Below header

ଦିନ ମଜୁରିଆର ଭାଗ୍ୟ : ଧାର କଲେ ୨୦୦, ଲଟେରୀ ଉଠିଲା ଦେଢ଼ କୋଟି

ସାରଙ୍ଗପୁର (ପଞ୍ଜାବ) : କଥାରେ ଅଛି ଭଗବାନ ଯେବେ ଦିଅନ୍ତି ଛପର ଫାଡ଼ିକି ଦିଅନ୍ତି । ଏମିତି ଘଟଣା ଘଟିଛି ପଞ୍ଜାବ ସଙ୍ଗରୁର ଜିଲ୍ଲା ଅନ୍ତର୍ଗତ ମାଣ୍ଡବି ଗ୍ରାମରେ । ଏହି ଗାଁର ଜଣେ ଦିନ ମଜୁରିଆଙ୍କ ଭାଗ୍ୟ ବଦଳିଗଲା । ୨୦୦ ଟଙ୍କା ଧାର କରି ଲଟେରୀ ଟିକେଟ୍ କିଣିଥିଲେ । ଉଠିଲା ଦେଢ଼ କୋଟି ଟଙ୍କା । ଇଟାଭାଟିରେ କାମ କରୁଥିବା ଏହି ଦିନ ମଜୁରିଆ ଜଣକ ହେଉଛନ୍ତି ମନୋଜ ସିଂହ । ତାଙ୍କର ପତ୍ନୀ ଓ ୪ଟି ପିଲା ଅଛନ୍ତି । ନିକଟରେ ସେ ପଡ଼ୋଶୀ ଠାରୁ ୨୦୦ ଟଙ୍କା ଧାର କରି ଜୀବନରେ ପ୍ରଥମଥର ଲଟେରୀ ଟିକେଟ୍ କିଣିଥିଲେ । ଭାଗ୍ୟ ସହାୟକ ହେଲା ଓ ବନିଗଲେ କୋଟିପତି । ଏବେ ତାଙ୍କ ଦୁଆରେ ବିଭିନ୍ନ ବ୍ୟାଙ୍କ ଅଧିକାରୀ ଓ ବିଲଡରଙ୍କ ଧାଡ଼ି ଲାଗୁଛି । ମନୋଜଙ୍କୁ ବିଭିନ୍ନ ଲୋଭନୀୟ ଅଫର ଦେଉଛନ୍ତି ।

ଅବଶ୍ୟ ଏତେବଡ଼ ଖୁସି ଭିତରେ ତାଙ୍କର ଦୁଃଖ ହେଉଛି ଆଉ ଟିକେ ଆଗରୁ ଟଙ୍କା ମିଳିଥିଲେ ସେ ନିଜ ବାପାଙ୍କର ଭଲ ଭାବେ ଚିକିତ୍ସା କରି ପାରିଥାନ୍ତେ । ତାଙ୍କ ବାପା ହାୱା ସିଂହ ଶ୍ବାସ ରୋଗରେ ପଡ଼ି କିଛି ମାସ ପୂର୍ବରୁ ପ୍ରାଣ ହରାଇଥିଲେ । ଯାହା କିଛି ସଞ୍ଚୟ କରିଥିଲେ ସେ ସବୁ ବାପାଙ୍କ ଚିକିତ୍ସାରେ ସରି ଯାଇଥିଲା । ତେଣୁ ସେ ଇଟାଭାଟିରେ ଅଧିକ ସମୟ କାମ କରୁଥିଲେ । ଗୋଟିଏ ଇଟା ପକାଇବା ବାବଦରେ ତାଙ୍କୁ ମିଳୁଥିଲା ୫୦ ପଇସା ପାରିଶ୍ରମିକ । ତେଣୁ ଦିନ ଯାକ ଖଟି ସେ ଅତି ବେଶିରେ ୨୫୦ ଟଙ୍କା ରୋଜଗାର କରୁଥିଲେ । ତାଙ୍କର ବଡ଼ଝିଅ ଦ୍ବାଦଶ ଶ୍ରେଣୀ ପାସ୍ କରି ସାରିଛି । ବାପାଙ୍କୁ ସାହାଯ୍ୟ କରିବା ଲାଗି ଚାକିରି ଖୋଜୁଥିଲା । ଏବେ କିନ୍ତୁ ଚାକିରି ଖୋଜା ଛାଡ଼ି ସେ ପୁଣି ପାଠ ପଢ଼ିବାକୁ ସ୍ଥିର କରିଛି । ତାର ଲକ୍ଷ୍ୟ ପାଠ ପଢ଼ି ପୋଲିସ୍ ଚାକିରି କରିବ ।

ମନୋଜ କହିଛନ୍ତି, ସେ ରାଜ୍ୟ ସରକାରଙ୍କ ଦ୍ବାରା ଚାଲୁଥିବା ଲଟେରୀ କିଣିଥିଲେ । ଗତ ଅଗଷ୍ଟ ୩୦ ତାରିଖ ସକାଳେ ଘରେ ଥିବା ବେଳେ ଗାଁର ପୋଷ୍ଟ ଅଫିସର ଜଣେ କର୍ମଚାରୀ ଆସି ତାଙ୍କୁ ଲଟେରୀ ଜିତିଥିବାର ଖବର ଦେଲେ । ସେ ଘରକୁ ଯାଇ ଲଟେରୀ ଟିକେଟ ଆଣି ଡାକ କର୍ମଚାରୀ ଜଣକ ଆଣିଥିବା ଖବରକାଗଜ ସହ ମିଳାଇଥିଲେ । ନମ୍ବର ମିଶିଗଲା । ତା ପରେ ମନୋଜ ଏବଂ ତାଙ୍କ ପତ୍ନୀ ରାଜ କୌର ସ୍ତବଧ ହୋଇଗଲେ । ବିଶ୍ବାସ କରି ପାରିଲେ ନାହିଁ ଏଭଳି କିଛି ହୋଇଛି ବୋଲି ।

ଲଟେରୀ ଟଙ୍କାରେ ମନୋଜ ପ୍ରଥମେ ଏକ ନୂଆ ଘର ତିଆରି କରିବା ସହ ଚାଷ ଜମି କିଣିବେ ବୋଲି କହିଛନ୍ତି । ପରେ ସମ୍ପର୍କୀୟ ଓ ବନ୍ଧୁମାନଙ୍କ ସହିତ ପରାମର୍ଶ କରି ବ୍ୟବସାୟ କରିବେ । ତାଙ୍କ ଦ୍ବିତୀୟ ଝିଅ ନର୍ସ ହେବାକୁ ଚାହୁଁଥିଲା । ଏବେ ତାକୁ ଡାକ୍ତର ଓ ପୁଅକୁ ପାଦ୍ରି କରିବେ ବୋଲି କହିଛନ୍ତି । ମନୋଜ ବାଲ୍ମିକୀ ଦଳିତ ଶ୍ରେଣୀର ଏବଂ ୧୦ ବର୍ଷ ପୂର୍ବେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିଥିଲେ । ହରିଆଣାର ନରୱନ ଜିଲ୍ଲାରେ ତାଙ୍କର ପ୍ରକୃତ ଘର । ତେବେ ବନ୍ୟାରେ ସବୁ ବେଳେ ସେଠାରେ ଫସଲ ନଷ୍ଟ ହେଉଥିବାରୁ ସେମାନେ ମାଣ୍ଡବିକୁ ଚାଲି ଆସିଥିଲେ । ଏଠାରେ ତାଙ୍କର କିଛି ସମ୍ପର୍କୀୟ ରହୁଥିଲେ । ଗ୍ରାମପଞ୍ଚାୟତ ତରଫରୁ ତାଙ୍କୁ କିଛି ଜାଗା ମିଳିଥିଲା । ସେଠାରେ ସେ ଏବେ ରହୁଛନ୍ତି । ମନୋଜ ୧୫ ବର୍ଷ ବୟସରୁ ଦିନ ମଜୁରିଆ ଭାବେ କାମ କରି ଆସୁଥିଲେ । ତେବେ ଅରକ୍ଷିତକୁ ଦଇବ ସାହା ଭଳି ବଦଳି ଯାଇଛି ତାଙ୍କ ଭାଗ୍ୟ । ତାଙ୍କ ଘରକୁ ଲାଗି ଥିବା ଘରେ ମନୋଜଙ୍କ ବଡ଼ ଭାଇ ରହୁଛନ୍ତି । ସେ ମଧ୍ୟ ଜଣେ ଦିନ ମଜୁରିଆ । ତାଙ୍କୁ କିଛି ଆର୍ଥିକ ସହାୟତା ଦେବେ ବୋଲି ମନୋଜଙ୍କ ସ୍ତ୍ରୀ ରାଜ କୌର କହିଛନ୍ତି । ତେବେ ମନୋଜ ଆବଶ୍ୟକ କାଗଜପତ୍ର ଜମା କରି ସାରିଛନ୍ତି । ଆସନ୍ତା ମାସରେ ତାଙ୍କୁ ଲଟେରୀ ଟଙ୍କା ମିଳିଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.