Below header

ଚାଲିଗଲେ ଚିତ୍ତ ଚୋରା ‘ଚିତ୍ତ ଜେନା’; ଆକୁଳେ ଝୁରଇ ଶ୍ରୋତା

ମିଠା ମିଠା ସୁଲଳିତ କଣ୍ଠସ୍ବର । ହୃଦୟରୁ ଗାଆନ୍ତି । ଅନେକ ବର୍ଷ ତଳୁ ଅବଶ୍ୟ ବ୍ୟାବସାୟିକ ସଂଗୀତ ଜଗତରୁ ଦୂରେଇ ଯାଇଥିଲେ । ସିଏ ହେଉଛନ୍ତି ନିଜ କଣ୍ଠସ୍ବରରେ ଚିତ୍ତ ଚୋରାଉଥିବା ଚିତ୍ତ ଜେନା । ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ପ୍ରଣବ ପଟ୍ଟନାୟକଙ୍କ ଭଳି ପ୍ରବୀଣ କଣ୍ଠଶିଳ୍ପୀଙ୍କ ଜମାନାରେ ଯୁବ ଗାୟକ ଭାବେ ସତୁରୀ ଦଶକରେ ପ୍ରବେଶ ହୋଇଥିଲା ଚିତ୍ତ ଜେନାଙ୍କର ।

CHITTA JENA-2 ‘ମନ ଆକାଶ’ ଚଳଚ୍ଚିତ୍ରରେ ପ୍ରଶାନ୍ତ ନନ୍ଦଙ୍କ କଣ୍ଠସ୍ବର ହୋଇ ସେ ଗାଇଥିଲେ ‘ଏ ବନ ଝରଣା ନାଚି ନାଚି ଯାଅନା..’ । ତା ପରେ ପାଲଟି ଯାଇଥିଲେ ପ୍ରଶାନ୍ତ ନନ୍ଦଙ୍କ ସବୁ ଦିନର କଣ୍ଠସ୍ବର । ଅନେକ ଫିଲ୍ମରେ ସେ ପ୍ରଶାନ୍ତଙ୍କ ପାଇଁ ଗାଇଛନ୍ତି । ଆଉ ଉଭୟଙ୍କ କଣ୍ଠ ସ୍ବର ଖୁବ୍ ମେଳଖାଏ । ତେଣୁ ଜଣାପଡ଼େ ଯେମିତି ପ୍ରଶାନ୍ତ ନନ୍ଦ ନିଜେ ଗୀତ ଗାଇଛନ୍ତି ବୋଲି ।

ପ୍ରଶାନ୍ତ ନନ୍ଦଙ୍କ ମମତା ଫିଲ୍ମରେ ତାଙ୍କୁ ସୁଯୋଗ ଦେଇଥିଲେ ପ୍ରଫୁଲ୍ଲ କର । ଆଉ ସେ ନିରାଶ କରି ନଥିଲେ । ଦେଖି ସେ ବଣମଲ୍ଲୀ ରାଧା ହେଲେ ବାତୁଳି.. ଗୀତଟି ଖୁବ୍ ସୁମଧୁର ଥିଲା । ସିନ୍ଦୂର ବିନ୍ଦୁରେ ‘ମୋ ପ୍ରିୟା ଠାରୁ କିଏ ଅଧିକ ସୁନ୍ଦର..’ ତାଙ୍କୁ ଆଣି ଦେଇଥିଲା ଖୁବ୍ ଲୋକପ୍ରିୟତା । ପୁଣି ଏହି ଫିଲ୍ମରେ ପଡ଼ିବନି ବନ୍ଧୁ ପଡ଼ିବନି ଥରେ… କବାଲିରେ ବି ସେ ନିଜ ଛାପ ଛାଡ଼ି ଯାଇଥିଲେ । ପୂଜା ଫିଲ୍ମର ଟାଇଟଲ୍ ଗୀତ ‘ପୂଜା କାହିଁ ପୂଜା..’ , ଗୌରୀ ଫିଲ୍ମରେ କି ସୁନ୍ଦର ଆହା କି ଆନନ୍ଦମୟ ଏହି ବିଶାଳ ସଂସାର…, ବନ୍ଧୁ ମହାନ୍ତିରେ କାହିଁଗଲେ ଶ୍ୟାମ ଘନ ଏ ଘନ କାଳରେ.. ଓ ନଯା ସଜନୀ ପାହିନି ରଜନୀ.., ପୂଜା ଫୁଲ ଫିଲ୍ମର ‘ରୂପ ହୋଇଥିବ ଲାବଣ୍ୟବତୀ, ଶେଷ ଶ୍ରାବଣର ସୁପରହିଟ୍ ‘ମାଣିକ ଆଲୋ ଆଲୋ ମାଣିକ…,

CHITTA JENA-3ସାକ୍ଷୀ ଗୋପୀନାଥର ‘ତୁମେ ମୋ ରାଧା…, ସତୀ ଅନସୂୟାରେ ‘ଜୟ ଜୟଦେବ ହରେ..,  ଭଳି ଅନେକ ମଧୁର ଗୀତ ଚିତ୍ତ ଜେନାଙ୍କ କଣ୍ଠରୁ ଝରିଥିଲା । ଯାହା ଶ୍ରୋତା କେବେବି ଭୁଲି ପାରିବେ ନାହିଁ ।

ଅଣଫିଲ୍ମ ଗୀତ ଭିତରେ ‘ନଯାରେ ନଯା ଗୋରୀ ବାଲି ଯାତରା ଦେଖି…, ଏ ପରବତ କୁଞ୍ଚକୁଞ୍ଚିକା.., ଟୋପାଏ ଲୁହରେ ଭସାଇ ଦେବି ତୋ ଦେଉଳ…, ଉଡ଼ିଗଲେ ଗେଣ୍ଡାଳିଆ ଆଦି ବେଶ୍ ହିଟ୍ ହୋଇଥିଲା ।

ଜଣେ ଅତି ଭଦ୍ର ଓ ନମ୍ର ସ୍ବାଭାବର ବ୍ୟକ୍ତି ଥିଲେ । ସେଥିଲାଗି ସମସ୍ତେ ତାଙ୍କୁ ଭଲ ପାଉଥିଲେ । ସେ ପ୍ରଫୁଲ୍ଲ କରଙ୍କ ନିର୍ଦ୍ଦେଶନାରେ ସବୁଠାରୁ ଅଧିକ ଗୀତ ଗାଇଥିଲେ ମଧ୍ୟ ଅନ୍ୟ ସଂଗୀତ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶନାରେ ମଧ୍ୟ ଅନେକ ହିଟ୍ ଗୀତ ଦେଇଛନ୍ତି ।

ଚିତ୍ତ ଜେନାଙ୍କ ପାର୍ଥିବ ଶରୀର ସିନା ସବୁଦିନ ପାଇଁ ଏ ଦୁନିଆରୁ ହଜିଯିବ ହେଲେ ତାଙ୍କ କଣ୍ଠର ସେଇ ଅଭୁଲ ଗୀତ ସବୁ ଚିର ଅମର ହୋଇ ରହିଯିବ ।

ଏଇ ମହାନ୍ କଣ୍ଠଶିଳ୍ପୀଙ୍କୁ କେ ନ୍ୟୁଜ୍ ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।

ହିମାଂଶୁ ପତିମିଶ୍ର

 

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.