Below header

ଦାମୀ ଔଷଧ କି ତନ୍ତ୍ର ମନ୍ତ୍ର ନୁହେଁ, ଏଠି ଦେଶୀ ଅଣ୍ଡା ଓ ଗୁଆ ଘିଅରେ ଯୋଡ଼ି ହେଉଛି ଭଙ୍ଗା ହାଡ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣିଭୂଷଣପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାରରାଜିଙ୍ଗ ଗ୍ରାମର ଯୁବ ଚିକିତ୍ସକ ଅଜିତ ପ୍ରଧାନ । ଦୀର୍ଘ ବର୍ଷ ଧରି ଏଭଳି ଚିକିତ୍ସା କରି ଅନେକ ହାଡ଼ ଭଙ୍ଗା ରୋଗୀଙ୍କୁ କରିପାରିଛନ୍ତି ସୁସ୍ଥ ।

ହରଭଙ୍ଗା(କେନ୍ୟୁଜ) : ନା ପାଖରେ ଅଛି ବଡ଼ ବଡ଼ ଯନ୍ତ୍ରପାତି, ନା ଆବଶ୍ୟକ ପଡୁଛି ଦାମୀ ଔଷଧ । ଏପରିକି ନା ଅଛି ତନ୍ତ୍ର କି ମନ୍ତ୍ର । କେବଳ ଦେଶୀ କୁକୁଡ଼ାର ଅଣ୍ଡା, ଆଉ କିଛି ଗୁଆ ଘିଅ ସାଙ୍ଗକୁ ପ୍ରସ୍ତୁତ ହୋଇଥିବା ଚେରମୂଳି ଔଷଧ ପାଗ । ତା ସହିତ କିଛି ବାଉଁଶ ପାତି, ମୋଟା କାଗଜ ସାଙ୍ଗକୁ ଲୁଗା ହେଉ ଅବା ବ୍ୟାଣ୍ଡଜ କପଡ଼ା । ଏତିକିରେ ଭଲ ହେଇଯାଉଛନ୍ତି ଗୋଡ଼ ହାଡ଼ ଭାଙ୍ଗି ଯାଇଥିବା ରୋଗୀ । ତାହା ପୁଣି କିଏ ୭ ଦିନରେ ଭଲ ହେଉଛି ତ କିଏ ୧୫ ଦିନରେ ଭଲ ହେଉଛନ୍ତି । ଏଥିପାଇଁ ଦେବାକୁ ପଡୁନି ମୋଟା ଅଙ୍କର ଅର୍ଥ କି ଆବଶ୍ୟକ ପଡୁନି ମେଡିକାଲକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେବା । ହଁ ବର୍ତ୍ତମାନ ବିଜ୍ଞାନ ଯୁଗରେ ଏଭଳି ଚିକିତ୍ସା କଥା ଶୁଣି ଆପଣଙ୍କୁ ଅବିଶ୍ଵାସ ଲାଗୁଥିବ ନିଶ୍ଚୟ । ହେଲେ ଘଟଣା ଟି ସତ ।

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣିଭୂଷଣପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାରରାଜିଙ୍ଗ ଗ୍ରାମର ଯୁବ ଚିକିତ୍ସକ ଅଜିତ ପ୍ରଧାନ । ଦୀର୍ଘ ବର୍ଷ ଧରି ଏଭଳି ଚିକିତ୍ସା କରି ଅନେକ ହାଡ଼ ଭଙ୍ଗା ରୋଗୀଙ୍କୁ କରିପାରିଛନ୍ତି ସୁସ୍ଥ । ସେଥିପାଇଁ ତ ପ୍ରତିଦିନ ସକାଳୁ ସକାଳୁ ଅଜିତଙ୍କ ଦୁଆରେ ହାଡ଼ ଭଙ୍ଗା ରୋଗୀଙ୍କର ଭିଡ ଲାଗେ । କିଏ କଟକରୁ ତ କିଏ କନ୍ଧମାଳରୁ ବିଭିନ୍ନ ଆଡୁ ଆସିଥାନ୍ତି ରୋଗୀ । ପ୍ରଥମେ ଏହି ଚିକିତ୍ସା ତାଙ୍କ ବାପା କରୁଥିଲେ ଆଉ ଏବେ ସେହି ଦାୟିତ୍ୱ ତୁଲାଉଛନ୍ତି ପୁଅ ।

ହାତ ଭାଙ୍ଗୁ କି ଗୋଡ଼ ଭାଙ୍ଗି ଥାଉ, ଅଣ୍ଟା ଭାଙ୍ଗୁ କି ପଞ୍ଜାରା ହାଡ଼ ଭାଙ୍ଗି ଥାଉ ସମସ୍ତେ ଧାଇଁ ଆସନ୍ତି ଅଜିତଙ୍କ ପାଖକୁ । ଏକ୍ସରେ ଫଟୋ ଦେଖନ୍ତି, ଭାଙ୍ଗିଥିବା ସ୍ଥାନକୁ ଚିହ୍ନଟ କରି ଚିକିତ୍ସା କରିଥାନ୍ତି । ଏଠାକୁ ନିୟମିତ ବହୁ ଦୂରଦୂରାନ୍ତରୁ ହାଡ଼ ଭଙ୍ଗା ରୋଗୀ ଆସି ସୁସ୍ଥ ହେଇଥାନ୍ତି । ତେଣୁ କାହାର ଶରୀରର କେଉଁ ଅଂଶ ଯଦି ଭାଙ୍ଗିଯାଏ ଲୋକେ ମେଡିକାଲକୁ ନ ଯାଇ ଚାଲିଆସନ୍ତି ଅଜିତଙ୍କ ପାଖକୁ । କାରଣ ମେଡିକାଲକୁ ଗଲେ ଅଧିକ ଖର୍ଚ୍ଚ ହେବ, ବେଡରେ ପଡ଼ି ଛଟପଟ ହେବାକୁ ପଡ଼ିବ । ଏସବୁ ଦେଖି ଚେରମୂଳି ଚିକିତ୍ସା ପାଇଁ ଅଜିତଙ୍କ ପାଖରେ ଭିଡ଼ ଜମେଇଥାନ୍ତି ରୋଗୀ ।

ଆଉ ହାଡ଼ ଭାଙ୍ଗି ଯାଇଥିବା ରୋଗୀଙ୍କ ସେବା କରିବା ସହିତ ସେମାନଙ୍କୁ ସୁସ୍ଥ କରି ବେଶ ଆନନ୍ଦ ଲାଭ କରନ୍ତି ଅଜିତ । ଏପଟେ ଏହି ମହିଳା ଜଣଙ୍କ ସୋନପୁର ଜିଲ୍ଲାରୁ ଆସିଛନ୍ତି । ଗତ ୫ ମାସ ତଳେ ତାଙ୍କର ବେକ ପାଖ ହାଡ଼ଟି ଭାଙ୍ଗି ଯାଇଥିଲା ।ଏଠାକୁ ଆସି ଭଲ ହେଇଥିଲେ । ଏବେ ତାଙ୍କ ଝିଅ ଗାଧେଇବାକୁ ଯାଇଥିବାବେଳେ ଗୋଡ଼ ଟି ଖସିଯିବାରୁ ପାଦ ଉପର ହାଡ଼ଟି ଭାଙ୍ଗି ଯାଇଛି । ତେଣୁ ସେ ଝିଅ କୁ ନେଇ ଚିକିତ୍ସା ପାଇଁ ଏଠାକୁ ଆସିଥିବା କହିଛନ୍ତି ।

ବିଜ୍ଞାନ ଯୁଗରେ ଲୋକେ ଆଜି ବି ଚେରମୂଳି ଚିକିତ୍ସା ଉପରେ ନିର୍ଭର କରି ରୋଗୀ ହୋଇପାରୁଛନ୍ତି ସୁସ୍ଥ । ଦେଶୀ କୁକୁଡ଼ା ଅଣ୍ଡା ସାଙ୍ଗକୁ ଗୁଆ ଘିଅରେ ଭାଙ୍ଗି ଯାଇଥିବା ହାଡ଼କୁ ଯୋଡ଼ି ଅନେକ ରୋଗୀଙ୍କୁ ଭଲ କରି ପାରିଛନ୍ତି ଅଜିତ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.