Below header

ନୂଆବର୍ଷ ପାଇଁ ଏଠାରେ ଭାରି ଭିଡ, ନୀଳ ଜଳରାଶିରେ ୱାଟର ସ୍ପୋର୍ଟସର ମଜା ନେଉଛନ୍ତି ପର୍ଯ୍ୟଟକ

ଲୋୟର ଇନ୍ଦ୍ର ସ୍ପିଲୱେର ଜଳପ୍ରପାତ ସହ ସୁନ୍ଦର ନଦୀ ଓ ଇନ୍ଦ୍ର ନଦୀର ସଂଗମ ସ୍ଥଳୀର ପ୍ରାକୃତିକ ମନୋରମ ଦୃଶ୍ୟକୁ ପର୍ଯ୍ୟଟକମାନେ ବେଶ ଉପଭୋଗ କରୁଛନ୍ତି ।

ନୂଆପଡା(କେନ୍ୟୁଜ୍) :  ନୂଆବର୍ଷ ଆଗମନ ପୂର୍ବରୁ ନୂଆପଡା ଜିଲ୍ଲା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପରେ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମିବାରେ ଲାଗିଛି । ପ୍ରତିଦିନ ଏଠାକୁ ପଡୋଶୀ ଛତିଶଗଡ ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି । ଲୋୟର ଇନ୍ଦ୍ର ସ୍ପିଲୱେର ଜଳପ୍ରପାତ ସହ ସୁନ୍ଦର ନଦୀ ଓ ଇନ୍ଦ୍ର ନଦୀର ସଂଗମ ସ୍ଥଳୀର ପ୍ରାକୃତିକ ମନୋରମ ଦୃଶ୍ୟକୁ ପର୍ଯ୍ୟଟକମାନେ ବେଶ ଉପଭୋଗ କରୁଛନ୍ତି ।

ଏବେ ଦୂର ଦୂରନ୍ତରୁ ଆସିଥିବା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ନୂତନ ଭାବେ ଆରମ୍ଭ ହୋଇଥିବା ୱାଟର ସ୍ପୋର୍ଟସ । ଏଠାରେ ପର୍ଯ୍ୟଟକମାନେ ଆସି ଡ୍ୟାମ ବୁଲିବା ସହ ଡ୍ୟାମର ନୀଳଜଳ ରାଶିରେ ସ୍ପିଡ ବୋଟିଂର ମଜା ନେଉଛନ୍ତି । ପ୍ରଥମ କରି ତିଖାଲି ଡ୍ୟାମର ନୀଳଜଳ ରାଶିରେ ୱାଟର ସ୍ପୋର୍ଟସ ମଜା ନେବା ସହ ପ୍ରାକୃତିକ ସୈାନ୍ଦର୍ଯ୍ୟକୁ ଉପଭୋଗ କରିବାର ସୁଯୋଗ ପାଇଥିବାରୁ ପର୍ଯ୍ୟଟକମାନେ ବେଶ ଖୁସି ପ୍ରକାଶ କରିଛନ୍ତି ।

ନୂଆପଡା ଜିଲ୍ଲା ସମେତ ପଡୋଶୀ ଜିଲା ବଲାଙ୍ଗିର,ନବରଙ୍ଗପୁର,କଳାହାଣ୍ଡି ଓ ଛତିଶଗଡ ଅଂଚଳର ହଜାର ହଜାର ପର୍ଯ୍ୟଟକ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପକୁ ଆସି ପ୍ରାକୃତିକ ସୈାନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି । ପର୍ଯ୍ୟଟକମାନେ ବଣ ଭୋଜି କରିବା ପରେ ଡ୍ୟାମ ପରିସରରେ ଥିବା ଜଳେଶ୍ୱର ମନ୍ଦିର ଓ ପାର୍କ ବୁଲି ଦେଖିବା ସହ ବିଭିନ୍ନ ପୋଜରେ ମୋବାଇଲରେ ସାଙ୍ଗ ସାଥୀମାନଙ୍କ ସହ ସେଲଫି ନେଇ ବେଶ ମଜା ନେଉଛନ୍ତି ।

dam pic

ସେହିଭଳି ପର୍ଯ୍ୟଟକମାନେ ଡିଜେ ମ୍ୟୁଜିକର ତାଳେ ତାଳେ ନାଚଗୀତର ମଜା ନେଉଛନ୍ତି । ଏଠାରେ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ନୂଆପଡା ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ତିଖାଲି ଡ୍ୟାମର ନୀଳଜଳ ରାଶିରେ ୱାଟର ସ୍ପୋର୍ଟସ ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ତିଖାଲି ଡ୍ୟାମର ହରିପୁର ଘାଟରେ ପ୍ରଥମକରି ପର୍ଯ୍ୟଟକଙ୍କ ପାଇଁ ଆରମ୍ଭ ହୋଇଛି ୱାଟର ସ୍ପୋର୍ଟସ । ଉଦଘାଟନୀ ସମାରୋହରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଏବଂ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ୱାଟର ସ୍ପୋର୍ଟସର ଶୁଭାରମ୍ଭ କରିଛନ୍ତି ।

ଏଠାରେ ସ୍ପିଡ ବୋଟିଂ ସହ ଅନେକ ଜଳକ୍ରୀଡାର ବ୍ୟବସ୍ଥା କରାଯାଇଛି । ଏହି ୱାଟର ସ୍ପୋର୍ଟସ ଗୁଡିକର ପରିଚାଳନା କରିବା ପାଇଁ ଅକେଲା ଏଡଭେନଚର ପ୍ରାଇଭେଟ ଲିମିଟେଡ କମ୍ପାନୀକୁ ଦାୟିତ୍ୱ ଦିଆଯାଇଛି । ଆଗକୁ ତିଖାଲି ଡ୍ୟାମରେ ୱାଟର ବାଇକ ଓ ପାରା ସେଲିଂଗର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି କମ୍ପାନିର ଡାଇରେକ୍ଟର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.