ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା, ଅଭିଯୁକ୍ତ ବିଭବ କୁମାରଙ୍କ ଜାମିନ୍ ଆବେଦନ ଖାରଜ
ଆମ୍ ଆଦମୀ ପାର୍ଟି ସାଂସଦ ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପିଏ ବିଭବ କୁମାରଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି । ସେ ତିସ୍ ହଜାରୀ କୋର୍ଟରେ ଆବେଦନ ଦାଖଲ କରିଥିଲେ ।

ଆମ୍ ଆଦମୀ ପାର୍ଟି ସାଂସଦ ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପିଏ ବିଭବ କୁମାରଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି । ସେ ତିସ୍ ହଜାରୀ କୋର୍ଟରେ ଆବେଦନ ଦାଖଲ କରିଥିଲେ । କିନ୍ତୁ ଅତିରିକ୍ତ ସେସନ୍ସ ଜଜ୍ ସୁଶୀଲ ଅନୁଜ ତ୍ୟାଗୀ ତାଙ୍କୁ ଆଶ୍ୱସ୍ତି ଦେବାକୁ ମନା କରି ଦେଇଛନ୍ତି । ଏବେ କୁହାଯାଉଛି ଯେ ବିଭବ କୁମାର ଏହି ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଅପିଲ୍ ଦାଏର କରିବେ ।
କହି ରଖୁଛୁ ଯେ ମେ’ ୧୩ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସ୍ୱାତି ମାଲିଓ୍ଵାଲଙ୍କ ଉପରେ ଆକ୍ରମଣ ନେଇ ବିଭବ କୁମାରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଦିଲ୍ଲୀର ଏକ କୋର୍ଟରେ ତାଙ୍କର ଆଗୁଆ ଜାମିନ୍ ଆବେଦନ ଖାରଜ ହେବା ପରେ ପୋଲିସ ତାଙ୍କୁ ଗିରଫ କରି ନେଇଥିଲା ।
କୋର୍ଟଙ୍କ ଆଦେଶ ପରେ ବିଭବ କୁମାରଙ୍କୁ ମେ’ ୨୪ରେ ୪ ଦିନିଆ ନ୍ୟାୟିକ ହେପାଜତରେ ପଠାଯାଇଥିଲା । ସେ ମେ’ ୨୮ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ । ଏହା ପୂର୍ବରୁ ବିଭବଙ୍କୁ ୫ ଦିନିଆ ପୋଲିସ ହେପାଜତକୁ ପଠାଯାଇଥିଲା ।
ସ୍ୱାତି ମାଲିଓ୍ଵାଲଙ୍କ ଅଭିଯୋଗ ମୁତାବକ, ମେ’ ୧୩ରେ ବିଭବ କୁମାର ତାଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ପରେ ମାଲିଓ୍ଵାଲ କହିିଥିଲେ ଯେ ତାଙ୍କ ବାହୂରେ ପ୍ରବଳ ଯନ୍ତ୍ରଣା ହେଉଛି ଏବଂ ସେ ଚାଲିପାରୁ ନାହାନ୍ତି ।
ଏହି ଘଟଣାରେ ପୂର୍ବରୁ ଜାତୀୟ ମହିଳା କମିଶନ (ଏନ୍ସିଡବ୍ଲ୍ୟୁ) ବିଭବ କୁମାରଙ୍କୁ ସମନ ପଠାଇଥିଲେ । ମହିଳା କମିଶନ ସ୍ୱାତି ମାଲିୱାଲଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନିଜ ଅବଗତକୁ ନେଇ ବିଭବ କୁମାରଙ୍କୁ ନୋଟିସ୍ କରିଥିଲେ । ଗତ ୧୭ ତାରିଖ ଦିନ ୧୧ଟାରେ ତାଙ୍କୁ ହାଜର ହେବାକୁ କୁହାଯାଇଥିଲା ।
କିଛି ଦିନ ତଳେ ବିଭବ କୁମାରଙ୍କୁ ଲକ୍ଷ୍ନୌ ବିମାନବନ୍ଦରରେ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ଦେଖା ଯାଇଥିଲା । ତେବେ ଅରବିନ୍ଦ କେଜ୍ରିୱାଲଙ୍କୁ ଯେତେବେଳେ ସ୍ୱାତି ମାଲିୱାଲଙ୍କ ମାମଲା ବିଷୟରେ ପଚରା ଯାଇଥିଲା, ସେତେବେଳେ ସେ କୌଣସି ଉତ୍ତର ଦେଇ ନ ଥିଲେ । ଏହି ସମୟରେ କେଜ୍ରିୱାଲଙ୍କୁ ବିଭବ କୁମାରଙ୍କ ସହିତ ଗାଡ଼ିରେ ବସିଥିବାର ମଧ୍ୟ ଦେଖା ଯାଇଥିଲା ।