Below header

ସାବଧାନ ! ପିଲାମାନଙ୍କୁ ଖେଳିବାକୁ ଦିଅନ୍ତୁନି ମୋବାଇଲ, ନଚେତ ଆପଣ ବି ହରାଇବେ ଲକ୍ଷ ଲକ୍ଷ ଟଙ୍କା

ମୋବାଇଲରେ ଗେମ୍‌ ଖେଳିବାକୁ ନେଇ ପିଲାମାନେ ଆତ୍ମହତ୍ୟା କରିବା ବା ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଅନେକ ସଂଖ୍ୟାରେ ସାମ୍ନାକୁ ଆସୁଛି । କିଛି ପିଲାତ ଗେମ ଖେଳୁ ଖେଳୁ ହଜାର ହଜାର ଟଙ୍କା ଅପଚୟ କରୁଥିବା ଭଳି ଘଟଣାମାନ ନଜିର ବି ରହିଛି । କିନ୍ତୁ ସାଧାରଣ ମୋବାଇଲ ଗେମ ପାଇଁ ଯେ ଜଣେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରେ ଏହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ । ନିକଟରେ ନ୍ୟୁୟର୍କରେ ଘଟିଛି ଏମିତି ଏକ ସମାନ ଘଟଣା । ଆଇପ୍ୟାଡରେ ଗେମ କିଣିବା ପାଇଁ ୧୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଦେଇଛି ଏକ ୬ ବର୍ଷର ପିଲା । ରିପୋର୍ଟ ମୁତାବକ, ବିଲ୍ୱଟନ ବାସିନ୍ଦା ଜେସିକା ଜନସନଙ୍କ ୬ ବର୍ଷର ପୁଅ ଆପଲ ଷ୍ଟୋରରୁ ଗେମ କିଣିବା ପାଇଁ ୧୬ ହଜାର ଡ଼ଲାର ବା ଭାରତୀୟ ମୁଦ୍ରା ଅନୁସାରେ ପାଖାପାଖି ୧୧ ଲକ୍ଷ ଟଙ୍କା ଅପଚୟ କରିଦେଇଛି । ପରେ ଜଣାଯାଇଛି ଯେ, ପିଲାଟି ଆପଲ ଆପ ଷ୍ଟୋରରୁ Sega’s Sonic Forcesର ଆଇପ୍ୟାଡ଼ ଭର୍ଜନ କିଣିଛି ।

ଆଶ୍ଚର୍ଯ୍ୟର କଥା ହେଉଛି ଜେସିକାଙ୍କ ୬ ବର୍ଷର ପିଲାଟି ଗତ ଜୁଲାଇ ମାସରୁ ବିଭିନ୍ନ ଗେମିଙ୍ଗ ଆପ କିଣିବାରେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଆସୁଥିଲେ ମଧ୍ୟ ବାପା ମା’ ଏବିଷୟରେ କିଛି ବି ଜାଣି ପାରିନଥିଲେ । ଏହି ସମୟ ଭିତରେ ପିଲାଟି ୨ ଡ଼ଲାରରୁ ଆରମ୍ଭ କରି ୧୦୦ ଡ଼ଲାର ଟଙ୍କା ପର୍ଯ୍ୟନ୍ତର ଗେମ କିଣି ସାରିଛି । ଜୁଲାଇ ୯ ତାରିଖରେ ହିଁ କେବଳ ୨୫ଟି ଟ୍ରାଞ୍ଜାକ୍ସନ କରିଥିବା ବେଳେ ଯାହାର ମୂଲ୍ୟ ପାଖାପଖି ୨୫୦୦ ଡ଼ଲାର୍ସ ବା ୧.୮ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ପ୍ରାଥମିକସ୍ତରରେ ଜଙ୍କ୍ସନ ଏହାକୁ ଠକାମିର ଶିକାର ହୋଇଥିବା ଭାବି ଏନେଇ ଏକ ଅଭିଯୋଗ ବି ଦାୟର କରିଥିଲେ । କିନ୍ତୁ ଘଟଣାର ସତ୍ୟାସତ୍ୟ ଜାଣିବା ପରେ ଜଙ୍କ୍ସନ ଏନେଇ ଆପଲ କମ୍ପାନୀ ନିକଟରେ ଅଭିଯୋଗ କରି କ୍ଷତିଭରଣା ପାଇଁ ଦାବି କରିଥିଲେ ।

କିନ୍ତୁ କମ୍ପାନୀ ପକ୍ଷରୁ ଏହାକୁ ଟାଳି ଦିଆଯାଇଥିଲା । ଅଭିଯୋଗ ପାଇଁ ୬୦ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଏହି ସମୟସୀମା ଗଡ଼ି ଯାଇଛି ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ପିଲାଙ୍କ ମୋବାଇଲ ଖେଳକୁ ନେଇ ପିତାମାତା ଅଧିକ ସତର୍କ ରହିବା ଉଚିତ ବୋଲି କହିଛି କଂପାନୀ । ବର୍ତ୍ତମାନ ସମୟରେ ଅନେକ କମ୍ପାନୀ ନିଜ ନିଜ ଆପ କିମ୍ବା ଗାଜେଟରେ ପ୍ୟାରେଣ୍ଟାଲ କଣ୍ଟ୍ରୋଲ ଆପ ଦେଇ ଆସୁଥିଲେ ମଧ୍ୟ ଅଭିଵାଭକମାନେ ଏହାର ବ୍ୟବହାର କରୁନଥିବା ଦେଖାଦେଉଛି । ଏହି ପ୍ୟାରେଣ୍ଟାଲ କଣ୍ଟ୍ରୋଲ ଆପ ମାନଙ୍କର ବ୍ୟବହାର ଦ୍ୱାରା ପିଲାଙ୍କ ମୋବାଇଲ ବ୍ୟବହାର ଉପରେ କିଛିଟା ଲଗାମ ଲାଗିଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.