Below header

ମନେ ପଡ଼େ ‘୯୯ ମହାବାତ୍ୟାର କଥା, ଧନଞ୍ଜୟ ହରାଇ ଥିଲେ ନିଜ ପରିବାରର ୬ ଜଣଙ୍କୁ

ଭେରି ସିଭିୟର ସାଇକ୍ଲୋନ ‘ଫନି’ କେତେବେଳେ ସ୍ଥଳଭାଗ ଛୁଇଁବ । ଏହାକୁ ନେଇ ଆଶା ଆଶଙ୍କା ଭିତରେ ସମସ୍ତେ । କିଛି ଉପକୂଳ ଜିଲ୍ଲା ଭଳି କେନ୍ଦ୍ରାପଡ଼ା ଜିଲ୍ଲାରେ ମଧ୍ୟ ଏହି ମହାବାତ୍ୟାକୁ ନେଇ ରେଡ ୱାର୍ଣ୍ଣିଙ୍ଗ ଜାରି କରାଯାଇଛି । ପ୍ରଳୟର ଆଶଙ୍କାରେ ସମସ୍ତେ ଭୟଭୀତ । କାରଣ ସେମାନେ ୧୯୯୯ ମସିହା ସୁପର ସାଇକ୍ଲୋନ୍‌ର କରାଳଗ୍ରାସରେ ନିଜ ଆତ୍ମୀୟ ସ୍ୱଜନଙ୍କୁ ହରାଇଥିଲେ । ୧୯୯୯ ମହାବାତ୍ୟାରେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ତେନ୍ତୁଳିକନ୍ଧା ଗ୍ରାମ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲା । ଏହି ଗ୍ରାମର ୨୨ ଜଣ ଲୋକ ମୃତ୍ୟୁବରଣ କରିଥିଲେ ।

DHANANJAY
ଏଇ ଗାଁର ବାସିନ୍ଦା ଧନଞ୍ଜୟ ମଣ୍ଡଳ । ବୟସ ପାଖାପାଖି ୬୫ ବର୍ଷ । ୧୯୯୯ ମସିହା ବାତ୍ୟାରେ ସେ ତାଙ୍କ ୬ ଜଣ ପରିବାର ସଦସ୍ୟଙ୍କୁ ହରାଇଛନ୍ତି । ବାତ୍ୟା ସହ ବନ୍ୟା ଆସିବା ବେଳକୁ ଘରେ ନିଜ ପରିବାର ସହିତ ଭଉଣୀ ଭିଣୋଇ ମଧ୍ୟ ଥିଲେ । ପରିସ୍ଥିତି ଅସମ୍ଭାଳ ହେବାରୁ ସେମାନେ ନିଜ ଜୀବନ ବଞ୍ଚାଇବା ଲାଗି ଛପର ଉପରକୁ ଉଠି ଯାଇଥିଲେ । ହେଲେ ରୋକି ପାରିଲେନି, ବଞ୍ଚାଇ ପାରିଲେନି । ନିଜ ପୁଅ, ଝିଅ ସହ ଦୁଇ ଭଉଣୀ, ଭିଣୋଇ ଏବଂ ଭିଣୋଇଙ୍କ ୭ ବର୍ଷର ଭଉଣୀକୁ । ସେମାନେ ସମସ୍ତେ ଧନଞ୍ଜୟଙ୍କ ଆଗରେ ପାଣିରେ ଭାସି ଯାଇଥିଲେ ତାଙ୍କରି ଆଖି ଆଗରେ ।

NOTICE
ଏବେବି ଧନଞ୍ଜୟ ପବନ ଓ କଳାବାଦଲ ଦେଖିଲେ ମାତ୍ରେ ଶିହରୀ ଉଠନ୍ତି । ଏବେ ଫନିକୁ ନେଇ ସେ ଭୟଭୀତ । କାରଣ ତାଙ୍କ ଆଖି ଆଗରେ ନାଚି ଉଠୁଛି ୧୯୯୯ ମସିହାର ସେଇ ଦୃଶ୍ୟ ଯେଉଁଥିରେ ସେ ହରାଇଛନ୍ତି ନିଜ ପରିଜନଙ୍କୁ । ଫନିର ପ୍ରକୋପ ମଧ୍ୟ ସେହିଭଳି ରହିବାର ଆଶଙ୍କା ଅଛି । ଚାଳ ଛପର ଘରେ ୫ ପ୍ରାଣୀ କୁଟୁମ୍ବକୁ ନେଇ ପଡିରହିଛନ୍ତି । ହେଲେ ଗତ ମହାବାତ୍ୟା ପରି ଏଥର ସେ ଆଉ ବିଳମ୍ବ କରି ନାହାନ୍ତି । ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଧନଞ୍ଜୟ । ପବନ ଓ ବର୍ଷା ଅରମ୍ଭ ହେଲା ମାତ୍ରେ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ପଳାଇ ଯିବେ ନିଜ ପରିବାରକୁ ଧରି ।

TAPASWINIସେହିଭଳି ତେନ୍ତୁଳିକନ୍ଧା ଗାଁର ୨୮ ବର୍ଷ ବୟସ୍କା ତପସ୍ୱିନୀ ସେନାପତି । ୨୦ ବର୍ଷ ତଳେ ଯେତେବେଳେ ତାଙ୍କୁ ମାତ୍ର ୮ ବର୍ଷ ବୟସ ନିଜ ଆଖି ଆଗରେ ଦାଦା, ଦାଦା ଝିଅ ଓ ପଡ଼ୋଶୀ ଦାଦାଙ୍କ ଝିଅକୁ ହରାଇଥିଲେ ମହାବାତ୍ୟାରେ । ତେଣୁ ଫନିର ଭୟ ଘାରିଛି ତପସ୍ୱିନୀଙ୍କୁ । ସମୁଦ୍ର ଜୁଆର ମାଡ଼ି ଆସି ପାରେ ପୁଣି ପ୍ରବଳ ବର୍ଷା ସହ ପବନ ବହିବାର ଆଶଙ୍କା ଥିବାରୁ ପରିବାର ସହ ଅନ୍ୟ ଜାଗାକୁ ଚାଲିଯିବା ଲାଗି ପ୍ରସ୍ତୁତ ହୋଇ ସାରିଲେଣି ।

VILLAGERS-1ଏମାନଙ୍କ ଭଳି ରାମନଗର ଗ୍ରାମର ୫୨ ବର୍ଷୀୟ ସୁଜିତ ବେପାରୀଙ୍କ ମନରେ ବି କୋକୁଆ ଭୟ । କାରଣ ସେ ଭୋଗିଛନ୍ତି ୧୯୯୯ ମହାବାତ୍ୟାର କଷ୍ଟ । ତିନି ଦିନ ତିନି ରାତି ଅଥଳ ଥଳ ପାଣିରେ ଭାସି ଭାସି ନେହେରୁ ବଙ୍ଗଳାଠାରୁ ରାମ ନଗରରେ ଆସି ପହଞ୍ଚି ଥିଲେ । ସେହି ଡର ରହିଛି । ସେଥିଲାଗି ନିଜ ପରିବାର ଲୋକଙ୍କୁ ଦିଲ୍ଲୀରେ ଥିବା ନିଜ ଝିଅ ପାଖକୁ ପଠା ଦେଇଛନ୍ତି ସୁଜିତ ।
କଥାରେ ଅଛି ଯାହା ପୁଅକୁ ସାପ କାମୁଡ଼େ ତା ମା’ ପାଳ ଦଉଡ଼ି ଦେଖିଲେ ଡରେ । ଠିକ୍‌ ସେହି ନ୍ୟାୟରେ ଅନେଶତର ଯନ୍ତ୍ରଣାକୁ ୨୦୧୯ରେ ଦେଖିବାକୁ ଚାହୁଁ ନାହାନ୍ତି ଏମାନେ ।

କେନ୍ଦ୍ରାପଡ଼ାରୁ ରାଜେଶ ବେହେରାଙ୍କ ରିପୋର୍ଟ, କେ ନ୍ୟୁଜ୍‌
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.