକୁ ଲାଗିଥିଲେ, ଏବଂ କିଛି ସମୟ ଧରି ସେଠାରେ ସେହିଭଳି ଗଛକୁ କୁଣ୍ଢାଇ ଧରି କାନ୍ଦୁଥିବାର ଦୃଶ୍ୟକୁ ଛାତ୍ରୀ ଜଣଙ୍କର ନିଜ ଦାଦା ତାଙ୍କ ମୋବାଇଲରେ ରେକର୍ଡ କରିଥିଲେ । ଯାହାକୁ ସେ ଫେସବୁକ୍ ରେ ସେୟାର କରିଥିଲେ ।
ଯାହାପରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଥିଲା । ବିଭିନ୍ନ ମସହଲରୁ ପ୍ରଶାସନ ପକ୍ଷରୁ ଗଛକଟାକୁ ଘୋର ନିନ୍ଦା କରାଯାଇ ସମାଲୋଚନା କରାଯାଇଥିଲା । ତେବେ ଏହି ଭିଡିଓ ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍ ଭିରେନ୍ ସିଂହ ଦେଖିବା ପରେ ସେଠାରେ ଗଛ କଟା ବନ୍ଦ କରିବା ସହ ଏହି ଛାତ୍ରୀ ଜଣଙ୍କୁ ଗ୍ରିନ ମଣିପୁର ମିସନର ବ୍ରାଣ୍ଡ ଆମ୍ବାସଡର ଭାବେ ନିଯୁକ୍ତି କରିଥିବା ନିଜେ ଟୁଇଟ୍ କରି ଜଣାଇଥିଲେ । ଏହାପରେ ବିଭିନ୍ନ ସଂଘଠନ ପକ୍ଷରୁ ବୃକ୍ଷ ରୋପଣା କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଥିବା ସୂଚନା ମିଳିଛି ।
ଗୋବିନ୍ଦ ବାରିକ(ବେଙ୍ଗାଲୁରୁ,କେନ୍ୟୁଜ୍)