Below header

କେବେବି ଦେଖିନଥିବେ ଏମିତି ଜ୍ୱାଇଁ ଚର୍ଚ୍ଚା, ଶ୍ୱଶୁର ଘରେ ୧୦୫ ପ୍ରକାର ଆଇଟମ୍‌ ଦେଖି ଚକିତ ହେଲେ ଡାକ୍ତର ଜ୍ୱାଇଁ

କିଛି ଖବର ଏମିତି ଥାଏ ଯାହାକୁ ଲୋକେ ପସନ୍ଦ କରନ୍ତି ଆଉ ତାହା ଖୁବ୍‌ ଭାଇରାଲ ମଧ୍ୟ ହୋଇଥାଏ। ତେବେ ଏବେର ଏକ ଘଟଣା ଖୁବ୍‌ ଚର୍ଚ୍ଚା ସାଉଁଟୁଛି। ଆପଣ ଶ୍ୱଶୁର ଘରେ ଜ୍ୱାଇଁଙ୍କୁ କିଭଳି ଆତିଥ୍ୟ ମିଳେ ସେ ବିଷୟରେ ନିଶ୍ଚୟ ଭଲ କରି ଜାଣିଥିବେ । ସେଠି ଜ୍ୱାଇଁର ଥାଟବାଟ ଟିକେ ଅଲଗା। ସବୁଆଡେ ସବୁ କିଛି ଚଳିଯିବ ହେଲେ ଶ୍ୱଶୁର ଘରେ ଜ୍ୱାଇଁ ଚର୍ଚ୍ଚାରେ ଜମା ଏପଟ ସେପଟ ନାହିଁ। ପୁଣି ଯଦି ଡାକ୍ତର ଜ୍ୱାଇଁ ହୋଇଥିବେ ଆଉ ବାହାଘର ପରେ ପ୍ରଥମ ଜ୍ୱାଇଁ ଡାକରା ହୋଇଥିବ ତାହେଲେ ଚର୍ଚ୍ଚା ଏକଦମ୍‌ ଏକମ୍ବରୀ ହେବ । ଆପଣ ବି ଏ ବ୍ୟଞ୍ଜନ ସବୁକୁ ଦେଖିଲେ କହିବେ ଓଃ କି ଭାଗ୍ୟ ଏ ଜ୍ୱାଇଁଙ୍କର!

jwainଶ୍ୱଶୁର ଘରେ ବଡ ଆନନ୍ଦରେ ଜ୍ୱାଇଁ ବସିଛନ୍ତି ଆଉ ତାଙ୍କ ପାଖରେ ଶାଶୂଙ୍କ ହାତ ରନ୍ଧା ୧୦୫ ପ୍ରକାର ବ୍ୟଞ୍ଜନ ରଖା ଯାଇଛି । ପୂରା କଥା ଜାଣିବା ପୂର୍ବରୁ ଆସନ୍ତୁ ଟିକେ ଜ୍ୱାଇଁଙ୍କ ବିଷୟରେ ପରିଚିତ ହୋଇଯିବା। ଏହି ଭାଗ୍ୟବାନ ଜ୍ୱାଇଁ ହେଉଛନ୍ତି କଟକ ବିଜୁ ପଟ୍ଟନାୟକ ଛକର ଡାକ୍ତର ଶୁଭ୍ରଜିତ୍‌ ସାହୁ। ବାହାଘର ପରେ ପ୍ରଥମ ଥର ନିମାପଡା ସ୍ଥିତ ନିଜ ଶ୍ୱଶୁର ଘରକୁ ବୁଲିବାକୁ ଆସିଛନ୍ତି। ଆଉ କୁଣ୍ଡୁ ପରିବାରରେ ଏମିତି ଜ୍ୱାଇଁ ଚର୍ଚ୍ଚା ମିଳିଛି ଯେ ଯାହାକୁ ନେଇ ଏବେ ଚାରିଆଡେ ଆଲୋଚନା ହେଉଛି ।

jwainଶାଶୁ ଏବଂ ବଡ଼ ଶଳା ନିଜ ହାତରେ ଭଳିକି ଭଳି ବ୍ୟଞ୍ଜନ କରି ନିଜ ଡାକ୍ତର ଜ୍ୱାଇଁଙ୍କୁ ପରଷିଛନ୍ତି ୧୦୫ ପ୍ରକାର ଆଇଟମ୍‌। ତାହା ପୁଣି ଶୁଦ୍ଧ ଶାକାହାରୀ। ଏମିତି ଚର୍ଚ୍ଚା ଦେଖି ଜ୍ୱାଇଁ ଶୁଭ୍ରଜିତ ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ଭାରି ଖୁସି । ମନ ଭରି ସବୁ ବ୍ୟଞ୍ଜନର ସ୍ୱାଦ ଚାଖିଥିଲେ।
ଜ୍ୱାଇଁଙ୍କୁ ପରଷା ହୋଇଥିବା ୧୦୫ ପ୍ରକାର ବ୍ୟଞ୍ଜନ ଭିତରେ ରହିଥିଲା ସାଦା ଭାତ, ମିଠା ଭାତ, ଫ୍ରାଏଡ୍‌ ରାଇସ୍‌, ଦହି ଭାତ, ମୁଗ ଡାଲି, ହରଡ ଡାଲି, ଚିଲି ପନୀର, ଛତୁ ମସଲା, ଛୋଲେ ଭଟୁରେ, ମଟର ତରକାରି, ଡାଲମା, ହବିଷ ଡାଲମା, ଛେନା ଆଳୁ, ବେସର, ଆଳୁ କଷା, ସନ୍ତୁଳା, ଆମ୍ବ ଖଟା, ଟମାଟୋ ଖଟା, ଦହି କଡି, ଛଚିନ୍ଦ୍ରା ଭଜା, ପୋଟଳ ଭଜା, ଜହ୍ନି ଭଜା, ବାଇଗଣ ଭଜା, ଆଳୁ ପୋଟଳ ଭଜା, ସଜନା ଛୁଇଁ ଭଜା, ଭେଣ୍ଡି ଭଜା, ପୋଇ ମସଲା, ସଜନା ସାଗ ଭଜା, ନେଉଟିଆ ସାଗ, କୋସଳା ସାଗ ଭଜା, ପାଳଙ୍ଗ ସାଗ, କଦଳୀ ଭଜା, କଖାରୁ ଭଜା, ଛତୁ ଭଜା ଏବଂ ନାନା ପ୍ରକାର ମିଠା। କେବଳ ଏତିକି ନୁହେଁ ଆହୁରି ଅନେକ ଆଇଟମ୍‌ ମଧ୍ୟ ମେନ୍ୟୁରେ ସ୍ଥାନ ପାଇଥିଲା।

jwainସବୁଗୁଡ଼ିକ ନାଁ ନେବା ସମ୍ଭବ ନୁହେଁ । ତଥାପି ଘରର ଜଣେ ମହିଳା ଏସବୁର ଧାରାବିବରଣୀ ଦେଇ ଚାଲିଛନ୍ତି । ଶୁଣିଲେ ଆପଣଙ୍କୁ ବି ମଜା ଲାଗିବ । ଅବଶ୍ୟ ଜ୍ୱାଇଁଙ୍କ ପକ୍ଷେ ଏହି ଶତାଧିକ ବ୍ୟଞ୍ଜନ ଚାଖିବା ବି କଷ୍ଟକର ହୋଇଥିବା । ହେଲେ ଶ୍ୱଶୁର ଘର ଲୋକଙ୍କ ସ୍ନେହରେ ସେ ପୂରାପୂରି ଅଭିଭୂତ ହୋଇପଡ଼ିଛନ୍ତି । ତେବେ ଜ୍ୱାଇଙ୍କର ଏହି ବ୍ୟଞ୍ଜନର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.