Below header

ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ୧୫ ବର୍ଷର ନାବାଳିକା ଜନ୍ମଦେଲା ଶିଶୁକନ୍ୟା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା କାଶୀନଗର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କାଶୀନଗର ଥାନା ଅନ୍ତର୍ଗତ ହରିପୁରୁ ଗାଁର ଜଣେ ନାବାଳିକା କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ଶିଶୁ କନ୍ୟା ଜନ୍ମ ଦେଇଛନ୍ତି। ନାବାଳିକାର ବୟସ ୧୫ ବର୍ଷ ହୋଇଥିବା ବେଳେ ସେ ଦଶମ ଶ୍ରେଣୀରେ ହିଁ ନିଜ ପାଠ ବନ୍ଦ କରିଦେଇଛନ୍ତି। ଉକ୍ତ ଗ୍ରାମର କେ. ମହେନ୍ଦ୍ର ପ୍ରେମ ପରେ ଶାରୀରିକ ସମ୍ପର୍କ ରଖି ବିବାହର ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଗର୍ଭବତୀ କରିଥିବା କାଶୀନଗର ଥାନାରେ ନାବାଳିକାଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଅଭିଯୁକ୍ତ ମହେନ୍ଦ୍ର ଟ୍ରାକ୍ଟର ଡ୍ରାଇଭର ହୋଇଥିବା ବେଳେ ଘଟଣା ବିଷୟରେ ଜାଣିପାରି ସେ ଫେରାର ହୋଇଯାଇଥିବା କାଶୀନଗର ପୋଲିସ ସୂଚନା ଦେଇଛି।

ଏ ନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଭାରତୀୟ ପିଙ୍ଗଳ କୋଡ ୩୭୬(୩), ୪ ପୋକସୋ ଧାରା ଲଗାଇ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ଧରିବା ପାଇଁ ସ୍ବତନ୍ତ୍ର ଟିମ୍ ଗଜପତି ଜିଲ୍ଲା ଓ ଆଖପାଖ ସହ ପଡୋଶୀ ଆନ୍ଧ୍ରପ୍ରଦେଶରେ ପ୍ରୟାସ ଆରମ୍ଭ କରିଛି । ସେପଟେ କାଶୀନଗର ଥାନା ପକ୍ଷରୁ ନାବାଳିକା ମା ଓ ଶିଶୁ କନ୍ୟାକୁ ଚିକିତ୍ସା କେନ୍ଦ୍ରରୁ ଡିସଚାର୍ଜ ହେବା ପରେ ଶିଶୁ ମଙ୍ଗଳ କମିଟିର ହସ୍ତତନ୍ତ କରାଯିବ ବୋଲି ସୂଚନା ମିଳିଛି। ତେବେ ଉଭୟ ନାବାଳିକା ଓ ଶିଶୁ କନ୍ୟାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ଏବଂ ସେମାନଙ୍କ ଯତ୍ନ ନିଆଯାଉଥିବା କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.