Below header

ସରକାରୀ ଚାକିରୀ ଛାଡି ପାଲଟିଛନ୍ତି ଜୋକର, ଶିଶୁଙ୍କୁ ହସାଇବା କାମରେ ଲାଗିପଡିଛନ୍ତି ଶୀତଲ

ସରକାରୀ ଚାକିରୀ ଛାଡି ଲାଗିଛନ୍ତି ଶିଶୁଙ୍କୁ ହସାଇବା କାମରେ । ଲୋକ ଅଛନ୍ତି ନିଜ ଖୁସି ପାଇଁ ଘର ଲୋକଙ୍କୁ ବି ପର କରି ଦିଅନ୍ତି । ହେଲେ ଦିଲ୍ଲୀର ଶୀତଲ ଅଗ୍ରଓ୍ଵାଲ ଏମିତି ଜଣେ ଯୁବତୀ, ଯିଏ ରୋଗରେ ପୀଡ଼ିତ ଶିଶୁଙ୍କ ଖୁସି ପାଇଁ କେବଳ ଚାକିରି ଛାଡି ନାହାନ୍ତି, ତାଙ୍କ ପାଇଁ ସଂଘର୍ଷ ବି କରୁଛନ୍ତି । ଏକ କ୍ଲାଉନସେଲର ବା ଜୋକର୍ ଗ୍ରୁପ କରି ବିଭିନ୍ନ ଡାକ୍ତରଖାନା ବୁଲି, ରୋଗଗ୍ରସ୍ତ ଶିଶୁଙ୍କ ମୁହଁରେ ହସ ଫୁଟାଉଛନ୍ତି ।

sheetal agrawal 2

ଜୋକର ବା ଉପହାସକ । ଏମାନଙ୍କୁ ଆପଣ କୌଣସି ସରକସ କି ଡ୍ରାମା ଥିଏଟରରେ ଦେଖିଥିବେ । ରଙ୍ଗ ବେରଙ୍ଗର ଚେହେରା ଓ ପୋଷାକ ତ ସେହିଭଳି । ହେଲେ ଏହା ତ କୌଣସି ସରକସ ନୁହେଁ । ଏହା ତ ଏକ ହସ୍ପିଟାଲ୍ । ଦିଲ୍ଲୀର ଚାଚା ନେହେରୁ ହସ୍ପିଟାଲ । ଯେଉଁଠି ସବୁ ଶନିବାର୍ କିଛି ଖାସ ଦେଖିବାକୁ ମିଳେ । ଚାଚା ନେହେରୁ ହସ୍ପିଟାଲରେ ଭର୍ତ୍ତି ଓ ଚିକିତ୍ସା ପାଇଁ ଆସିଥିବା ଶିଶୁଙ୍କୁ ହସେଇବା ତଥା ତାଙ୍କ ଯନ୍ତ୍ରଣା ଲାଘବ କରିବାକୁ ସବୁ ଶନିବାର ଏଠାରେ ପହଞ୍ଚିଥାଏ ଏକ କ୍ଲାଉନସେଲର ଗ୍ରୁପ । ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏହିମାନେ ପ୍ରକୃତରେ କିଏ । ଆଉ ଏହାଙ୍କ କାମ ହସ୍ପିଟାଲରେ କଣ ।

sheetal agrawal

କହିବାକୁ ଗଲେ ଏହି ଯୁବଗୋଷ୍ଠୀ ମେଡିକାଲ କ୍ଲାଉନିଂ କରିଥାନ୍ତି । ସାଧାରଣ ଭାଷାରେ କୌଣସି ବ୍ୟକ୍ତିଙ୍କୁ କିଛି ହସର ଡୋଜ୍ ଦେଇ ତାକୁ ଖୁସି କରାଇବାକୁ କ୍ଲାଉନିଂ କୁହାଯାଏ । ଯେମିତି କିଛି ସମୟ ପାଇଁ ହେଉନା କାହିଁକି ଶିଶୁଟି ତା ଦରଦକୁ ଭୁଲି ଯିବ ଆଉ ଖୁସିରେ ରହିବ ।

ପ୍ରତ୍ୟେକ ଶନିବାର ଏହି କ୍ଲାଉନସେଲର୍ ରଙ୍ଗିନ ପୋଷାକ, ମୁହଁରେ ବିଭିନ୍ନ ରଙ୍ଗ ବୋଳି ପହଞ୍ଚିଯାଆନ୍ତି ଦିଲ୍ଲୀର ଚାଚା ନେହେରୁ ହସ୍ପିଟାଲରେ । ସେଠି ଓ୍ଵାର୍ଡ ଓ୍ଵାର୍ଡ ବୁଲି, ନାଚି ଗାଇ, ବିଭିନ୍ନ ଅଙ୍ଗଭଙ୍ଗି କରି ପିଲାଙ୍କୁ ହସାନ୍ତି । ଶିଶୁଙ୍କ ଧ୍ୟାନ ଆକର୍ଷଣ କରିବା ସହ ତାଙ୍କ ବାପାମାଙ୍କୁ ବି ଆଶ୍ୱସ୍ତ କରିବାକୁ ଚେଷ୍ଟା କରନ୍ତି । ଯେମିତି ସେମାନେ ତାଙ୍କ ପିଲାଙ୍କ ପାଇଁ ଚିନ୍ତିତ ନହେବେ ।

sheetal agrawal 1

ଏହି କ୍ଲାଉନ ସେଲର ଗ୍ରୁପଙ୍କ ଦାୟିତ୍ୱ ନେଇଛନ୍ତି ଶୀତଲ ଅଗ୍ରଓ୍ଵାଲ । ଯିଏ ଏକ ମେଡିକାଲ କ୍ଲାଉନ୍ । ଶୀତଲ ପ୍ରଥମରୁ ଏକ ସରକାରୀ ଚାକିରି କରୁଥିଲେ । ହେଲେ ଏହି ଚାକିରୀ ତାଙ୍କୁ ମାନସିକ ଶାନ୍ତି ଦେଇ ପାରିନଥିଲା । ସେ ଚାହିଁଥିଲେ କିଛି ଅଲଗା କରିବାକୁ । ସେ ଚାକିରି ଛାଡିଦେଲେ । ୨୦୧୬ ଜାନୁଆରୀରେ ୩୦ ବର୍ଷୀୟା ଶୀତଲ ଭଦୋଦରାର ଜଣେ ମେଡିକାଲ କ୍ଲାଉନ, ଧର ପଟେଲଙ୍କୁ ଭେଟିଥିଲେ । ଆଉ ତାଙ୍କଠୁ ପ୍ରେରଣା ପାଇ ଦିଲ୍ଲୀର କିଛି ଯୁବକଙ୍କୁ ନେଇ ନିଜେ ଏକ କ୍ଲାଉନିଂ ଗ୍ରୁପ ଗଢିଲେ । ପ୍ରାୟ ୧୫ ଜଣ ଭଲ୍ୟୁଣ୍ଟିୟରଙ୍କୁ ନେଇ ଆରମ୍ଭ କଲେ ନିଜର ପ୍ରଥମ ଓ୍ଵାର୍କସପ୍ । ଆଉ ସେବେଠୁ ଏହି ଧାରା ଚାଲି ଆସିଛି ।

smile councelling3

ଶୀତଲ ଓ ତାଙ୍କ ଟିମର ଏହି ପ୍ରୟାସ ଥାଏ ଯେମିତି ସେମାନେ ରୋଗାଗ୍ରସ୍ତ ଶିଶୁ, ତାଙ୍କ ବାପାମାଆଙ୍କ ସହ ନର୍ସ ଓ ଡାକ୍ତରଙ୍କ ଷ୍ଟ୍ରେସ୍ ଦୂର କରିବେ । ସବୁ ଶିଶୁ ଅଲଗା ଅଲଗା ରିଆକ୍ଟ କରିଥାନ୍ତି । ସେଥିପାଇଁ ଏହି କ୍ଲାଉନସେଲଙ୍କୁ ସବୁ ଦିଗ ପ୍ରତି ଧ୍ୟାନ ଦେବାକୁ ପଡିଥାଏ । କିଛି ନିୟମ ବି ପାଳନ କରିଥାନ୍ତି ଶୀତଲଙ୍କ ଏହି ଭଲ୍ୟୁଣ୍ଟିୟର ଗ୍ରୁପ । ଯେମିତି କାହାକୁ ଛୁଇଁବେ ନାହିଁ, ନୋ ସେଲ୍ଫି, ନୋ ଫୋଟୋ । ଶୀତଲଙ୍କୁ ଧିରେ ଧିରେ ସକାରାତ୍ମକ ପ୍ରତିକ୍ରିୟା ସବୁ ମିଳିବାକୁ ବସିଲାଣି । ଏମିତି କି ନର୍ସ ଓ ଡାକ୍ତର ବି ଏହି ଭଲ୍ୟୁଣ୍ଟିୟରଙ୍କୁ କୋଅପରେଟ୍ କଲେଣି ।

ନିଶ୍ଚିତ ପଢ଼ନ୍ତୁ: ଜାଣିଛନ୍ତି କି ଓଡିଶାର କେଉଁଠାରେ ଅଛି ସ୍କଟଲ୍ୟାଣ୍ଡପୁର, ଯାହା ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର

ଦିଲ୍ଲୀର ଚାଚା ନେହେରୁ ଡାକ୍ତରଖାନା ଭଳି ଅନେକ ଡାକ୍ତରଖାନାରେ ଶୀତଲ ଓ ତାଙ୍କ ଗ୍ରୁପ ଏହି କ୍ଲାଉନିଂ ଥେରାପି ଚଲାଇଛନ୍ତି । ଶୀତଲଙ୍କ ଲକ୍ଷ୍ୟ ଏହି ମହତ୍ କାର‌୍ୟ୍ୟରେ ଆହୁରି ଅନେକ ଯୁବପୀଢିଙ୍କୁ ସାମିଲ କରିବା ଆଉ ଏହି ଅଭିଯାନକୁ ଦେଶର ସବୁ ଜାଗାକୁ ପହଞ୍ଚାଇବା । ସତରେ ଶୀତଲଙ୍କ ଏହି ପ୍ରୟାସକୁ ଯେତେ ପ୍ରଶଂସା କଲେ ବି କମ୍ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.