Below header

ଅବଦୁଲଙ୍କୁ ଝୁରୁଛି ଲାର ସାହି: ବନ୍ଧ ଦେଇ ବଦଳାଇଥିଲେ ଝରଣାର ଗତିପଥ, ଆଜି ସବୁଜ କ୍ଷେତରେ ହସୁଛି ସାରା ପରିବେଶ

ବାଂଶପାଳ: ବଣ ପାହାଡ଼ ଘେରା କେନ୍ଦୁଝର ଜିଲ୍ଲା ଆଦିବାସୀ ବହୁଳ ବାଂଶପାଳ ବ୍ଲକ ଅଧିନସ୍ଥ ସିଂପୁର ପଞ୍ଚାୟତ ଲାରସାହି । ଏହି ସାହିର ବାସିନ୍ଦା ଥିଲେ , ଆଦିବାସୀ ଭୂୟାଁ ସ୍ବର୍ଗତ ଅବଦୁଲ ନାଏକ । ଯିଏକି ୫ବର୍ଷ ନିଜର ଅଦମ୍ଯ ଚେଷ୍ଟା କରି ଝରଣାର ଗତି ପଥ ବଦଳାଇ ପାହାଡ଼ ଶୀର୍ଷରେ ରହିଥିବା ଲାର ସାହିକୁ ପାଣି ପହଞ୍ଚେଇ ପାରିଥିଲେ। ଯାହା ପାଇଁ ଆଜି ଶସ୍ୟ ଶ୍ଯାମଳାରେ ପରିପୂର୍ଣ୍ଣ ହୋଇପାରିଛି ଏଠାକାର ଟାଙ୍ଗରା ଭୂଇଁ।

banshapalଚଳିତ ବର୍ଷ ସେଠାରେ ପ୍ରାୟ ୩୦ ଏକର ଧାନ ଚାଷ କରାଯାଇଛି। ନିଅଣ୍ଟିଆ ବର୍ଷା ଯୋଗୁଁ ଝରଣା ଜଳ ସ୍ରୋତ ହ୍ରାସ ପାଉଥିବା ବେଳେ ଅବଦୁଲଙ୍କ ଦ୍ଵାରା ନିର୍ମିତ କେନାଲ ଦୁର୍ବଳ ହୋଇ ଅନ୍ୟ ଆଡେ ପାଣି ଗଳିଯାଉଛି । ଯାହାର ମରାମତିରେ ଲାଗିପଡିଛନ୍ତି ତାଙ୍କ ନାତି ଓ ଅଣନାତି ମାନେ। ଅବୁଦୁଲଙ୍କ ୬୫ ବର୍ଷିଆ ନାତି କାଳିଆ ନାଏକଙ୍କ କହିବା କଥା, କୌଣସି କାରଣରୁ ନିଜ ପୁଅ ପଠାଣି ଏବଂ ବୋହୁକୁ ଧରି ନିଜ ମୂଳ ଗାଁ ଡେରିରୁ ଜଙ୍ଗଲ ମଧ୍ୟରେ ରହିଥିବା ଲାର ସାହିକୁ ଚାଲି ଚାଲି ଆସିଥିଲେ ଅବଦୁଲ । ବଞ୍ଚିବା ପାଇଁ ଜୀବିକା ଅନିର୍ବାଯ୍ୟ ହୋଇପଡିଥିବାବେଳେ ଗାଈ ମଇଁଷି ଛେଳି ପାଳନ କରିବା ସହ ଚାଷ କରି ପରିବାର ପ୍ରତିପୋଷଣ କରିବା ପାଇଁ ମନ ବଳେଇଥିଲେ ।

ହେଲେ ପାହାଡ଼ ଶୀର୍ଷରେ ଥିବା ଟାଙ୍ଗରା ଭୁଇଁ ରହିଥିବାରୁ ତାଙ୍କ ଚାଷ ଆଶା ମଉଳି ଯାଇଥିଲା। ଦିନେ ଛେଳି ଚରେଇ ବାକୁ ଯାଇଥିବା ବେଳେ ଗାଁ ନିକଟରେ ଥିବା ଗୋଠ ଟାଙ୍ଗର ଏବଂ ବାଲିପାଣି ପାହାଡ଼ ମଧ୍ୟ ଭାଗରୁ ଉତ୍ପନ୍ନ ଝରଣା ପାଣି ବାନ୍ଧିଘର ନାମକ ଏକ ନାଳକୁ ବହି ଯାଉଥିବା ର ଦେଖିବାକୁ ପାଇଥିଲେ ଅବଦୁଲ । ଉକ୍ତ ପାଣିକୁ ଘର ପାଖକୁ ଆଣି ବିଲ ପ୍ରସ୍ତୁତ କରିବା ପାଇଁ ମନେ ମନେ ଚିନ୍ତା କରିଥିବା ବେଳେ ପୁଅ ପଠାଣି ସହିତ ପାଟି ମୁଣ୍ଡ ନିକଟରେ ଝରଣା ର ଗତି ପଥ କୁ ଅଟକାଇ ଘର ପାଖକୁ ଆଣିବା ପାଇଁ ଯୋଜନା କଲେ ।

cenalଅବଦୁଲଙ୍କ ପୁଅକୁ ସେତେ ବେଳେ ୨୨ ବର୍ଷ ହୋଇଥାଏ । ବାପ ପୁଅ କୋଡ଼ି କୋଦାଲ ଏବଂ ଶାବଳ ସାହାଯ୍ୟରେ ମାଟି ବୋହି ଝରଣା ଆଡ଼ି ବନ୍ଧ ପକାଇ ଦୀର୍ଘ ତିନି କିମି ପାହାଡ଼ କାଟି ଧୀରେ ଧୀରେ କେନାଲ ଖୋଳି ଘର ଆଡ଼କୁ କେନାଲ ମଡେଇବା ଆରମ୍ଭ କରିଥିଲେ। ୫ବର୍ଷ ପର୍ଯ୍ୟନ୍ତ ଅକ୍ଲାନ୍ତ ପରିଶ୍ରମ କରିବା ପରେ ଶେଷରେ ୩ କିମି ଦୂରରୁ ପାଣି ପହଁଚି ପାରିଥିଲା । ପଣ୍ଡା ଏବଂ ବଳଦ ହଳ ସହାୟତା ରେ ଚାଷ ଜମି ପ୍ରସ୍ତୁତ କରିବା ସହ ଜମି ରେ ଝରଣା ପାଣି ମଡ଼ାଇ ଧାନ ଚାଷ ଆରମ୍ଭ କଲେ । ହେଲେ ଧାନ ଆମଳ ପର୍ଯ୍ୟନ୍ତ ବଂଚିନଥିଲେ ଅବଦୁଲ । ଏହାପରେ ପଠାଣି ଏବଂ ତାଙ୍କର ପାଞ୍ଚ ପୁଅ ଉକ୍ତ ଜମିର ଉନ୍ନତି କରିବା ସହ ଜୀବିକା ନିର୍ବାହ କରୁଛନ୍ତି । ଏବେ ଏମାନେ ବି ଚାଷ କରିପାରୁଛନ୍ତି । ଏବେ ଏହି ଗାଁରେ ଭୂୟାଁ ଓ ମୁଣ୍ଡା ସମ୍ପ୍ରଦାୟର ୩୦ ଟି ପରିବାର ବସ ବାସ କରୁଛନ୍ତି। ଆଜି ଅବୁଦୁଲ ନାହାନ୍ତି ସତ, ହେଲେ ତାଙ୍କ ଅବଦାନ ଯୋଗୁଁ ଗାଁ ରେ ଆଜି ପାଣି ପହଁଚି ପାରିଛି। ଆବଦୁଲଙ୍କ ଏହି ଲୋକାଭିମୁଖ କାର୍ଯ୍ଯ ପାଇଁ ଆଜି ବି ସେ ଅମର ହୋଇ ରହିଛନ୍ତି ଏହି ଗାଁ ଲୋକଙ୍କ ପାଇଁ ।

ବାଂଶପାଳରୁ ଦୀପକ ବେହେରାଙ୍କ ରିପୋର୍ଟ,କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.