Below header

ଚଉଦ ବର୍ଷରେ କନେଷ୍ଟବଳଙ୍କୁ କରିଥିଲେ ବିବାହ, ୧୮ ବର୍ଷରେ ଦୁଇଟି ସନ୍ତାନର ମାଆ ହୋଇ ବି ବନିଲେ ଆଇପିଏସ୍‌

ସ୍ୱାମୀ କନେଷ୍ଟବଳ ସ୍ତ୍ରୀ ଆଇପିଏସ୍‌ ଅଫିସର

ସ୍ୱାମୀ ମାରୁଥିଲେ ବଡ ଅଫିସରଙ୍କୁ ସାଲ୍ୟୁଟ୍‌…ଯାହାକୁ ଦେଖି ବଦଳିଗଲା ସ୍ତ୍ରୀର ମନ…କନେଷ୍ଟବଳଙ୍କ ସ୍ତ୍ରୀ ଇଚ୍ଛା କଲେ ବଡ ଅଫିସର ବନିବେ…ଦୁଇଟି ସନ୍ତାନର ମାଆ ହୋଇ ବି କଲେ ନିଜ ସ୍ୱପ୍ନ ପୂରଣ…ଆଉ ବନିଗଲେ ଆଇପିଏସ୍‌ ଅଫିସର…ଆଇପିଏସ୍‌ ଏନ୍ ଅମ୍ବିକା । ତାମିଲନାଡୁର ଏନ୍ ଅମ୍ବିକା, ଯିଏକି ବହୁତ କମ୍‌ ବୟସରେ ବାହା ହୋଇଯାଇଥିଲେ । ଆଉ ବାହାଘରର ୪ ବର୍ଷ ସୁଦ୍ଧା ସେ ଦୁଇଟା ପିଲାର ମାଆ ବି ବନିଯାଇଥିଲେ । କିନ୍ତୁ ତାପରେ ବି ବନିଗଲେ ବଡ ଅଫିସର । ହଁ ଆଜ୍ଞା କୁହାଯାଏ ଯଦି ଇଚ୍ଛା ଦୃଢ଼ ଥିବ ତାହେଲେ ଅସମ୍ଭବ ବି ସମ୍ଭବ ହୋଇପାରିବ । ଆଉ ସଫଳତା ଆପଣଙ୍କ ପାଦ ଚୁମିବ ।

ତାମିଲନାଡୁର ବାସିନ୍ଦା ଏନ୍ ଅମ୍ବିକା, ମାତ୍ର ୧୪ବର୍ଷ ବୟସରେ ଜଣେ ପୋଲିସ କନଷ୍ଟେବଳଙ୍କ ସହ ତାଙ୍କର ବିବାହ କରିଦିଆଗଲା । ୧୮ବର୍ଷ ଛୁଇଁଲା ବେଳକୁ ସେ ଦୁଇଟି ପିଲାର ମାଆ ମଧ୍ୟ ବନିଯାଇଥିଲେ । କମ୍‌ ବୟସରେ ବାହାଘର ହୋଇଯାଇଥିବାରୁ ସେ ନିଜର ସ୍କୁଲ ଶିକ୍ଷା ବି ପୂରା କରିପାରିନଥିଲେ । ସେ ନିଜ ଘର ପରିବାର ଓ ପିଲାଙ୍କୁ ସମ୍ଭାଳିବାରେ ବ୍ୟସ୍ତ ରହୁଥିଲେ । ତାଙ୍କ ମନରେ କେଉଁଠି ବି ଆଇପିଏସ୍‌ ବନିବାର ଭାବନା ବି ସେ ଆଣିନଥିଲେ । ସେ କେବେ ଭାବିନଥିଲେ ଯେ ଆଇପିଏସ୍ ହେବେ ବୋଲି । କିନ୍ତୁ ସମୟ ସବୁକିଛି ବଦଳାଇ ଦିଏ, ଗୋଟିଏ ଘଟଣା ବଦଳାଇଦିଏ ତାଙ୍କ ଜୀବନର ଗତିପଥ । ଦିନେ ଅମ୍ବିକା ତାଙ୍କ ସ୍ୱାମୀଙ୍କ ସହ ଗଣତନ୍ତ୍ର ଦିବସରେ ପୋଲିସ ପରେଡ୍ ଦେଖିବାକୁ ଯାଇଥିଲେ । ସେଠାରେ ଦେଖିଲେ, ତାଙ୍କ ସ୍ୱାମୀ ଅନ୍ୟ ବଡ ଅଫିସରଙ୍କୁ ସାଲ୍ୟୁଟ୍ କରୁଥିବାର । ସେହି ମୁହୁର୍ତ୍ତକୁ ଦେଖି ଅମ୍ବିକା ସ୍ଥିର କରିନେଲେ ସେ’ବି ଆଇପିଏସ୍ ଅଫିସର ବନିବେ । ଆଉ ଏହି ସମ୍ମାନର ଅଧିକାର ହେବେ ।

ପରେଡରୁ ଫେରିବା ପରେ ଅମ୍ବିକା ଆଇପିଏସ୍ ହେବା କଥା ତାଙ୍କ ସ୍ୱାମୀଙ୍କୁ କହିଥିଲେ । ତାଙ୍କ ସ୍ୱାମୀ କହିଲେ ଆଇପିଏସ୍ ହେବା ସହଜ କଥା ନୁହେଁ । ଏଥିପାଇଁ କଠିନ ପରିଶ୍ରମ ଏବଂ ଏକାଗ୍ରତା ନିହାତି ଆବଶ୍ୟକ । ସ୍ୱାମୀଙ୍କଠୁ ୟୁପିଏସସିର ସମସ୍ତ ତଥ୍ୟ ନେବା ପରେ ଆଇପିଏସ୍ ହେବା ପାଇଁ ନିଷ୍ପତ୍ତି ନେଲେ ଅମ୍ବିକା । ଆଉ ଅଧାରେ ଛାଡିଥିବା ପାଠକୁ ପୁଣିଥରେ ଆରମ୍ଭ କରିଦେଲେ । ସର୍ବପ୍ରଥମେ ସେ ଦଶମ ପରୀକ୍ଷା ପାସ୍ କଲେ ପରେ ଦ୍ୱାଦଶ ଏବଂ ଡିଷ୍ଟାନ୍ସରେ ଯୁକ୍ତ ୩ରେ ପାସ୍‌ କଲେ ଅମ୍ବିକା । ଆଉ ଯୁକ୍ତ ୩ ପାସ୍ କରିବା ପରେ ୟୁପିଏସସି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେ ।

ଏନ ଅମ୍ବିକା ତାଙ୍କ ପରିବାରଙ୍କ ସହ ଏକ ଛୋଟିଆ ଘରେ ରହୁଥିଲେ । ପରିବାର ସମ୍ବାଳିବା ସହ ପାଠ ପଢିବା ସମ୍ଭବ ହେଉନଥିଲା । ଯାହାକୁ ନେଇ ତାଙ୍କ ସ୍ୱାମୀ ଅମ୍ବିକାଙ୍କୁ ପାଠ ପଢିବା ପାଇଁ ଚେନ୍ନାଇ ପଠାଇଦେଲେ । ଆଉ ନିଜେ ଚାକିରି କରିବା ସହ ପିଲାଙ୍କ ଦେଖାଶୁଣା ମଧ୍ୟ କଲେ । ସ୍ୱାମୀଙ୍କ ସପୋର୍ଟ ପାଇ ଚେନ୍ନାଇରେ ରହି ଅମ୍ବିକା ୟୁପିଏସସି ପରୀକ୍ଷା ପାଇଁ କଠିନ ପରିଶ୍ରମ କରିଚାଲିଲେ । କିନ୍ତୁ ତାଙ୍କୁ ଲଗାତାର ୩ଥର ପରୀକ୍ଷାରେ ବିଫଳ ହେବାକୁ ପଡିଥିଲା ।

ୟୁପିଏସସିରେ ୩ଥର ବିଫଳ ହେବା ପରେ ତାଙ୍କ ସ୍ୱାମୀ ତାଙ୍କୁ ଘରକୁ ଫେରିଆସିବା ପାଇଁ କହିଥିଲେ କିନ୍ତୁ ଅମ୍ବିକା ସ୍ୱାମୀଙ୍କୁ ଶେଷ ସୁଯୋଗ ମାଗିଥିଲେ । ଶେଷ ସୁଯୋଗ ନେଇ କଠିନ ପରିଶ୍ରମ କରିବାରେ ଲାଗିପଡିଲେ ଅମ୍ବିକା । ଶେଷରେ ୨୦୦୮ରେ ୟୁପିଏସସି ପରୀକ୍ଷାରେ ଉତିର୍ଣ୍ଣ ହୋଇଥିଲେ । ଏହାସହିତ ତାଙ୍କ ଆଇପିଏସ୍ ହେବାର ସ୍ୱପ୍ନ ପୂରା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.