Below header

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କ ନକଲି ଭିଡିଓ ମାମଲା: ୨ ଜଣଙ୍କୁ ଗିରଫ କଲା ଅହମ୍ମଦାବାଦ ପୋଲିସ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନକଲି ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ମାମଲାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅହମ୍ମଦାବାଦ ସାଇବର କ୍ରାଇମ ଟିମ୍‌ ୨ ଜଣଙ୍କୁ ଗିରଫ କରିଛି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନକଲି ଭିଡିଓ ସୋସିଆଲ ମିଡିଆରେ ସେୟାର କରିବା ମାମଲାରେ ପୋଲିସ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅହମ୍ମଦାବାଦ ସାଇବର କ୍ରାଇମ ଟିମ୍‌ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଅଭିଯୁକ୍ତ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ସହ ଜଡିତ । ଗୃହମନ୍ତ୍ରୀଙ୍କର ଦୁଇଟି ସଭାର ଭିଡିଓକୁ ଏଡିଟ୍‌ କରି ଏହାକୁ ଭାଇରାଲ କରାଯାଇଥିଲା ।

ଗିରଫ ଦୁଇ ଅଭିଯୁକ୍ତଙ୍କ ନାମ ସତୀଶ ଭନସୋଲା ଓ ଆର୍‌.ବି. ବାରିଆ । ସତୀଶ କଂଗ୍ରେସର ଜଣେ ବିଧାୟକଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ପରିଚାଳନା କରୁଥିବା ବେଳେ ଆର୍‌.ବି. ବାରିଆ ହେଉଛନ୍ତି ଆମ୍ ଆଦମୀ ପାର୍ଟିର ଦାହୋଦ ଜିଲ୍ଲା ମୁଖ୍ୟ । ଦୁହେଁ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ କରିଥିଲେ ।

କହି ରଖୁଛୁ ଯେ ଏହି ମାମଲାରେ ଦିଲ୍ଲୀ ପୋଲିସ ତ୍ୱରିତ ପଦକ୍ଷେପ ଗ୍ରହଣ କରି ଅନେକ ରାଜ୍ୟରେ ଏହାର ଯାଞ୍ଚ କରୁଛି । ଦିଲ୍ଲୀ ପୋଲିସ ସୂତ୍ର ମୁତାବକ, ଏଡିଟେଡ୍‌ ଭିଡିଓର ଯାଞ୍ଚ କରିବା ପାଇଁ ଦିଲ୍ଲୀ ପୋଲିସର ବିଭିନ୍ନ ଟିମ୍‌କୁ ଝାଡ଼ଖଣ୍ଡ, ରାଜସ୍ଥାନ, ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା ଏବଂ ନାଗାଲାଣ୍ଡକୁ ପଠାଯାଇଛି ।

ନକଲି ଭିଡିଓ ମାମଲାରେ ପୋଲିସ ତେଲଙ୍ଗାନା ସିଏମ୍‌ ରେଭନ୍ତ ରେଡ୍ଡୀଙ୍କୁ ମଧ୍ୟ ତଲବ କରିଛି । ମେ’ ୧ରେ ତାଙ୍କୁ ହାଜର ହେବା ପାଇଁ କୁହାଯାଇଛି । ୟୁପିରେ ସମାଜବାଦୀ ପାର୍ଟିର ଜଣେ ଲୋକସଭା ପ୍ରାର୍ଥୀଙ୍କୁ ନୋଟିସ କରାଯାଇ ତାଙ୍କୁ ପଚରାଉଚରା ପାଇଁ ଡକାଯାଇଛି । ଏହିପରି ଝାଡ଼ଖଣ୍ଡର ଜଣେ କଂଗ୍ରେସ ନେତାଙ୍କୁ ନୋଟିସ ମିଳିଛି । ପଚରାଉଚରା ପାଇଁ ତାଙ୍କୁ ଦିଲ୍ଲୀ ଡକାଯାଇଛି । ନାଗାଲାଣ୍ଡର କଂଗ୍ରେସ ନେତାଙ୍କୁ ମଧ୍ୟ ନୋଟିସ ପଠାଯାଇଛି ।

ସମସ୍ତଙ୍କୁ ନିଜ ମୋବାଇଲ୍ ଫୋନ୍‌ ସାଥୀରେ ଆଣିବାକୁ କୁହାଯାଇଛି । ସୂଚନା ମୁତାବକ, ତେଲଙ୍ଗାନା ସିଏମ୍‌ଙ୍କ ସମେତ ୬ ଜଣଙ୍କୁ ଦିଲ୍ଲୀ ପୋଲିସ ପଚରାଉଚରା ପାଇଁ ଡକାଇଛି । ଏଡିଟେଡ୍‌ ଭିଡିଓ ମାମଲାରେ ଅନେକ ରାଜ୍ୟର ଲୋକ ଜଡିତ ଅଛନ୍ତି ।

କହି ରଖୁଛୁ, ଗୃହ ମନ୍ତ୍ରଣାଳୟ ଏବଂ ବିଜେପିର ଅଭିଯୋଗ ପରେ ଦିଲ୍ଲୀ ପୋଲିସ ଏ ସମ୍ବନ୍ଧରେ ମାମଲା ରୁଜୁ କରିଥିଲା । ସ୍ପେଶାଲ୍ ସେଲ୍ ଆଇପିସିର ବିଭିନ୍ନ ଧାରା ଏବଂ ଆଇଟି ଆକ୍ଟର ନିୟମ ଅନୁଯାୟୀ ଏଫ୍‌ଆଇଆର୍‌ ପଞ୍ଜିକୃତ କରିଥିଲା । ସୂଚନା ଯୋଗ୍ୟ ଯେ ଲୋକସଭା ନିର୍ବାଚନ ଭିତରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଭାଷଣର ଏକ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ୍‌ ମାଲବୀୟ ଏହି ଭିଡିଓକୁ ନେଇ ତେଲେଙ୍ଗାନା କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ । ସେ ‘X’ରେ ଏ ନେଇ ଏକ ପୋଷ୍ଟ କରିଥିଲେ । ଏଥିରେ ସେ ଲେଖିଥିଲେ, ‘ତେଲେଙ୍ଗାନା କଂଗ୍ରେସ ସୋସିଆଲ ମିଡିଆରେ ଏକ ଏଡିଟେଡ୍‌ ଭିଡିଓ ସେୟାର କରିଛି । ଏହା ସମ୍ପୂର୍ଣ୍ଣ ନକଲି ଏବଂ ଏହାଦ୍ୱାରା ହିଂସା ହେବାର ସମ୍ଭାବନା ରହିଛି’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.