Below header

ମୁଢି କରାଇଲା ବାପା ପୁଅଙ୍କ ଭେଟ : ଶେଷରେ ନିଖୋଜ ହେବାର ସାତବର୍ଷ ପରେ ଘରକୁ ଫେରିଲେ ବୃଦ୍ଧ

ଶେଷରେ ଘରକୁ ଫେରିଲେ ହଜିଲା ବାପା । ନିଖୋଜ ହେବାର ସାତବର୍ଷ ପରେ ଶେଷରେ ପୁଣି ଥରେ ବାପା-ପୁଅଙ୍କ ଭେଟ ହୋଇଛି । ଆଉ ଏହି ଭେଟ କରାଇଛି ମୁଢି । ଯାହାକୁ ନେଇ ପରିବାର ସମେତ ପୁରା ଗାଁରେ ଖୁସିର ମାହୋଲ ।

ସୁବର୍ଣ୍ଣପୁର(କେନ୍ୟୁଜ):  ଶେଷରେ ଘରକୁ ଫେରିଲେ ହଜିଲା ବାପା । ନିଖୋଜ ହେବାର ସାତବର୍ଷ ପରେ ଶେଷରେ ପୁଣି ଥରେ ବାପା-ପୁଅଙ୍କ ଭେଟ ହୋଇଛି । ଆଉ ଏହି ଭେଟ କରାଇଛି ମୁଢି । ଯାହାକୁ ନେଇ ପରିବାର ସମେତ ପୁରା ଗାଁରେ ଖୁସିର ମାହୋଲ । ସେଦିନ ଥିଲା ୭ ଫେବୃଆରୀ ୨୦୨୪ । କିଟି କିଟି ଅନ୍ଧାର ସାଙ୍ଗକୁ ପାୱାର କଟ୍ ହୋଇଥିଲା । ଝିପି ଝିପି ବର୍ଷା ବି ଲାଗି ରହିଥିଲା । ତେବେ କିଛି ଖାଇବାକୁ ନପାଇ ସେଦିନ ରାଜ କିଶୋରଙ୍କ ଘରକୁ ଯାଇ ମୁଢି ଖାଇବାକୁ ମାଗିଥିଲେ ଜଣେ ଅସହାୟ ବୃଦ୍ଧ । ବୃଦ୍ଧଙ୍କ ସହ ଗପୁ ଗପୁ ତାଙ୍କର ପୁରା କାହାଣୀ ପଚାରି ବୁଝିଥିଲେ ରାଜ କିଶୋର । ଆଉ ତା ସାଙ୍ଗକୁ ମୁଢି ବି ଖାଇବାକୁ ଦେଇଥିଲେ । ଯାହାପରେ ଅସହାୟକୁ ଦଇବ ସାହା ପରି ବାପ ପୁଅର ମିଳନ କରାଇ ଦେଇଥିଲେ ରାଜ କିଶୋର । ଯାହାକୁ ନେଇ ଏବେ ପୁରା ପରିବାରରେ ଖୁସିର ମାହୋଲ।

କାରଣ ନିଖୋଜ ହେବାର ସାତବର୍ଷ ପରେ ଏବେ ଘରକୁ ଫେରିଛି ହଜିଲା ବାପା । ଏ ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବିଶିପଡା ପଂଚାୟତ ଅନ୍ତର୍ଗତ ଗୋପାଳପୁର ଗାଁର ଲକ୍ଷପତି ଭରାସାଗରଙ୍କ କଥା । ଲକ୍ଷପତି ଆଜିକୁ ସାତବର୍ଷ ହେଲା ମାନସିକ ଭାରସାମ୍ୟ ହରାଇ ଘରୁ କୁଆଡେ ପଳାଇ ଯାଇଥିଲେ । ପରିବାର ଓ ଗ୍ରାମବାସୀ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ପାଇନଥିଲେ । ତେଣୁ ସେ ଜୀବିତ ଥିବା ଆଶା ଛାଡିଦେଇଥିଲେ ପରିବାର ଲୋକ । ହେଲେ ହଠାତ୍ ଯାଜପୁର ଜିଲ୍ଲା ଯମୁନା ଗାଁରେ ଲକ୍ଷପତି ଭରାସାଗର ଥିବା ଖବର ପାଇ ଗତକାଲି ତାଙ୍କୁ ପରିବାର ଲୋକ ଉଦ୍ଧାର କରି ଘରକୁ ଆଣିଛନ୍ତି । ଯାହା ଫଳରେ ଗାଁରେ ଏବେ ଖୁସିର ମାହୋଲ । ଦୀର୍ଘ ସାତବର୍ଷ ପରେ ଲକ୍ଷପତି ପୁଣିଥରେ ଜୀବନ ନେଇ ଘରକୁ ଫେରିଥିବାରୁ ତାଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଜମୁଛି ।

ଲକ୍ଷପତି ଦୀର୍ଘ ସାତବର୍ଷ ହେଲା ବୁଲିବୁଲି ଗତ କିଛିଦନ ହେଲା ଜମୁନା ଗାଁରେ ପହଂଚିଥିଲେ । ଏକ ଗଛମୂଳେ ରହୁଥିଲେ । ତେବେ ଦୁଇଦିନ ତଳେ ଗାଁର ରାଜକିଶୋର ମହାପାତ୍ରଙ୍କ ଘରକୁ ଯାଇ ମୁଢି ଖାଇବାକୁ ମାଗିଥିଲେ । ତେବେ ସେତେବେଳେ ରାଜକିଶୋର ଲକ୍ଷାପତିଙ୍କ ସମ୍ପର୍କରେ ପଚାରି ବୁଝିଥିଲେ । ତାଙ୍କଠାରୁ ତାଙ୍କ ଠିକଣା ଜାଣିବା ପରେ ବହୁ ଖୋଜାଖୋଜି କରି ସେ ତାଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲେ। ଏବେ ତାଙ୍କ ସହଯୋଗରେ ଲକ୍ଷପତି ନିଜ ପରିବାର ପାଖକୁ ପୁଣିଥରେ ଫେରିଆସିଛନ୍ତି।

ଲକ୍ଷପତିଙ୍କ ଗୋଡରେ ଆଘାତ ହୋଇଛି । ସେ ଠିକ୍ ଭାବରେ ଚାଲିପାରୁ ନାହାନ୍ତି । ଗୋଡର ୪ଟି ଆଙ୍ଗୁଳି ମଧ୍ୟ ନାହିଁ । ଗୋଡରୁ ସବୁ ବେଳେ ପୁଜ ରକ୍ତ ବାହାରୁଛି । ତେବେ ଲକ୍ଷପତିଙ୍କ ପୁଅ ଶିବ ଗରିବ ହୋଇଥିବାରୁ ଏବେ ଲକ୍ଷପତିଙ୍କ ଚିକିତ୍ସା କରାଇବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ। ଏଣୁ ସରକାରୀ ଭାବେ ସହାୟତା ସହ ଲକ୍ଷାପତିଙ୍କ ପାଇଁ ଭତ୍ତା ଓ ମୁଣ୍ଡ ଗୁଂଜିବାକୁ ସରକାରୀ ଭାବେ ଆବାସ ଟିଏ ଯୋଗାଇ ଦେବାକୁ ଦାବି ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.