Below header

ସ୍ୱପ୍ନାଦେଶ ହେଲା ସତ: ଆପେ ବିରାଜିଲେ ଗଞ୍ଜାମ ଜିଲ୍ଲା ରତ୍ନମଣିପୁର ଗାଁରେ ଗ୍ରାମ ଦେବତୀ

ପ୍ରତି ଗାଁରେ ରହିଛି ଗ୍ରାମଦେବୀଙ୍କ ମନ୍ଦିର। ସେହିପରି ଏକ ଗ୍ରାମ ଦେବତୀଙ୍କ ମନ୍ଦିର ରହିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ରତ୍ନମଣିପୁର ଗାଁରେ। ଏଠାରେ ମା’ ସବୁ ଗାଁ ଲୋକଙ୍କ ଦୁଃଖ ଦୂର କରିଥାନ୍ତି ଅବିଳମ୍ବେ। ମା’ଙ୍କ ନିକଟରେ ଯିଏ ଯାହା ପ୍ରାର୍ଥନା କରେ, ମା’ ତାହା ପୂରଣ କରିଥାନ୍ତି ବୋଲି ବିଶ୍ୱାସ କରନ୍ତି ଗାଁ ଲୋକେ।

କୁହାଯାଏ, ରତ୍ନମଣିପୁର ଗାଁ ହେବା ପରେ ଏଠାରେ ଅନ୍ଯ ମଠ ମନ୍ଦିର ହେଲା କିନ୍ତୁ ଗ୍ରାମ ଦେବତୀଙ୍କ ମନ୍ଦିର ହୋଇ ନ ଥିଲା। ଫଳରେ ଗାଁର କିଛି ଲୋକ ରତନେଇ ପର୍ବତକୁ ଯାଇଥିଲେ ଗ୍ରାମ ଦେବତୀଙ୍କ ସନ୍ଧାନରେ। ସେଠାରେ ଖରାବେଳେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ମା’ଙ୍କର କୌଣସି ସନ୍ଧାନ ମିଳିପାରିନଥିଲା। ଖୋଜି ଖୋଜି ହାଲିଆ ହୋଇଯିବା ପରେ ଗାଁଲୋକେ ଏକ ଗଛ ମୂଳରେ ବିଶ୍ରାମ ନେଇଥିଲେ। ଏହି ସମୟରେ ସେମାନଙ୍କୁ ସ୍ୱପ୍ନାଦେଶ ହୋଇଥିଲା। ସ୍ୱପ୍ନାଦେଶ ମୁତାବକ ଗାଁ ଲୋକେ ସେଠାରୁ ଏକ ପଥର ନେଇ ଆସି ଗ୍ରାମ ଦେବତୀ ବୋଲି ପୂଜା ବିଧି ଆରମ୍ଭ କରିଥିଲେ। ସେବେଠୁ ମା’ ଗାଁରେ ରହି ଆଶିଷ ପ୍ରଦାନ କରୁଛନ୍ତି। ପ୍ରଥମେ ମା’ଙ୍କୁ ଏକ ଲିମ୍ବ ଗଛ ମୂଳରେ ପୂଜା କରାଯାଉଥିଲା। କାଳକ୍ରମେ ଗାଁ ଲୋକଙ୍କ ପ୍ରଚେଷ୍ଟାରେ ଏଠାରେ ଏକ ମନ୍ଦିର ନିର୍ମାଣ କରାଯାଇ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି।

devi2

ବର୍ଷକ ମଧ୍ୟରେ ପଡୁଥିବା ପ୍ରାୟ ସବୁ ପୂଜା ପର୍ବାଣୀ ମା’ଙ୍କ ନିକଟରେ ପାଳିତ ହେଉଥିବା ବେଳେ ଖାସ୍ କରି ମଙ୍ଗଳବାର ଦିନ ବିଶେଷ ପୂଜା ହୋଇଥାଏ। ଏହି ଦିନ ମହିଳାମାନେ ହଳଦୀ ପାଣି, ମୁଆଁ, ମଣ୍ଡା ପିଠା ଓ କ୍ଷୀରି ଧରି ଗାଁ ର ଗ୍ରାମ ଦେବତୀଙ୍କ ନିକଟକୁ ଆସିଥାନ୍ତି। ବିଶ୍ୱାସ ରହିଛି ଚୈତ୍ର ମାସର ମଙ୍ଗଳବାର ଦିନ ମା’ଙ୍କୁ ଏହା ଅର୍ପଣ କଲେ ସେ ଗାଁ ଓ ପରିବାରକୁ ଘଣ୍ଟ ଘୋଡ଼ାଇ ରଖିଥାନ୍ତି। ତେବେ କେବଳ ଏହି ଗୋଟିଏ ଗାଁ ନୁହେଁ, ସବୁ ଗାଁରେ ଗ୍ରାମ ଦେବତୀଙ୍କ ପ୍ରତିଷ୍ଠା ନେଇ ରହିଛି ଭିନ୍ନ ଭିନ୍ନ କିମ୍ବଦନ୍ତୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.