Below header

କାଲି ଅନ୍ତିମ ଲଢ଼େଇ : ନିର୍ଣ୍ଣାୟକ ମ୍ୟାଚ୍‌ ଜିତିବାକୁ ଭାରତ ଓ ନ୍ୟୁଜିଲାଣ୍ଡ ଉଭୟ ଆଶାବାଦୀ

ହାମିଲଟନ୍‌ : କାଲି ହେଉଛି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ । ଜୋରଦାର ଲଢ଼େଇର ସମ୍ଭାବନା । କାରଣ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି । ସିରିଜ୍‌ ୧-୧ ସ୍ଥିତିରେ ଥିବାରୁ ବିଜେତା ନିର୍ଣ୍ଣୟ କରିବ ଏହି ମ୍ୟାଚ୍‌ । ଅକଲାଣ୍ଡରେ ଭାରତୀୟ ଦଳ ଯେଭଳି ଦମ୍‌ଦାର ପ୍ରଦର୍ଶନ କରିଛି ତାକୁ ଦୋହରାଇଲେ ଚଳିତ ସିଜିନ୍‌ରେ ଆଉ ଏକ ଟ୍ରଫି ସହ ସ୍ୱଦେଶ ବାହୁଡ଼ିବ । ଆସନ୍ତାକାଲି ଭାରତୀୟ ସମୟ ଦିନ ୧୨.୩୦ରେ ଖେଳ ଆରମ୍ଭ ହେବ ।

ଗତ ନଭେମ୍ବର ମାସରୁ ଆରମ୍ଭ ହୋଇଥିବା ଟିମ୍‌ ଇଣ୍ଡିଆର ଏହି ଦୀର୍ଘତମ ଗସ୍ତ କାଲି ଶେଷ ହେବ । ତେଣୁ ପୂରା ଯୋଶ୍‌ରେ ପଡ଼ିଆକୁ ଓହ୍ଲାଇବ ଟିମ୍‌ । ଗତ ମ୍ୟାଚ୍‌ର ବିଜୟ ମଧ୍ୟ ଖୁବ୍‌ ଉତ୍ସାହିତ କରିଛି ଖେଳାଳିମାନଙ୍କୁ । ଅଷ୍ଟ୍ରେଲିଆରେ ଟି-୨୦ରୁ ଗସ୍ତ ଆରମ୍ଭ କରିଥିଲା ଭାରତୀୟ ଦଳ ନ୍ୟୁଜିଲାଣ୍ଡରେ ସେହି ଟି-୨୦ ଖେଳି ବିଦେଶ ଗସ୍ତ ଶେଷ କରିବ ।
ସିରିଜ୍‌ କବ୍‌ଜା ପାଇଁ ନ୍ୟୁଜିଲାଣ୍ଡ ତାର ଦଳରେ ଗୋଟିଏ ଦୁଇଟି ପରିବର୍ତ୍ତନ କରି ପାରେ । ତେବେ ଭାରତୀୟ ଦଳରେ ଖେଳାଳି ବଦଳାଇବା ସମ୍ଭାବନା କମ୍‌ । ଯଦି କଟିବେ ତେବେ ଦୀନେଶ କାର୍ତ୍ତିକଙ୍କ ପାଳି ପଡ଼ି ପାରେ ।
ହାମିଲଟନ୍‌ର ସେଲଡନ୍‌ ପାର୍କ ପିଚ୍‌ ଗତ ଦିନିକିଆରେ ସ୍ପିନରକୁ କିଛି ଫାଇଦା ଦେଇଥିଲା । କାଲି କଣ ହେଉଛି ଦେଖିବାର କଥା । ତେବେ ଏଠାରେ ବଡ଼ ସ୍କୋର ହେବାର ନଜିର ରହିଛି ।

ଆଉ କିଛି ରେକର୍ଡ଼ ଭାଙ୍ଗିବେ ରୋହିତ ଶର୍ମା

ପୂର୍ବ ମ୍ୟାଚ୍‌ରେ ବେଶ୍‌ କିଛି ରେକର୍ଡ଼ କରିଥିବା ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ପୁଣି କେତୋଟି ରେକର୍ଡ଼ ଭାଙ୍ଗି ଅପେକ୍ଷାରେ ଅଛନ୍ତି । ଆଉ ଦୁଇଟି ଛକା ମାରିଲେ ସେ ଟି-୨୦ରେ ସର୍ବାଧିକ ଛକା ମାରିଥିବା ବ୍ୟାଟ୍‌ସମ୍ୟାନ୍‌ ହେବେ । ସେହିପରି ମ୍ୟାଚ୍‌ ଜିତିଲେ ଅଧିନାୟକ ଭାବେ ନିଆରା ରେକର୍ଡ଼ କରିବେ ।

ମହିଳା ଦଳର ମଧ୍ୟ ଶେଷ ମ୍ୟାଚ୍‌

ଏପଟେ ସେହି ହାମିଲଟନ୍‌ରେ ଭାରତ ଓ ନ୍ୟୁଜିଲାଣ୍ଡ ମହିଳା ଦଳ ସେମାନଙ୍କ ଅନ୍ତିମ ଟି-୨୦ ମ୍ୟାଚ୍‌ ଖେଳିବେ । ଭାରତ ପ୍ରଥମ ଦୁଇଟି ମ୍ୟଚ୍‌ ହାରି ସିରିଜ୍‌ ହାରି ସାରିଛି । ବ୍ୟାଟିଂ ବିଫଳତା ଦଳ ପାଇଁ ଚିନ୍ତା ସୃଷ୍ଟି କରିଛି । ତେବେ ଲକ୍ଷ୍ୟ ରହିଛି ଶେଷ ମ୍ୟାଚ୍‌ ଜିତି ଦଳ କିଛିଟା ସମ୍ମାନ ରଖିବ ବୋଲି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.