Below header

ସାଧାରଣ ମହିଳାରୁ ପଦ୍ମଶ୍ରୀ ଆୱାର୍ଡ , ପଢନ୍ତୁ ଲେଡି ଟାର୍ଜନ ଯମୁନା ଟୁଡୁଙ୍କ ଯାତ୍ରା

ଜଙ୍ଗଲର ପ୍ରତ୍ୟେକ ଗଛ ତାଙ୍କୁ ଚିହ୍ନନ୍ତି । ଗଛର ପ୍ରତ୍ୟେକଟି ଶାଖା ତାଙ୍କୁ ସଖି ବୋଲି ଭାବନ୍ତି । କାରଣ ସେ ଗଛକୁ ନିଜ ସନ୍ତାନ ଭଳି ସ୍ନେହ କରନ୍ତି । ନାଁ ହେଉଛି ଲେଡି ଟାର୍ଜନ । କାହାକୁ ବି ପଚାରି ନିଅନ୍ତୁ ଲେଡି ଟାର୍ଜନଙ୍କ ବିଷୟରେ । ଉତ୍ତର ଆସିବ ସେ ଆଉ କେହିଁ ନୁହଁନ୍ତି, ସେ ହେଉଛନ୍ତି ଜମୁନା ଟୁଡୁ । ଯିଏ ବୃକ୍ଷକୁ ରକ୍ଷା କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦିଅନ୍ତି । ଆଜି ବି ଜାରି ରହିଛି ଯମୁନାଙ୍କ ଯୁଦ୍ଧ। ଏବେ ପର‌୍ୟ୍ୟାବରଣ ସଂରକ୍ଷଣ ପାଇଁ ଯମୁନାଙ୍କୁ ଚଳିତ ବର୍ଷ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯିବ ।

ତେବେ ଜଣେ ସାଧାରଣ ମହିଳାରୁ ପଦ୍ମଶ୍ରୀ ଆୱାର୍ଡ ପର‌୍ୟ୍ୟନ୍ତ ସହଜ ନଥିଲା ଯମୁନାଙ୍କ ଯାତ୍ରା । ଏଥିପାଇଁ ଅନେକ ମୂଲ୍ୟ ମଧ୍ୟ ଦେବାକୁ ପଡିଛି। ଏହି ସମୟରେ ଅନେକ ସାମାଜିକ ବେଡି ଭାଙ୍ଗିବାକୁ ପଡିଥିଲା । ଲୋକଙ୍କ କଟୁ କଥା ଶୁଣିବାକୁ ପଡିଥିଲା । ଏବଂ ଅନେକ ସମୟରେ କାଠ ମାଫିଆଙ୍କ ସହ ରକ୍ତାକ୍ତ ସଂଘର୍ଷ ମଧ୍ୟ ହୋଇଥିଲା । ହେଲେ ବି ହାରିଯାଇନଥିଲେ ଯମୁନା ।

ଜଣେ ଆଦିବାସୀ ମହିଳା ଓଡିଶାରୁ ବିବାହ କରି ଆସିଥିଲେ ଝାରଖଣ୍ଡ । ଆଉ କିଛି ଦିନ ପରେ ଗାଁ ଏବଂ ସମାଜର ପରମ୍ପରା ଅନୁଯାୟୀ ଜଙ୍ଗଲରୁ କାଠ ସଂଗ୍ରହ କରିବାକୁ ଯାଉଛନ୍ତି । ହେଲେ ସେଠାରେ ଗଛଗୁଡିକୁ କଟା ଯାଉଥିବାର ଦେଖି ଖୁବ୍ ଦୁଃଖିତ ହେଉଛନ୍ତି । ଏହା ପରେ ଗଛକୁ ସୁରକ୍ଷା ଦେବା ପାଇଁ ପ୍ରତିଜ୍ଞା କରୁଛନ୍ତି । କିଛି ଏଭଳି ଭାବରେ ୨୦ ବର୍ଷ ତଳୁ ଝାରଖଣ୍ଡର ମୁଟୁରଖାମରୁ ଏହି ସଂଘର୍ଷ ଆରମ୍ଭ କରିଥିଲେ ଯମୁନା ।

jammuna tuduଶାଶୁ ଘରକୁ ନୂଆ କରି ଆସିଥିବା ବୋହୂ, ଯାହାର ଗୋଡରୁ ଅଳତା ଏବଂ ହାତରୁ ମେହନ୍ଦି ଛାଡିନଥାଏ ସେ ଜଙ୍ଗଲ ରକ୍ଷା କରିବା ବିଷୟରେ କହିବା ଆରମ୍ଭ କଲେ । କିଛି କ୍ଷଣ ମଧ୍ୟରେ ଏହି କଥା ପୁରା ଗାଁରେ ଖେଳିଗଲା । ହେଲେ ସମସ୍ତେ ଯମୁନାଙ୍କୁ ବିରୋଧ କରିବାକୁ ଲାଗିଲେ । କାରଣ ଜଙ୍ଗଲରୁ କାଠ ଆଣି ଜୀବନ ଯାପନ ଯେ ସେମାନଙ୍କ ପରମ୍ପରା । କିନ୍ତୁ ଜଙ୍ଗଲକୁ ରକ୍ଷା କରିବା ପାଇଁ ପ୍ରତିଜ୍ଞା ନେଇ ସାରିଥିବା ଯମୁନା ମଧ୍ୟ ଥିଲେ ନିଜ ଯିଦରେ ଅଟଳ । ତେଣୁ ପ୍ରଥମେ ସେ ନିଜ ଆଖପାଖ ମହିଳାଙ୍କୁ ଜଙ୍ଗଲ ରକ୍ଷା କରିବା ପାଇଁ ପ୍ରେରିତ କରିବାକୁ ଲାଗିଲେ । ଏହାର ଲାଭ ସେମାନଙ୍କୁ ବୁଝାଇବାକୁ ଲାଗିଲେ । ଅନେକ ପରିଶ୍ରମ ପରେ ଗାଁର ଦୁଇ ଜଣ ମହିଳା ଯମୁନାଙ୍କ ଏହି ଅଭିଯାନରେ ସାମିଲ ହେବା ପାଇଁ ପ୍ରସ୍ତୁତ ହୋଇଥିଲେ ।

ଏହା ପରେ ଆରମ୍ଭ ହେଲା ଯମୁନାଙ୍କ ଯୁଦ୍ଧ । ଘରର କାମ ସାରି ହାତରେ ପାଣିର ବୋତଲ, ଏକ ଠେଙ୍ଗା ଏବଂ ଟଙ୍ଗିଆ ଧରି ଚାଲି ଯାଆନ୍ତି ଜଙ୍ଗଲକୁ । ଏବଂ ଜଙ୍ଗଲ ମାଫିଆ ବିରୋଧରେ ଧାରଣ କରିନିଅନ୍ତି ରଣଚଣ୍ଡି ରୂପ । ସମୟ ସହ ଗାଁର ସମସ୍ତ ମହିଳା, ପୁରୁଷ ଏବଂ ଛୋଟ ପିଲା ମଧ୍ୟ ଯମୁନାଙ୍କ ଏହି ଅଭିଯାନରେ ହୁଅନ୍ତି ସାମିଲ୍ ।

ଜଙ୍ଗଲରେ ଥିବା ଗଛରେ ରାକ୍ଷୀ ବାନ୍ଧି ସେମାନଙ୍କୁ ରକ୍ଷା କରିବା କାମ କରନ୍ତି ଯମୁନା ଏବଂ ତାଙ୍କ ଟିମ୍ । ଗୋଟିଏ ଟିମ୍ ସକାଳୁ ଦ୍ବିପହର ଯାଏଁ ଜଙ୍ଗଲରେ ରହିବା ବେଳେ ଆଉ ଗୋଟିଏ ଟିମ୍ ରହେ ଦ୍ବିପହରରୁ ରାତି ଯାଏ । ଏବଂ ୩ୟ ଟିମ୍ ରାତିରୁ ସକାଳ ଯାଏଁ ଜଙ୍ଗଲକୁ କରିଥାନ୍ତି ରକ୍ଷା ।

ଝିଅ ଜନ୍ମ ହେଲେ ହୁଏ ବୃକ୍ଷ ରୋପଣ :

jamuna tuduଗାଁରେ କୌଣସି ପରିବାରେ ଝିଅ ଜନ୍ମ ହେଲେ ବୃକ୍ଷ ରୋପଣ କରିଥାନ୍ତି ଗ୍ରାମବାସୀ । ଝିଅ ଜନ୍ମ ହେଲେ ୧୮ଟି ଗଛ ଏବଂ ବିବାହ କଲେ ୧୦ଟି ଗଛ ରୋପଣ କରାଯାଇଥାଏ । ଆଉ ରାକ୍ଷୀ ପୂର୍ଣ୍ଣମୀ ଦିନ ସମସ୍ତ ଗ୍ରାମବାସୀ ଜଙ୍ଗଲରେ ଥିବା ସବୁ ଗଛରେ ରାକ୍ଷୀ ବାନ୍ଧିବା ସହ ରକ୍ଷା କରିବା ପାଇଁ ଶପଥ ନେଇଥାନ୍ତି ।

୨୦୧୩ରେ ଯମୁନାଙ୍କୁ ଫିଲିପ୍ସ ବ୍ରେଭରୀ ଆୱାର୍ଡରେ ସମ୍ମାନିତ କରାଯାଇଛି । ୨୦୧୪ରେ ନାରୀ ଶକ୍ତି ଆୱାର୍ଡ ମଧ୍ୟ ପାଇସାରିଛନ୍ତି । ୨୦୧୬ରେ ରାଷ୍ଟ୍ରପତିଙ୍କ ଦ୍ବାରା ଦେଶର ପ୍ରଥମ ୧୦୦ ମହିଳାଙ୍କ ମଧ୍ୟରେ ଯମୁନାଙ୍କୁ ସାମିଲ୍ କରାଯିବା ସହ ରାଷ୍ଟ୍ରପତି ଭବନରେ ସମ୍ମାନିତ ମଧ୍ୟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.