ମାରାତ୍ମକ କରୋନାକୁ ମାତ୍‌ ଦେଲେ ୯୬ ବର୍ଷିୟ ବୃଦ୍ଧ

ଆନନ୍ଦପୁର (କେନ୍ୟୁଜ୍‌) : କରୋନାକୁ ମାତ୍‌ ଦେଲେ ୯୬ ବର୍ଷିୟ ଜଣେ ଆଦର୍ଶ ଶିକ୍ଷକ। ଉଚ୍ଚ ଶିକ୍ଷା ସ୍ତରରେ ସରକାରୀ ଶିକ୍ଷକ ଭାବରେ ସୁନାମ ଅର୍ଜନ ପରେ ଦୀର୍ଘ ବର୍ଷ ହେବ ଅବସର ଜୀବନ ବିତାଉଥିବା ୯୬ ବର୍ଷିୟ ଆନନ୍ଦପୁର ବଡଦାଣ୍ଡର ଉମାକାନ୍ତ ହୋତା ଏବେ କୋଭିଡ ଭଳି ମାରାତ୍ମକ ଭାଇରସକୁ ମାତ୍‌ ଦେବାରେ ସକ୍ଷମ ହୋଇପାରିଛନ୍ତି। ସେ କରୋନାକୁ ମାତ୍‌ ଦେଇ ସୁରକ୍ଷିତ ଭାବରେ ଘରକୁ ଫେରିବା ଖବର ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି।

ପରିବାରର ଯଦି କୌଣସି ସଦସ୍ୟ କରୋନାରେ ଆକ୍ରାନ୍ତ ହେଲେ ତାହେଲେ ବୟସ୍କ ଏବଂ ଛୋଟ ପିଲା ମାନଙ୍କୁ ଆଇସୋଲେଟ ହୋଇ ରହିବା ପାଇଁ ସରକାର ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ପରିବାରର ଏହି ଦୁଇ ସଦସ୍ୟ ମାନଙ୍କର ପ୍ରତିରୋଧକ ଶକ୍ତି କମ୍‌ ଥିବାରୁ ସେମାନଙ୍କୁ କରୋନାରୁ ଅଧିକ ସଚେତନ ରହିବାକୁ ପରାମର୍ଶ ଦିଆଯାଉଛି। କିନ୍ତୁ କରୋନାରେ ସଂକ୍ରମିତ ଏହି ୯୬ ବର୍ଷିୟ ଶିକ୍ଷକ ମାରାତ୍ମକ କରୋନାକୁ ମାତ୍‌ ଦେଇଛନ୍ତି।

ସେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କୁ କେନ୍ଦୁଝର ରାଙ୍କି ଠାରେ ଥିବା କୋଭିଡ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ୧୪ ଦିନ ରହି ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି।