ଜମି ଜମା ବିବାଦକୁ ନେଇ କରୁଣ ପରିଣିତି, ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା

ମୟୁରଭଞ୍ଜ : ଭାଇ ଭାଇ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ଭୁଲିଗଲା ସବୁ ସମ୍ପର୍କ । ପିଲାଦିନେ ଯେଉଁ ହାତରେ ସାନ ଭାଇକୁ ବଡ଼ ଭାଇ ଏତେ ଶ୍ରଦ୍ଧା ସ୍ନେହ କରୁଥିଲେ ଆଜି ସେହି ହାତ ଭାଇର ଜୀବନ ନେବାକୁ ବି ପଛାଇନି । ସାମାନ୍ୟ ଜମି ବିବାଦ ପାଇଁ ଆଜି ବଡ଼ ଭାଇ ନେଇଯାଇଛି ସାନ ଭାଇର ଜୀବନ । ଖଣ୍ଡା ଧାରରେ ଭାଇର ମୁଣ୍ଡରୁ ଗଣ୍ଡି ଅଲଗା ହୋଇଯାଇଛି । ଦାଣ୍ଡ ମଝିରେ ପଡ଼ିରହିଛି ଭାଇର ଖଣ୍ଡ ବିଖଣ୍ଡିତ ଶରୀର । ଯେଉଁ ଦୃଶ୍ୟକୁ ଆମେ ଆପଣଙ୍କୁ ଦେଖାଇ ପାରୁନୁ ।
ହଁ ଆଜ୍ଞା, ଜମି ଜମା ବିବାଦକୁ ନେଇ କରୁଣ ପରିଣିତି । ସାନ ଭାଇକୁ ଖଣ୍ଡାରେ ହାଣିଲା ବଡ଼ ଭାଇ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନଳଗଜା ଲୁଣଚାଟି ଗାଁ ରେ। ଜାଗା ବିବାଦକୁ ନେଇ ବଡ଼ ଭାଇ ଏବଂ ସାନ ଭାଇ ମଧ୍ୟରେ ସବୁବେଳେ ଲାଗିରହୁଥିଲା ପାଟିତୁଣ୍ଡ । ଦୁଇ ଭାଇଙ୍କ ମଧ୍ୟରେ ଆଜିର ଏହି ଯୁକ୍ତିତର୍କ ନେଇଥିଲା ଉଗ୍ରରୂପ । ଯେତେବେଳେ ବଡ଼ ଭାଇ ଏପରି କରିବାକୁ ବାହାରିଥିଲେ ସେତେବେଳେ ଅନ୍ୟ ଭାଇମାନେ ମଧ୍ୟ ଅଟକାଇଥିଲେ । ହେଲେ ସେ କିଛି କାହା କଥା ଶୁଣି ନଥିଲେ । ଯାହାର ଫଳାଫଳ ଆଜି ସାନ ଭାଇର ଜୀବନ ଯାଇଛି ।
ଉକ୍ତ ଗାଁ ର ଦେବେନ୍ଦ୍ର ମାହାନାଙ୍କ ପାଞ୍ଚ ପୁଅ ଥିବା ବେଳେ ଜମି ଜମାକୁ ନେଇ ଆଜି ସକାଳେ ବଡ ପୁଅ ଅରୁଣ ମାହାନା ଏବଂ ସାନ ପୁଅ ଜୟନ୍ତ ମାହାନାଙ୍କ ମଧ୍ୟରେ ଘର ସୀମାକୁ ନେଇ ଗଣ୍ଡଗୋଳ ହେଉଥିବା ବେଳେ ଉକ୍ତ ଗଣ୍ଡଗୋଳ ଆଜି ଚରମ ସୀମାରେ ପହଞ୍ଚି ଉଗ୍ର ରୂପ ଧାରଣ କରିଥିଲା l ଆଜି ସକାଳ ୮ଟାରେ ଜୟନ୍ତ ଘର ସୀମାରେ ବାଡ଼ ଘେରିବାକୁ ଥିବା ସମୟରେ ଜୟନ୍ତ ଓ ଅରୁଣଙ୍କ ମଧ୍ୟରେ ଗଣ୍ଡଗୋଳ, ମାରପିଟ ହୋଇଥିଲା l
ତେବେ ଅରୁଣ ଏଥିରେ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ଜୟନ୍ତଙ୍କ ବେକରେ ଆଘାତ ଦେବା ପରେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ ଜୟନ୍ତ l ଏତିକିରେ ଅରୁଣଙ୍କ ରାଗ ଶାନ୍ତ ହୋଇ ନଥିଲା । ସେ ପୁଣି ତାଙ୍କ ଉପରେ ବାରମ୍ବାର ଆକ୍ରମଣ କରିଥିଲେ । ତରୁଆଲରେ ବାରମ୍ବାର ଜୟନ୍ତଙ୍କ ବେକକୁ ହାଣିବାରୁ ଘଟଣାସ୍ଥଳରେ ଜୟନ୍ତଙ୍କ ମୃତ୍ୟୁ ଘଟିଥିଲା । ଏହା ଦେଖି ପୋଲିସ ଖବର ଦେଇଥିଲେ । ରାସଗୋବିନ୍ଦପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ବଡ଼ ଭାଇ ଆକ୍ରମଣ କରିଥିବା ଅସ୍ତ୍ର ଏବଂ ମୋଟର ସାଇକେଲ ନେଇ ଫେରାର ହୋଇଯାଇଛି ।
ତେବେ ଜମି ବିବାଦ ତ ପ୍ରତ୍ୟେକ ଘରେ ଦେଖିବାକୁ ମିଳିଥାଏ । କିନ୍ତୁ ଏହି ଜମିକୁ ନେଇ ଆଇନ୍ କୁ ହାତକୁ ନେଇ ଏପରି ପରିବାର ସଦସ୍ୟଙ୍କର ଜୀବନ ନେବା କେତେ ଦୂର ଠିକ୍ ତାହା ଆପଣ କୁହନ୍ତୁ ।