ଆଜି ହେଉଛି ତିନି ଦିନିଆ ରଜ ଉତ୍ସବର ଶେଷ ଦିନ, ଆସନ୍ତାକାଲି ବସୁମତି ସ୍ନାନ

ରାତି ପାହିଲେ ହେବ ବସୁମତୀ ସ୍ନାନ । ତେଣୁ ଆଜି ହେଉଛି ସେହି ରଜ ପର୍ବର ଶେଷ ଦିନ । ଯାହାକୁ ଶେଷ ରଜ ବୋଲି କୁହାଯାଇଥାଏ । ଗାଁ ଠୁଁ ସହର ଯାଏ ସବୁଆଡେ ଉତ୍ସବର ମାହୋଲ । ସବୁଠି ଅତିଥି ଅଭ୍ୟାଗତି ଆଉ ପିଠାପଣାର ବାସ୍ନା । ରଜ ଏବେ ରଙ୍ଗୀନ ହୋଇଛି ଗାଁ ରେ । ସନ୍ଧ୍ୟା ହେଲେ ବର୍ଷକର ରଜ ସରିବ । ସେଥିପାଇଁ ସତରେ ସବୁଠୁ ଅଧିକ ଦୁଃଖରେ ଅଛନ୍ତି କୁମାରୀ ମାନେ । ଯେହେତୁ ଆଜି ଶେଷ ହେଉଛି ରଜ । ପୁଣି ଅପେକ୍ଷା ଆସନ୍ତା ବର୍ଷକୁ ।

ଚାଲିଛି ଶେଷ ରଜର ଅନ୍ତିମ ପର୍ଯ୍ୟାୟ । ସକାଳୁ ସକାଳୁ କୁମାରୀମାନେ ଗାଧୁଆ ପାଧୁଆ ସାରି ଶେଷ ଦିନରେ ମନ ଦୁଃଖରେ ସମସ୍ତେ ପହଞ୍ଚି ଗଲେଣି ରଜ ଖଳାରେ । ସମସ୍ତେ ଏକାଠି ସଜ ହୋଇ ସାଙ୍ଗମାନଙ୍କ ସହ ହସ ଖୁସିରେ ପାଳୁଛନ୍ତି ଶେଷ ରଜ । କାରଣ ଆଜି ସରିବ ରଜ ଆଉ ଅପେକ୍ଷା କରିବାକୁ ପଡିବ ଆସନ୍ତବର୍ଷକୁ । ଦୋଳି ଥାଇ ପାରେ କିନ୍ତୁ ସେ ରଜ ଦୋଳି ନ ଥିବ କି ପାନ କି ପୋଡ଼ ପିଠା ନ ଥିବ ।

ନିଶ୍ଚିତ ଭାବେ କହିବାକୁ ଗଲେ ରଜପର୍ବ ଖୁବ ସ୍ୱତନ୍ତ୍ର ଏବଂ ନିଆରା । ସମସ୍ତେ ଚାହିଁ ବସିଛନ୍ତି କି ରଜ ପୁଣିଥରେ ଫେରି ଆସୁ । ଯିଏ ଯେଉଁଠି ବି ଥାଉ ନିଶ୍ଚିତ ଗାଁକୁ ଆସି ରଜ ପାଳନ କରନ୍ତି । ଆଉ ମନ ଭରି ବିଭିନ୍ନ ପ୍ରକାର ଦୋଳିରେ ଦୋଳି ଖେଳି ମଜା ନିଅନ୍ତି । ଆଜିବି ମନ ଭରି ଦୋଳି ଖେଳି ଶେଷ ରଜକୁ ଉପଭୋଗ କରୁଛନ୍ତି କୁମାରୀ ମାନେ ।

ଖାଲି ସେତିକି ନୁହେଁ । ରଜରେ ରଜ ପାନକୁ ନେଇ ଏକ ସ୍ୱତନ୍ତ୍ର ମହତ୍ଵ ରହିଛି । ତେଣୁ କୁମାରୀ ମାନେ ପାନ ଭାଙ୍ଗି ପରସ୍ପର ପାନ ଖୁଆଖୁଇ ହୋଇ ଏହାର ମଜା ନେଉଛନ୍ତି । ଏହି ଦିନ ମାନଙ୍କରେ ପାନ ଖାଇବାରେ କିଛି ମନା ନ ଥାଏ । ସମସ୍ତେ ପ୍ରାୟ ଏହି ରଜ ପାନକୁ ଆନନ୍ଦ ଆଉ ଖୁସିରେ ଛୋଟ ଠୁଁ ବୟସ୍କ ମାନଙ୍କ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ପାନକୁ ଖାଇ ରଜକୁ ବେଶ ଉପଭୋଗ କରିଥାନ୍ତି । ଶେଷ ରଜରେ ବେଶ ଆନନ୍ଦ ଉଲ୍ଲାସ ଓ ଧୁମଧାମର ସହ ରଜକୁ ପାଳିବା ସହ ବିଦାୟ ଦେଉଛନ୍ତି କୁମାରୀମାନେ । ଅପେକ୍ଷା ରହିଲା ଆସନ୍ତା ବର୍ଷକୁ ।

Leave A Reply

Your email address will not be published.