Below header

ଆରମ୍ଭ ହେଲା ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଉତ୍ସବ, ଶ୍ରୀକ୍ଷେତ୍ରକୁ ଛୁଟୁଛି ଭକ୍ତଙ୍କ ସୁଅ

ଆଜିଠାରୁ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଉତ୍ସବ ଆରମ୍ଭ ହେବା ସହିତ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ତିନିରଥ ନିର୍ମାଣର ଶୁଭ ଅନୁକୂଳ କରାଯାଉଛି । ଏଥିପାଇଁ ଶ୍ରୀମନ୍ଦିର ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ପୁରୀ (କେନ୍ୟୁଜ): ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଜିଠାରୁ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନଯାତ୍ରା ଉତ୍ସବ ଆରମ୍ଭ ହେବା ସହିତ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ତିନିରଥ ନିର୍ମାଣର ଶୁଭ ଅନୁକୂଳ କରାଯାଉଛି । ଏଥିପାଇଁ ଶ୍ରୀମନ୍ଦିର ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚନ୍ଦନଯାତ୍ରା ପାଇଁ ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ । ଅକ୍ଷୟ ତୃତୀୟା ଦିନ ପରମ୍ପରା ମୁତାବକ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସି ରଥକାଠ ପୂଜାର୍ଚ୍ଚନା ହୋଇଥାଏ । ଏହି ଅନୁସାରେ ଆଜି ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସେପଟେ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ମହାପ୍ରଭୁ ଜଳକ୍ରୀଡା କରିବେ ଯାହାକୁ ବାହାର ଚନ୍ଦନଯାତ୍ରା କୁହାଯାଏ ।

ଚଳିତବର୍ଷ ଅଧିକ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ରରେ ସମାଗମ ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ତା କଡାକଡି କରାଯାଇଛି । ଏସପିଙ୍କ ତତ୍ୱାବଧାନରେ ୨ ଜଣ ଆଡିସିନାଲ ଏସପି, ୪ ଡିଏସପି,୭ ଜଣ ଇନ୍ସପେକ୍ଟର, ୧୭ ଜଣ ଏଏସଆଇଙ୍କ ସମେତ ୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଚନ୍ଦନଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପି ବିଭିନ୍ନ ସେବାୟତଙ୍କ ସହ ଆଲୋଚନା କରିଛନ୍ତି ।

ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରାରେ ଠାକୁରଙ୍କ ପାଇଁ ୧୭ ଟି ଶେଯ, ୨୧ଟି ମାଣ୍ଡି, ୨ଟି ମୃଦଙ୍ଗ ମାଣ୍ଡି, ୨ଟି ପାଲିଙ୍କି ଚାଳି ସହ ଗୋଟିଏ ଲେଖାଏଁ ତରାସ, ସୁନା ବିଞ୍ଛଣା, ଖଣ୍ଡା, ଛୁରୀ ଓ ତିନୋଟି ରୂପା ଆଲଟ କାମ ଜାରି ରହିଥିଲା । ଏଥିସହ ଚାନ୍ଦୁଆ, ପତାକା, ଧଳା ଚାପ ମଣ୍ଡଳୀ ଓ ନାଲି ଚାପ ମଣ୍ଡଳୀ ମଧ୍ୟ ତିଆରି କରାଯାଇଥିଲା । ତେଵେ ସମସ୍ତ କାମ ଅକ୍ଷୟ ତୃତୀୟା ପୂର୍ବଦିନ ସମ୍ପନ୍ନ ହୋଇ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା । ସେପଟେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ତିନୋଟି ରଥକାଠର ଅନୁକୂଳ ସହ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି ।

ଆଜି ଭୋର ସମୟରେ ମହାପ୍ରଭୁଙ୍କ ଦ୍ୱାର ଫିଟିବା ପରେ ଅନ୍ୟାନ୍ୟ ନୀତି ଆରମ୍ଭ ହୋଇଥିଲା । ଅପରାହ୍ନ ସାଢେ ତିନିଟାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଓ ରାମକୃଷ୍ଣ ବିମାନକୁ ବିଜେ କରିବା ପରେ ଏକ ଶୋଭାଯାତ୍ରାରେ ଶ୍ରୀକ୍ଷେତ୍ରର ପଞ୍ଚମହାଦେବଙ୍କ ବିମାନ ସହ ନରେନ୍ଦ୍ର ପୁଷ୍କରିଣୀକୁ ଆସିଥିଲେ । ନରେନ୍ଦ୍ର ପୋଖରୀରେ ମହାପ୍ରଭୁଙ୍କ ଜଳକ୍ରୀଡା ସମ୍ପନ୍ନ ହେବ । ଅନ୍ୟପଟେ ଶ୍ରୀ ମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଅପରାହ୍ନ ୪ ଟାରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ରଥ ଖଳାକୁ ଆସିବା ପରେ ସେଠାରେ ସୁବର୍ଣ୍ଣ କୁରାଢ଼ୀରେ ତିନିରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।

ନରେନ୍ଦ୍ର ସରୋବରରେ ମହାପ୍ରଭୁଙ୍କ ଜଳକ୍ରୀଡା ପାଇଁ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହେଉଥିବା ବେଳେ ଚାପଡଙ୍ଗା ଗୁଡ଼ିକ ସୁନ୍ଦର ଭାବେ ସଜାଯାଇଛି । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କ ସମେତ ପଞ୍ଚୁପାଣ୍ଡବ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ବ୍ୟାପି ନୌକାବିହାର ବା ଜଳକ୍ରୀଡା କରିବେ । ଠାକୁରଙ୍କ ଏହି ଅପୂର୍ବ ଯାତ୍ରାକୁ ଉପଭୋଗ କରିବା ପାଇଁ ଭକ୍ତମାନେ ଦୂର ଦୂରାନ୍ତରରୁ ଶ୍ରୀକ୍ଷେତ୍ରକୁ ଆସିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.