କଥାରେ ଅଛି ସଫଳତାର କୌଣସି ସର୍ଟ କଟ ନଥାଏ । ବିଭିନ୍ନ କଠିନ ପରିସ୍ଥିତି ଦେଇ ଗତି କରିବା ପରେ ସଫଳତା ମିଳିବା ପରର ମୁହୂର୍ତ୍ତର ଅନୁଭବ କିଛିଟା ଭିନ୍ନ । ବିଫଳତା କୁ ନିଜର ସବୁଠୁ ବଡ ଅସ୍ତ୍ର କରି ସଫଳତା ହାସଲ କରିବା ଖୁବ ଜଣଙ୍କ ଠାରେ ଦେଖିବାକୁ ମିଳିଥାଏ । ଆଉ ସେହିମାନେ ହିଁ ଇତିହାସ ଫର୍ଦରେ ନିଜ ନାଁକୁ ଯୋଡି ପାରନ୍ତି । ସେମିତି ହିଁ ଜଣେ ହେଉଛନ୍ତି ମୀରା ବାଈ ଚାନୁ । ଯାହାଙ୍କର ପରିଚୟ ଦେବା ଦରକାର ନାହିଁ । ଆଜି ଟୋକିଓ ମାଟିରେ ନିଜ ଅନ୍ତିମ ପର୍ଯ୍ୟାୟ ଦେଇ ମୀରା ଗତି କରୁଥିବା ବେଳେ ପୁରା ଭାରତର ନଜର ତାଙ୍କ ଉପରେ ଥିଲା । ଆଉ ଶେଷରେ ୪୯ କିଲୋଗ୍ରାମ କାଟାଗୋରୀରେ ରୌପ୍ୟ ପଦକ ଜିତି ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଆଣିଲେ ମୀରା । ମୀରାଙ୍କ ଏହି ଯାତ୍ରା ଏତେଟା ସହଜ ନଥିଲା । ୨୦୧୬ ରିଓ ଅଲିମ୍ପିକ୍ସ ସମୟରେ ମୀରା ଅନେକ ବାର ବିଫଳତାର ସାମ୍ନା କରିଥିଲେ । ଆଉ ଏହା ପରେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲେ ସେ ।
ସେସମୟରେ ତାଙ୍କୁ ଏମିତି ଲାଗୁଥିଲା ଯେମିତି ସବୁକିଛି ମୁହୂର୍ତ୍ତକ ମଧ୍ୟରେ ସରିଯାଇଛି । ପୋଡ଼ିୟମ ଭିତରେ ଯେମିତି ତାଙ୍କ ପାଦ ଦୁଇଟି ଥରୁଥିଲା । ଆଉ ଆଖିରୁ ଲୁହ ଝରି ପଡୁଥିଲା । ଚାନୁଙ୍କ କ୍ୟାରିୟରର ପ୍ରଥମ ଅଲିମ୍ପିକ୍ସ ଥିଲା ରିଓ ଅଲିମ୍ପିକ୍ସ । ସେସମୟରେ ଚାନୁ ଭାଙ୍ଗି ପଡିଥିବା ବେଳେ ତାଙ୍କ ମନୋବଳ ବଢ଼ାଇ ଥିଲେ ଚାନୁଙ୍କ କୋଚ ସୋ ଲଗାକର । ଚାନୁ ଆହୁରି ମଧ୍ୟ କହିଛନ୍ତିକି ସେ ସମୟରେ ତାଙ୍କୁ ଏକ ବଡ ଝଟକା ଲାଗିଥିଲା । ବିଫଳତାର ସେହି ଛବି ବାରମ୍ବାର ତାଙ୍କ ସାମ୍ନାକୁ ଆସିଯାଉଥିଲା । ପ୍ରତିଟି ପ୍ରୟାସରେ ନିଜର ୧୦୦ ପ୍ରତିଶତ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରକାର ସଫଳତା ମିଳିପାରିନଥିଲା । ଆଉ ସେହି ପୋଡ଼ିୟମ ଉପରେ ହିଁ କାନ୍ଦି ପକାଇଥିଲେ ଚାନୁ । ନିଜର ଶହେ ପ୍ରତିଶତ ଦେଇ ସୁଦ୍ଧା ଅସଫଳତା ମିଳିବା ଖୁବ କଷ୍ଟ ବୋଲି କହନ୍ତି ମୀରା । କିନ୍ତୁ ମଣିପୁର ଝିଅ ମୀରା ନିଜ ଆଖିର ଲୁହକୁ ହିଁ ନିଜର ସବୁଠୁ ବଳ ଭାବରେ ସାଉଁଟି ଥିଲେ । ଆଉ ନିଜକୁ ଟୋକିଓ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ କରିଥିଲେ । ନିଜ ଖେଳ ତରିକାରେ କିଛିଟା ପରିବର୍ତ୍ତନ ଆଣିଲେ । କେହି ବି ବିଶ୍ୱସ କରିପାରୁନଥିଲେ ଦିନେ ମୀରା ଇତିହାସ ସୃଷ୍ଟି କରିବେ । ରିଓ ମାଟିରେ ଯାହାର ଆଖିରୁ ଧାର ଧାର ଲୁହ ବୋହିଥିଲା ସେ ଟୋକିଓରେ ରୌପ୍ୟ ବିଜୟିନୀ ହେବେ ।