ଘର ଉଜାଡିଦେଲା ମଦୁଆ ସ୍ୱାମୀ, ସ୍ତ୍ରୀକୁ ମାରି କିଛି ନଜାଣିବାର ନାଟକ କଲା ନରହନ୍ତା

ଯେଉଁ ହାତରେ ଦିନେ ସ୍ତ୍ରୀ ମଥାରେ ଦେଇଥିଲା ସିନ୍ଦୁର । ଆଜି ସେହି ହାତ ମାରିଦେଲା ସ୍ତ୍ରୀକୁ । ମାରି ଶୁଆଇ ଦେଇଛି ଦାଣ୍ଡରେ । କାଳେ କାହାକୁ ସନ୍ଦେହ ହେବ ସେଥିପାଇଁ ସ୍ତ୍ରୀ ପିନ୍ଧିଥିବା ଲୁଗାକୁ ଧୋଇ ଦେଇ ପିନ୍ଧାଇଦେଲା ନୂଆ ଲୁଗା । କେମିତି କେଜାଣି ହାତ ଗଲା ସ୍ତ୍ରୀକୁ ମାରିବାକୁ । ଏ ନରହନ୍ତା ସ୍ୱାମୀ ଭୁଲିଗଲା ସ୍ୱାମୀ ସ୍ତ୍ରୀର ସମ୍ପର୍କ । ନିଜର ଆଉ ପର ଭିତରର ସମ୍ପର୍କ । ବାସ୍‌ ମଦ ନିଶାରେ ସ୍ତ୍ରୀକୁ ଠେଙ୍ଗାରେ ପିଟି ପିଟି ମାରି ଶୁଆଇଦେଲା ନରହନ୍ତା ସ୍ୱାମୀ ।

ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ନନ୍ଦୁର ପଞ୍ଚାୟତର ଅସୁରିଆ ଗାଁରେ। ମୃତ ମହିଳା ଜଣକ ହେଉଛନ୍ତି କାଞ୍ଚନ ପରିଡା। ସ୍ୱାମୀ ରମାକାନ୍ତ ପରିଡାଙ୍କୁ ପୁଲିସ ଅଟକ ରଖିଛି। ତେବେ ଯାହା ସୂଚନା ରହିଛି ଗତକାଲି ରାତିରେ କୌଣସି କଥାକୁ ନେଇ କାଞ୍ଚନ ଓ ରମାକାନ୍ତଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ରମାକାନ୍ତ ଉତ୍‌କ୍ଷିପ୍ତ ହୋଇ ଏକ ବାଡ଼ିରେ ବାଡେଇ କାଞ୍ଚନଙ୍କୁ ଜୀବନରୁ ମାରି ଦେଇଥିଲେ । ପରେ ପ୍ରମାଣ ନଷ୍ଟ କରିବା ପାଇଁ ରକ୍ତ ପଡ଼ିଥିବା ସ୍ଥାନରେ ପାଣି ପକାଇ ଧୋଇବା ସହ କାଞ୍ଚନ ପିନ୍ଧିଥିବା ରକ୍ତ ଭିଜା ଲୁଗାକୁ ବଦଳାଇ ନଳକୂପ ନିକଟରେ ପକାଇଥିଲା ନରହନ୍ତା ରମାକାନ୍ତ ।

ତେବେ ବୋଉ ବୋଉ ବୋଲି ଝିଅ କାଞ୍ଚନଙ୍କ ମର ଶରୀର ପାଖରେ ବସି କାନ୍ଦି ଚାଲିଥାଏ । ନିଜ ବୋଉକୁ ଏମିତି ମରି ଶୋଇଥିବାର ଦେଖି ନିଜକୁ ସମ୍ଭାଳି ପାରୁନଥିଲା ଝିଅ । କାନ୍ଦି କାନ୍ଦି ଖାଲି କହୁଥିଲା ବୋଉ ତୁ କାହିଁକି କହୁନଥିଲୁ ତୋ ସେ ଏମିତି ହଉଛି, ଘରେ ଏତେ ପାଟିତୁଣ୍ଡ ରହୁଛି ବୋଲି । କାଞ୍ଚନଙ୍କ ପ୍ରିୟଜନ ବି ନିଜ ମନକୁ ବୁଝାଇ ପାରୁନାହାଁନ୍ତି ଯେ ତାଙ୍କର ଅତିପ୍ରିୟ କାଞ୍ଚନ ଆଜି ଏ ଦୁନିଆରେ ନାହିଁ ବୋଲି ।

ଗ୍ରାମବାସୀ କୌଣସି ସୂତ୍ରରୁ ଖବର ପାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ରମାକାନ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି। ରମାକାନ୍ତ ତାଙ୍କ ଘରେ ଚୋରା ମଦ ବିକ୍ରୀ କରୁଥିଲେ। ତେଣୁ ସେ ସବୁବେଳେ ନିଶାସକ୍ତ ଅବସ୍ଥାରେ ରହୁଥିବା ଜଣାଯାଇଛି।

ଆଉ ଏକ ଚାଞ୍ଚଲ୍ୟକର ଖବର ମଧ୍ୟ ସାମ୍ନାକୁ ଆସୁଛି ଯେ ରମାକାନ୍ତ ଗତ ୭ ବର୍ଷ ତଳେ ଭୁଜାଲିରେ ଗାଁରର ଜଣେ ଯୁବକକୁ ମଧ୍ୟ ଆକ୍ରମଣ କରି ଜୀବନରୁ ମାରିଦେଇଥିଲେ ଓ ଜେଲ ଯାଇଥିଲେ । ଜେଲରୁ ଆସି ଗାଁରେ ବେଆଇନ ମଦ ବିକ୍ରି କରି ଗାଁକୁ ଅଶାନ୍ତ କରିବା ଓ ବିଭିନ୍ନ ସମୟରେ ଗାଁରେ ମାରପିଟ କରିବା ସହିତ ଲୋକ ମାନଙ୍କୁ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ନେଇ ଗ୍ରାମବାସୀ ମାନେ ମଧ୍ୟ ଅଭିଯୋଗ କରିଛନ୍ତି ।

You might also like