ମୁଣ୍ଡଫଟା ଖରା ସାଙ୍ଗକୁ ଝାଂଜି ପବନ, ସକାଳ ୮ଟା ୩୦ରେ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ବର

ବଢୁଛି ତାତି ଗୁଳୁଗୁଳି । ମୁଣ୍ଡଫଟା ଖରା ସାଙ୍ଗକୁ ଝାଂଜି ପବନରେ ଅସହ୍ୟ ହୋଇପଡୁଛି ଜନଜୀବନ । ଆଜି ସକାଳ ୮ଟା ୩୦ ସୁଦ୍ଧା ୩୫ ଟପିଲାଣି ପାରଦ । ୩୫.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ବର ।

ଭୁବନେଶ୍ୱର (କେନ୍ୟୁଜ): ବଢୁଛି ତାତି ଗୁଳୁଗୁଳି । ମୁଣ୍ଡଫଟା ଖରା ସାଙ୍ଗକୁ ଝାଂଜି ପବନରେ ଅସହ୍ୟ ହୋଇପଡୁଛି ଜନଜୀବନ । ଆଜି ସକାଳ ୮ଟା ୩୦ ସୁଦ୍ଧା ୩୫ ଟପିଲାଣି ପାରଦ । ୩୫.୨ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ବାଲେଶ୍ବର । ପାରାଦୀପରେ ୩୩.୪, ଭୁବନେଶ୍ବରରେ ୩୩.୨ ଓ ଭବାନୀପାଟଣାରେ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରାରେ ଆଂଶିକ ହ୍ରାସ ଘଟିଥିଲେ ମଧ୍ୟ ଗୁଳୁଗୁଳିକୁ କମଇ ପାରିନାହିଁ । ଉତ୍ତରପଶ୍ଚିମ ଓ ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବାହିତ ଶୁଷ୍କ ବାୟୁ ଓ ସୂର୍ଯ୍ୟଙ୍କ ପ୍ରଖର ତେଜରେ ତାପମାତ୍ରା ବୃଦ୍ଧି ପାଇଛି।

ଆଗାମୀ ୨୪ ଘଣ୍ଟା ଯାଏ ପାଗରେ କୌଣସି ପରିବର୍ତ୍ତନ ସମ୍ଭାବନା ନାହିଁ । ଏହା ପରେ କାଳବୈଶାଖୀ ପ୍ରଭାବରେ ଆଗାମୀ ୩ଦିନରେ ଅଧିକାଂଶ ସ୍ଥାନର ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ସମ୍ଭାବନା ରହିଛି । ପରବର୍ତ୍ତୀ ୨ଦିନରେ ଦିନ ତାପମାତ୍ରା ପୁଣି ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଉଷ୍ମ ଓ ଆଦ୍ର ପାଣିପାଗ ନେଇ ଆସନ୍ତା କାଲି ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ୧୫ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୬ ତାରିଖରୁ ପୁଣି ବଢିବ ତାତି । ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକାଂଶ ସ୍ଥାନର ତାପମାତ୍ରା ୪୩ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରୀ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.