କଟକର ‘ହୀରା ସେଠ୍‌’ ବାହାରିବେ ଦିଲ୍ଲୀ ଯାତ୍ରାରେ, ତିନି ଚକିଆ ସାଇକେଲରେ ଭାରତ ଭ୍ରମଣ କରିବେ ଏହି ଦିବ୍ୟାଙ୍ଗ

କଟକ (କେନ୍ୟୁଜ୍‌) : ମଣିଷ କିଛି ସ୍ୱପ୍ନ ଦେଖେ । ଆଉ ତାକୁ ଯଦି ପୂରଣ କରିବାକୁ ଦୃଢ଼ ସଂକଳ୍ପ ନିଏ ଓ ଠିକଣା ଭାବେ କାମ କରେ ତେବେ ସେହି ସ୍ୱପ୍ନକୁ ପୂରଣ କରିବାରେ ସଫଳ ହୁଏ । ସେଇଥି ଲାଗି ତ କୁହାଯାଏ, ଯେଉଁଠାରେ ଇଚ୍ଛା ଅଛି ସେଠାରେ ରାସ୍ତା ବି ଅଛି। କଟକର ଶେଖ ରେହମାନ, ତିନି ଚକିଆ ସାଇକେଲରେ ଯିବେ ଦିଲ୍ଲୀ। ଇଏ କେବଳ ତାଙ୍କ ଭାବନା ନୁହେଁ, ତାକୁ ସାକାର କରିବାର ସବୁ ପ୍ରସ୍ତୁତି ସାରିଛନ୍ତି । ଆସନ୍ତାକାଲି ରେହମାନ ତାଙ୍କ ତିନି ଚକିଆ ସାଇକେଲରେ ଦିଲ୍ଲୀ ଯାତ୍ରା କରିବେ । ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସରେ ସେ ଏହି ଭାରତ ଭ୍ରମଣ କାର୍ଯ୍ୟକ୍ରମରେ ବାହାରିବେ ।

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉତ୍ସାହିତ ହୋଇଥିବା ଶେଖ ରେହମାନ ଦିବ୍ୟାଙ୍ଗମାନଙ୍କ ପ୍ରସଙ୍ଗ ଓ ଡିସେମ୍ବର ୩କୁ “ବିଶ୍ୱ ଭିନ୍ନକ୍ଷମ ଦିବସ” ପରିବର୍ତ୍ତେ “ବିଶ୍ୱ ଦିବ୍ୟାଙ୍ଗ ଦିବସ” ଭାବେ ପାଳନ କରାଯିବାର ବାର୍ତ୍ତା ନେଇ ରେହମାନ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

REHMAN-5

ଭଗବାନଙ୍କ ଖେଳ ବଡ଼ ବିଚିତ୍ର । କାହାକୁ କେଉଁ ରୂପରେ ଗଢି ତୋଳନ୍ତି, ଆଉ କାହା ସହିତ କେଉଁ ଗୁଣକୁ ଯୋଡ଼ି ଦିଅନ୍ତି କହିବା ମୁସ୍କିଲ । ଏଇ ଯେମିତି କଟକର ଶେଖ ରେହମାନ । ତାଙ୍କ ଘର କଟକର ବାଉଁଶ ଗଳିରେ। ପିଲା ବେଳୁ ସେ ଦିବ୍ୟାଙ୍ଗ ହୋଇ ମଧ୍ୟ କାହାରି ଉପରେ ବୋଝ ପାଲଟି ନାହାନ୍ତି । ବରଂ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । କଟକ ହରିପୁର ଅଂଚଳରେ ଏକ ଗ୍ୟାସ େଓ୍ଵଲଡିଂ ଦୋକାନ କରି ପରିବାର ପୋଷୁଛନ୍ତି । ଶେଖ ରେହମାନଙ୍କୁ ସମସ୍ତେ ପ୍ରିୟରେ ‘ହୀରା ସେଠ୍‌’ ବୋଲି ଡାକନ୍ତି। ନିଜ କାର୍ଯ୍ୟ ଏବଂ ଆଭିମୁଖ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କ ନିକଟରୁ ସମ୍ମାନିତ ଏବଂ ପୁରସ୍କୃତ ହୋଇଛନ୍ତି ରେହମାନ।…. ସେହି ଅଦମ୍ୟ ସାହସୀ ରେହମାନ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସରେ ଦେଶ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଛନ୍ତି।….

ସବୁଠାରୁ ବଡ଼ କଥା ହେଉଛି ରେହମାନ ନିଜେ ଜଣେ କାରିଗର ହୋଇଥିବାରୁ ନିଜ ହାତରେ ଗଢିଥିବା ତିନି ଚକିଆ ସାଇକେଲ୍‌ରେ ସେ କଟକରୁ ଯାତ୍ରା ଆରମ୍ଭ କରି ପ୍ରଥମେ ନବୀନ ନିବାସରେ ପହଞ୍ଚିବେ । ପରେ ସେଠାରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସବୁଜ ପତାକା ଦେଖାଇ ଦିଲ୍ଲୀ ଯାତ୍ରାର ଶୁଭାରମ୍ଭ କରିବେ ବୋଲି ଆଶା ରଖିଛନ୍ତି ରେହମାନ।

ରେହମାନଙ୍କ ଜୀବନ ଖୁବ୍‌ ସଂଘର୍ଷମୟ । ଚାରି ବର୍ଷ ବୟସରୁ ପୋଲିଓରେ ଚଳତଶକ୍ତି ହରାଇଲେ । ସେହି କଅଁଳ ବୟସରୁ ହିଁ ଜୀବନର ସଂଘର୍ଷ ଆରମ୍ଭ ହେଲା । ଯାହା ଏବେବି ଜାରି ରହିଛି । ହେଲେ ଶାରୀରିକ ଅକ୍ଷମତାକୁ ସେ ଖାତିର କରି ନାହାନ୍ତି । ସବୁ ପ୍ରତିବନ୍ଧକକୁ ସାମନା କରି ଲଢ଼େଇ ଜାରି ରଖିଛନ୍ତି । ନିଜେ ତିଆରି କରିଥିବା ଏହି ତିନି ଚକିଆ ସାଇକେଲ୍‌ରେ ୧୨ରୁ ୧୪ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଦିଲ୍ଲୀ ଯାତ୍ରା ପାଇଁ ନିଜ ହାତରେ ମଧ୍ୟ ଏକ ହେଲମେଟ ତିଆରି କରିଛନ୍ତି ରେହମାନ। ଏହି ତିନି ଚକିଆ ସାଇକେଲ୍‌କୁ ତିଆରି କରିବା ପାଇଁ ତାଙ୍କୁ ପାଖାପାଖି ବର୍ଷେ ସମୟ ଲାଗିଛି ।

REHMAN-3

ରେହମାନଙ୍କ ପ୍ରତିଭା ଏତିକିରେ ସୀମିତ ନାହିଁ । ସେ ଏହା ଭିତରେ ଏକ ‘ଟୁ ଇନ ଓ୍ଵାନ୍‌’ ପ୍ରେସର କୁକର ମଧ୍ୟ ତିଆରି କରିଛନ୍ତି । ଯେଉଁଥିରେ ଭାତ ଓ ଡାଲମା ଏକା ସାଥିରେ ହୋଇ ପାରିବ ।

ଅକ୍ଷମତା ଦେହରେ ନୁହେଁ ମନ ଭିତରେ ଥାଏ । ତେଣୁ ମନକୁ ଟାଣ କଲେ ଇଚ୍ଛାଶକ୍ତିକୁ ଦୃଢ଼ କଲେ ଯେକୌଣସି ମଣିଷ ପାହାଡ଼ ବି ଡେଇଁଯିବ । ଏବେ ରେହମାନଙ୍କର ସେହି ଲକ୍ଷ୍ୟ ରହିଛି । ତାଙ୍କର ଏହା ଯାତ୍ରା ସଫଳ ହେଉ, କେନ୍ୟୁଜ୍‌ ତରଫରୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ।