ଜାପାନରେ କାୟା ବିସ୍ତାର କରୁଛି ମାରାତ୍ମକ ରୋଗ, STSS ବ୍ୟାକ୍ଟେରିଆ ଯୋଗୁ ୪୮ ଘଣ୍ଟା ମଧ୍ୟରେ ହୁଏ ରୋଗୀର ମୃତ୍ୟୁ

ଜାପାନରେ ଏକ ମାରାତ୍ମକ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗ ବ୍ୟାକ୍ଟେରିଆ ଯୋଗୁ ହୋଇଥାଏ । ଏହି ବ୍ୟାକ୍ଟେରିଆ ମଣିଷ ଶରୀରରେ ପ୍ରବେଶ କରି ଟିସୁ ଉପରେ ଆକ୍ରମଣ କରେ ଏବଂ ଟିସୁକୁ ନଷ୍ଟ କରିଦିଏ । ଯଦି ଠିକ୍ ସମୟରେ ଚିକିତ୍ସା କରା ନ ଯାଏ, ତେବେ ଆକ୍ରାନ୍ତ ହେବାର ୪୮ ଘଣ୍ଟା ମଧ୍ୟରେ ରୋଗୀର ମୃତ୍ୟୁ ଘଟିଥାଏ ।
ରୋଗର ନାମ ‘ଷ୍ଟ୍ରେପ୍ଟୋକୋକାଲ୍ ଟକ୍ସିକ୍ ଶକ୍ ସିଣ୍ଡ୍ରୋମ୍ (STSS)’ । ଜାପାନରେ STSSର ୯୦୦ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଜାପାନ ବ୍ୟତୀତ ୟୁରୋପରେ ମଧ୍ୟ ଏହି ରୋଗ ଚିହ୍ନଟ ହୋଇଛି ।
ବିଶେଷଜ୍ଞ ଡାକ୍ତରଙ୍କ ମୁତାବକ, ସାରା ବିଶ୍ୱରେ ଅନେକ ପ୍ରକାରର ବ୍ୟାକ୍ଟେରିଆ ଅଛନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି ଷ୍ଟ୍ରେପ୍ଟୋକୋକସ୍, ଯାହା ମଣିଷକୁ ସଂକ୍ରମିତ କରିଥାଏ । ଏହି ବ୍ୟାକ୍ଟେରିଆ କୌଣସି ପଶୁ କିମ୍ବା କୀଟରୁ ଆସି ମଣିଷ ଶରୀରରେ ପ୍ରବେଶ କରିଥାଏ । STSS ବ୍ୟାକ୍ଟେରିଆ ରକ୍ତ ଏବଂ ଟିସୁରେ ପ୍ରବେଶ କରି ସେମାନଙ୍କ କାର୍ଯ୍ୟକୁ ନଷ୍ଟ କରିଦିଅନ୍ତି । ଯଦି ଠିକ୍ ସମୟରେ ରୋଗର ଚିକିତ୍ସା ନ ହୁଏ, ରୋଗୀ ୪୮ ଘଣ୍ଟା ମଧ୍ୟରେ ପ୍ରାଣ ହରାଇଥାଏ ।
STSS ବ୍ୟାକ୍ଟେରିଆ କୌଣସି ଘା’ କିମ୍ବା ଛୋଟ କ୍ଷତ ମାଧ୍ୟମରେ ଶରୀରରେ ପ୍ରବେଶ କରିଥାଏ । ଏହାଦ୍ୱାରା ଶରୀରର ଅଙ୍ଗପ୍ରତ୍ୟେଙ୍ଗ ଫୁଲିଯାଏ ଏବଂ କ୍ରମାଗତ ଭାବରେ ଜ୍ୱର ଆସିଥାଏ । ବିପି ଲୋ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଯଦିଓ ଷ୍ଟ୍ରେପ୍ଟୋକୋକାଲ୍ ଟକ୍ସିକ୍ ଶକ୍ ସିଣ୍ଡ୍ରୋମ୍ କୌଣସି ନୂତନ ରୋଗ ନୁହେଁ, ଜାପାନରେ ପୂର୍ବରୁ ମଧ୍ୟ ଏହାର ମାମଲା ଆସିସାରିଛି ।
ଏହି ମାରାତ୍ମକ ବ୍ୟାକ୍ଟେରିଆ ହାର୍ଟ, କିଡନୀ ଏବଂ ଲିଭର୍ ଅଙ୍ଗକୁ ଆଟାକ୍ କରେ । ଏହା ଟିସୁକୁ ଧୀରେ ଧୀରେ ନଷ୍ଟ କରିଦିଏ । ତେଣୁ ଏହାକୁ ‘ମାଂସଖିଆ ବ୍ୟାକ୍ଟେରିଆ’ ମଧ୍ୟ କୁହାଯାଏ ।
କିପରି କରିବେ ନିଜକୁ ରକ୍ଷା ?
-ଯଦି କ୍ଷତ ସ୍ଥାନ ଆଖପାଖରେ ଜ୍ୱଳନ ହୁଏ, ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
-ହାତ ଧୋଇବା ଜାରି ରଖନ୍ତୁ ।
-ଜ୍ୱର ହେଲେ ଡାକ୍ତରଙ୍କ ପାଖକୁ ଯାଆନ୍ତୁ ।
-ସଂକ୍ରମିତ ସ୍ଥାନକୁ ଯିବାଠାରୁ ଦୂରେଇ ରୁହନ୍ତୁ ।