୧୯୮୪ ଅଲିମ୍ପିକ୍‌ କ୍ରୀଡ଼ା ଗ୍ରାମରେ ପିଟି ଉଷା ଖାଉଥିଲେ ଭାତ ଓ ଆଚାର

ନୂଆଦିଲ୍ଲୀ : ଗତ କିଛି ବର୍ଷ ହେଲା ବଦଳିଛି ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଭାଗ୍ୟ । ସରକାରୀ କିମ୍ବା ବେସରକାରୀ ସ୍ତରରେ ସେମାନଙ୍କୁ ସହାୟତା ମିଳୁଛି । କ୍ରୀଡ଼ା ଭିତ୍ତିଭୂମିରେ ବି ଅନେକ ପରିବର୍ତ୍ତନ ଓ ଉନ୍ନତି ଆସିଛି । ହେଲେ ସମୟ ଥିଲା କ୍ରୀଡ଼ାବିତ୍‌ ସମ୍ପୂର୍ଣ୍ଣ ଅବହେଳିତ ଥିଲେ । ବ୍ୟକ୍ତିଗତ ଉତ୍ସାହ ଓ ପ୍ରତିଯୋଗିତା ବେଳେ ସ୍ୱଳ୍ପ ସହାୟତା ହିଁ ସେମାନଙ୍କ ପାଇଁ ସମୁଦ୍ରକୁ ଶଂଖେ ଭଳି ଥିଲା । ସେମାନେ ଭଲରେ ଉପଯୁକ୍ତ ଖାଦ୍ୟ ଖାଇବାକୁ ପାଉ ନଥିଲେ । ଏମିତି ପରିସ୍ଥିତିରେ କିଭଳି ୧୯୮୪ ଲସ୍‌ଏଞ୍ଜେଲ୍ସ ଅଲିମ୍ପିକ୍ସରେ ଭାଗ ନେଇ ଅଳ୍ପକେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିଲେ ସେ ସମ୍ପର୍କରେ ଏବେ କହିଛନ୍ତି ଭାରତର ପ୍ରଥମ ସ୍ପ୍ରିଣ୍ଟ ସୁପରଷ୍ଟାର ପିଟି ଉଷା । ଏଇ ମହିଳା ଧାବିକା ଜଣକ ମାତ୍ର ଗୋଟିଏ ସେକେଣ୍ଡରୁ କେଇ ଭାଗ କମ୍‌ ସମୟ ପାଇଁ ଅଲିମ୍ପିକ୍‌ ବ୍ରୋଞ୍ଜ ପଦକ ହରାଇଥିଲେ । ତାଙ୍କୁ ଭଲ ପୋଷଣ ଯୁକ୍ତ ଖାଇବା ମିଳୁ ନଥିଲା । ଲସ୍‌ଏଞ୍ଜେଲ୍ସ ଅଲିମ୍ପିକ୍‌ କ୍ରୀଡ଼ା ଗ୍ରାମରେ ତାଙ୍କୁ ଖାଇବାକୁ ପଡ଼ିଥିଲା ଭାତ ଓ ଆଚାର । ସେଠାରେ ସେ ୪୦୦ ମିଟର ହର୍ଡଲ୍ସରେ ଶେଷ ୩୫ ମିଟର ଦୌଡ଼ିବା ବେଳେ ତାଙ୍କଠାରେ ଷ୍ଟାମିନା କମ୍‌ ଥିବା ସେ ଅନୁଭବ କରିଥିଲେ । ଯେଉଁଥିପାଇଁ ପଦକ ହତଛଡ଼ା ହେଲା । ଉଷା କହିଛନ୍ତି ଲସ୍‌ଏଞ୍ଜେଲ୍ସ ଅଲିମ୍ପିକ୍‌ କ୍ରୀଡ଼ା ଗ୍ରାମରେ ସମସ୍ତଙ୍କ ପାଇଁ ଆମେରିକୀୟ ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା । ସିଝା ଆଳୁ ଓ ଅଧା ସିଝା ଚିକେନ୍‌ ଏବଂ ସସ୍‌ । ଏସବୁ ସେ ଖାଉନଥିଲେ । ତେବେ ଏକଥା ଭାରତୀୟ କ୍ରୀଡ଼ା ଅଧିକାରୀ ତାଙ୍କୁ ଜଣାଇନଥିଲେ । ତେଣୁ ସେ ବାଧ୍ୟ ହୋଇ ଭାତ ସହିତ ଆମ୍ବ ଆଚାର ଲଗାଇ ଖାଦ୍ୟ ଖାଉଥିଲେ ବୋଲି ବିଭିନ୍ନ ଅନ୍ତର୍ଜାତୀୟ କ୍ରୀଡ଼ାରେ ଦେଶ ପାଇଁ ପଦକ ଜିତିଥିବା ଉଷା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.