Below header

ଏ କି ନିୟମ: ଅଜାତିରେ ଝିଅ ବାହାହେବାରୁ ମାଆକୁ ମିଳିଲାନି ଚାରିକାନ୍ଧ

ମିଳିଲାନି ଚାରିକାନ୍ଧ । ସାହି ପଡିଶା ବାରଣ କଲେ । ଦୀର୍ଘ ସମୟ ଧରି ପଡି ରହିଲା ଶବ ହେଲେ କେହିବି ଆସିଲେନି । ଶେଷରେ ଟ୍ରଲିରେ ବୁହାହେଲା ବୃଦ୍ଧାଙ୍କ ଶରୀର ।

କୁଚିଣ୍ଡା(କେନ୍ୟୁଜ୍‌) : ମିଳିଲାନି ଚାରିକାନ୍ଧ । ସାହି ପଡିଶା ବାରଣ କଲେ । ଦୀର୍ଘ ସମୟ ଧରି ପଡି ରହିଲା ଶବ ହେଲେ କେହିବି ଆସିଲେନି । ଶେଷରେ ଟ୍ରଲିରେ ବୁହାହେଲା ବୃଦ୍ଧାଙ୍କ ମୃତଦେହ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ୱାର୍ଡ ନଂ୫ରେ ଘଟିଛି ଏଭଳି ଏକ ଅଭାବନୀ ଘଟଣା । ଆଜିକାଲି ସମାଜରେ ମଣିଷ ଆଗରେ ସମ୍ପର୍କର ମୂଲ୍ୟ ଠାରୁ ନିଜ ସ୍ୱାର୍ଥର ମୂଲ୍ୟ ଅଧିକ । ତେଣୁ ତ ଧିରେ ଧିରେ ହଜିବାକୁ ବସିଲାଣି ମାନବିକତା । ଯଦି ଶବକୁ ଚାରି କାନ୍ଧ ଆଉ ମୁହଁରେ ଟିକେ ନିଆଁ ଦବାକୁ ବି ପାଖରେ କେହି ନଥିବେ ତାଠାରୁ ବଡ ବିଡମ୍ବନାର ବିଷୟ କଣ ହେବ କହିଦେଖି ।

ଠିକ୍ ଏମିତି ଏକ ଘଟଣା ଘଟିଛି ୮୦ ବର୍ଷିୟା ଗୋମତୀ ଛତ୍ରିଆଙ୍କ ସହିତ । ଗୋମତୀ ନିଜ ଝିଅ ସମିତା ଗୁରୁ ଓ ଜ୍ୱାଇଁ ମନବୋଧ ଗୁରୁଙ୍କ ସହିତ ରହୁଥିଲେ । ବୟସାଧିକ କାରଣରୁ ଗତକାଲି ସକାଳେ ଗୋମତୀଙ୍କର ମୃତ୍ୟୁ ହୋଇଥିଲା । ଗୋମତୀର ଝିଅ ଅନ୍ୟ ଜାତିର ଜଣେ ଯୁବକଙ୍କୁ ବାହା ହୋଇଥିବାରୁ ଆରମ୍ଭ ହୋଇଥିଲା ସବୁ ବାଛ ବିଚାର ।

ଝିଅ ଅନ୍ୟ ଜାତିର ଯୁବକ ସହିତ ଘର କରିଥିବା ଦୃଷ୍ଟିରୁ ଗୋମତୀଙ୍କୁ କାନ୍ଧ ଦେବାକୁ ମନା କରିଦେଲେ ନିଜ ସମ୍ପର୍କୀୟ । କେହି ଟିକେ ଶେଷ ଦର୍ଶନ କରିବାକୁ ବି ଆସିଲେ ନାହିଁ । ଶେଷରେ ଗୋମତୀଙ୍କର ପୁତୁରା ସହିତ ଜ୍ୱାଇଁ ଏକ ଟ୍ରଲି ରିକ୍ସାରେ ମୃତଦେହକୁ ବୋହି ନେଇ ଶେଷକୃତ୍ୟ ସମ୍ପନ୍ନ କରିଥିଲେ । ଗୋମତୀଙ୍କ ଝିଅ ଜ୍ୱାଇଁ ଅତି ଗରିବ ଶ୍ରେଣୀର ହୋଇଥିବାରୁ ପ୍ରଶାସନ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି ।

ସତରେ ଅନ୍ଧବିଶ୍ଵାସ କବଳ ଏବେବି କବଳିତ ହୋଇ ରହିଛି ମଣିଷ । ହଜାଇ ଦେଉଛି ନିଜର ମାନବିକତା । ପିଣ୍ଡରୁ ପ୍ରାଣ ପଳାଇଥିବା ନିଜର ମଣିଷଟାକୁ ବି ଶେଷଥର ପାଇଁ କାନ୍ଧ ଦେବା ତ ଦୁରର କଥା ଦେଖିବାକୁ ବି ଆସୁନାହିଁ । ଶେଷରେ ଶବକୁ ଟ୍ରଲି ରିକ୍ସାରେ ଶ୍ମଶାନ ପର୍ଯ୍ୟନ୍ତ ନେବାକୁ ପଡୁଛି । ଏଭଳି ଏକ ହୃଦୟବିଦାରକ ଘଟଣା ଏବେ ସମ୍ବଲପୁର ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.