Below header

ଟୋକିଓ ଅଲିମ୍ପିକ୍ସକୁ ଟାଇଫୁନ୍‌ ଭୟ, ଅଲିମ୍ପିକ୍ସ ବେଳେ ଜାପାନରେ ହିଟ୍‌ କରିପାରେ

କେନ୍ୟୁଜ୍(ବ୍ୟୁରୋ):  ଟୋକିଓ ଅଲିମ୍ପିକ୍ସକୁ ଟାଇଫୁନ୍‌ ଭୟ । କରୋନା ମହାମାରୀ ପରେ ଏବେ ପ୍ରାକୃତିକ ବିପର୍ଯ୍ୟୟ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବିଶ୍ୱ କ୍ରୀଡ଼ା ମହାକୁମ୍ଭକୁ ଧିରେ ଧିରେ ଘନଉଛି ଟାଇଫୁନ୍‌ ସଂକଟ । ଅଲିମ୍ପିକ୍ସ ବେଳେ ଜାପାନରେ ହିଟ୍‌ କରିପାରେ । ଏଭଳି ପୂର୍ବାନୁମାନ କରିଛନ୍ତି ବିଶ୍ୱର ବିଭିନ୍ନ ପାଣିପାଗ ସଂସ୍ଥା । ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଦାନା ବାନ୍ଧିପାରେ ଟାଇଫୁନ୍‌ । ବର୍ତ୍ତମାନ ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇନି । କିନ୍ତୁ ସମ୍ଭାବ୍ୟ ମଡେଲ୍‌ ଟାଇଫୁଟ୍‌ ଇଙ୍ଗିତ କରୁଛି । ବିଶ୍ୱର ଜଣାଶୁଣା ପାଣିପାଗ ବିଜ୍ଞାନୀ ଏରିକ୍‌ ହଲଟସ୍‌ କହିଛନ୍ତି, ଏବେକାର ମଡେଲ ଠିକଠାକ ରହିଲେ ଟାଇଫୁନ୍‌ ହେବ । ଆସନ୍ତା ସୋମବାର କିମ୍ବା ମଙ୍ଗଳବାର ଟୋକିଓ ଅଭିମୁଖେ ମୁହାଁଇବ ।

ସେହିପରି ଆମେରିକାର ପାଣିପାଗ ସଂସ୍ଥା ଆକ୍ୟୁ ୱେଦରର ବିଶିଷ୍ଟ ପାଣିପାଗ ବିଜ୍ଞାନୀ ଜାସନ୍‌ ନିକୋଲସ ବି ଏମିତି କିଛି ପୂର୍ବାନୁମାନ କରିଛନ୍ତି । ଆସନ୍ତା ସପ୍ତାହରେ ଭୋଲ୍‌କାନୋ ଦ୍ୱୀପ ଓ ଉତ୍ତର ମାରିଆନା ଦୀପ ନିକଟରେ ଟାଇଫୁନ୍‌ ସିଷ୍ଟମ ସୃଷ୍ଟି ହେଉଛି । ଏହାର ଅଧିକ ପ୍ରଭାବ ହୋନ୍‌ସୁ କିମ୍ବା ହୋକାଇଡ଼ୋ ଉପରେ ପଡ଼ିବା ଆଶଙ୍କା ରହିଛି । ଏହାର ଗତିପଥ ଓ ତୀବ୍ରତାକୁ ଆକଳନ କଲେ ଟୋକିଓ ଅଲିମ୍ପିକ୍‌ସକୁ ପ୍ରଭାବିତ କରିପାରେ ବୋଲି କହିଛନ୍ତି ଜାସନ ନିକୋଲ୍‌ସ । ଜଏଣ୍ଟ ଟାଇଫୁନ୍‌ ଓ୍ଵାର୍ଣ୍ଣିଂ ସେଣ୍ଟର କହିଛି, ଦୁଇଟି ଟ୍ରପିକାଲ୍‌ ସିଷ୍ଟମ ଉପରେ ନଜର ରହିଛି । ଆସନ୍ତାକାଲିଠୁ ଆରମ୍ଭ ହେଉଛି ଟୋକିଓ ଅଲିମ୍ପିକ୍ସ । ଅଗଷ୍ଟ ୮ଯାଏ ଚାଲିବ । ଭୂକମ୍ପ ପ୍ରବଣ ଜାପାନରେ ଜୁଲାଇ ମାସରେ ପ୍ରବଳ ବର୍ଷା ହୋଇଥାଏ । ଏବେ ସମ୍ଭାବ୍ୟ ବାତ୍ୟା ସୃଷ୍ଟି ହେଲେ ଅଲିମ୍ପିକ୍ସ ପ୍ରଭାବିତ ହେବା ଆଶଙ୍କା ରହିଛି ।

ଏପଟେ ବଙ୍ଗୋପସାଗରରେ ପୁଣି ଲଘୁଚାପ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଅଧିକ ଘନୀଭୂତ ହେବ । ଲଘୁଚାପ କ୍ଷେତ୍ର ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଦେଇ ଗତି କରିବ । ଏସବୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.