ଯାଜପୁର: ନଦୀରେ ଗାଧୋଇବା ହେଲା କାଳ, ପାଣିରେ ବୁଡି ଚାଲି ଗଲା ଛାତ୍ରଙ୍କ ଜୀବନ
ଯାଜପୁର(କେନ୍ୟୁଜ): ନଦୀରେ ଗାଧୋଇବା ହେଲା କାଳ। ନଦୀରେ ସାଙ୍ଗମାନଙ୍କ ସହ ମିଶି ଗାଧୋଉଥିବା ବେଳେ ପାଣିରେ ବୁଡି ଯାଇ ଗଲା ଛାତ୍ରଙ୍କ ଜୀବନ। ମୃତକ ହେଲେ ରସୁଲପୁର ବ୍ଲକ ଓଡ଼ଙ୍ଗ ଗ୍ରାମର କୁଳମଣି ପରିଡାଙ୍କ ପୁଅ ଚିରଞ୍ଜିବି ପରିଡା (୧୩)। ସେ ଆଜି ସାଙ୍ଗମାନଙ୍କ ସହିତ ବ୍ରାହ୍ମଣୀ ନଦୀର ବାରବାଟୀ ଘାଟରେ ଗାଧୋଉଥିବା ବେଳେ ଆସବଧାନତାବଶତଃ ପାଣିରେ ବୁଡିଯାଇଥିଲେ । ଖବର ପାଇ କୁଆଖିଆ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନଦୀରେ ଖୋଜାଖୋଜି କରିବା ପରେ ତାଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଚିରଞ୍ଜିବି କୁଳମଣି ପରିଡାଙ୍କ ଏକମାତ୍ର ପୁଅ ହୋଇଥିବା ବେଳେ ସେ ଓଡ଼ଙ୍ଗ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର। ଖବର ପାଇ ଧର୍ମଶାଳା ପୋଲିସ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚାଲିଛି। ଏପଟେ ଚିରଞ୍ଜିବୀଙ୍କ ଅକାଳ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।