ମାଟ୍ରିକ ପରୀକ୍ଷାର ଦ୍ଵିତୀୟ ଦିନରେ କପି କରି ଧରାପଡ଼ିଲେ ୧୦୯ ପିଲା, ଇଂରାଜୀ ଥିବାରୁ ଅଭିଭାବକ ଯୋଗାଉଥିଲେ କପି
ମାଟ୍ରିକ ପରୀକ୍ଷାକୁ ସୁଚାରୁ ରୂପେ ପରିଚାଳନା କରିବାକୁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଥିଲେ ମଧ୍ୟ ବନ୍ଦ ହେଉନି କପି । ମାଟ୍ରିକ ପରୀକ୍ଷାରେ ପୁଣି ଆସିଲା କପି ଅଭିଯୋଗ । ପ୍ରଥମ ଦିନରେ ସାହିତ୍ୟ ପରେ ପୁଣି ଦ୍ଵିତୀୟ ଦିନରେ କପି ଅଭିଯୋଗ । ଇଂରାଜୀ ପରୀକ୍ଷାରେ କପି କରି ଧରାପଡିଲେ ୧୦୯ ପରୀକ୍ଷାର୍ଥୀ । ପରୀକ୍ଷାର ଦ୍ଵିତୀୟ ଦିନରେ ଇଂରାଜୀ ବିଷୟ ଥିବାରୁ ୧୦୯ ଜଣ ପିଲା କପି କରି ଧରାପଡ଼ିଛନ୍ତି ବୋଲି ବୋର୍ଡ ସୂଚନା ଦେଇଛି ।
ସୂଚନା ଅନୁଯାୟୀ ଫେବୃୟାରୀ ୧୯ ତାରିଖ ଅର୍ଥାତ ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ଧରାପଡିଥିଲେ ୫ ଜଣ । ସାହିତ୍ୟ ପରୀକ୍ଷାରେ କପି କରି ମୋଟ ପାଞ୍ଚ ପିଲା ଧରାପଡିଥିଲେ । ତେବେ ସେହିଦିନ କପି ରୋକିବାକୁ କଡା ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ପରୀକ୍ଷା କେନ୍ଦ୍ରକୁ ଯେମିତି ଖଣ୍ଡିଏ ବି ବାହାର କାଗଜ ନଯାଏ ସେନେଇ ନିର୍ଦ୍ଦେଶନାମା ମଧ୍ୟ ଜାରି କରିଥିଲେ କୋର୍ଟ । କପି ପାଇଁ ଭଲପିଲାଙ୍କ ଭବିଷ୍ୟତ ନଷ୍ଟ ହୋଇଯାଉଥିବା ଆଶଙ୍କାରେ ଏମିତି କହିଥିଲେ କୋର୍ଟ ।
କପି ରୋକିବା ପାଇଁ ଓ ପ୍ରଶ୍ନପତ୍ର କିପରି ଭାଇରଲ ନହେବ ସେଥିପାଇଁ ସରକାର ପ୍ରଶ୍ନପତ୍ରରେ ଡିଜିଟାଲ କୋର୍ଡ ବ୍ୟବସ୍ଥା ମଧ୍ୟ କରିଛନ୍ତି । ଏତେସବୁ କଡା ବ୍ୟବସ୍ଥା ପରେ ମଧ୍ୟ ପିଲା କପି କରିବାକୁ ପଛାଉନାହାନ୍ତି ଏବଂ ଧରା ମଧ୍ୟ ପଡୁଛନ୍ତି । ସୂଚନା ଅନୁଯାୟୀ କପିକୁ ନେଇ କାମାକ୍ଷାନଗର ବିରିବୁଲେଇ ଓ ଗଡପଳାସୁଣୀ ପରୀକ୍ଷା କେନ୍ଦ୍ରରେ ପୋଲିସ ଓ ଅଭିଭାବକ ମୁହାଁମୁହିଁ ହୋଇଛନ୍ତି । ବିରିବୁଲେଇ ପରୀକ୍ଷା କେନ୍ଦ୍ରରେ ଅଭିଭାବକ ମାନେ ଖୁଲାମଖୂୁଲା କପି ଯୋଗାଉଥିବା ବେଳେ ପୁଲିସ ଏହାକୁ ବିରୋଧ କରିଥିଲା । ଫଳରେ ପରୀକ୍ଷା କେନ୍ଦ୍ର ପାଚେରୀ ଭାଙ୍ଗି ଧସେଇ ପଶିଥିଲେ ଅଭିଭାବକ ଏବଂ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ତେବେ ପାଟଣାଗଡରେ ମଧ୍ୟ କପି ଅଭିଯୋଗରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ସୂଚନା ମିଳିଛି ।