Below header

ସବୁଠୁ ବେଶି ଜୀବନ ନେଉଛି ଦୁର୍ଘଟଣା, ୧୦ ବର୍ଷରେ ୪୫ ହଜାର ମୃତ୍ୟୁ ଆମ ଓଡ଼ିଶାରେ

ଭୁବନେଶ୍ୱର (କେନ୍ୟୁଜ୍‌) : ରାଜ୍ଯରେ ବଢ଼ି ଚାଲିଛି ସଡକ ଦୁର୍ଘଟଣା। ଦିନକୁ ପ୍ରାୟ ୧୪ ଜଣଙ୍କ ମୃତ୍ୟୁ ହେଉଛି। ଭିତ୍ତିଭୂମି, ସଚେତନତା ଓ ଅତ୍ୟାଧୁନିକ ବୈଜ୍ଞାନିକ ପଦ୍ଧତିରେ ଏହାକୁ କମାଇବାକୁ ଅଣ୍ଟା ଭିଡ଼ିଛି ପରିବହନ ବିଭାଗ।

ଗତ ୧୦ ବର୍ଷରେ ଦୁର୍ଘଟଣାରେ ଗଲାଣି ୪୫ ହଜାର ଜୀବନ। ଦୁର୍ଘଟଣା ଜନିତ ମୃତ୍ୟୁ ହାର ୫୦ ପ୍ରତିଶତ କମାଇବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ତଥାପି ୨୦୧୪ରୁ ୨୦୨୧ ମଧ୍ୟରେ ୨୯ ପ୍ରତିଶତ ମୃତ୍ୟୁହାର ବଢ଼ିଛି। ୨୦୨୦ ତୁଳନାରେ ୨୦୨୧ରେ ଦୁର୍ଘଟଣାରେ ମୃତ୍ୟୁହାର ୭.୨୪ ପ୍ରତିଶତ ବୃଦ୍ଧି ହୋଇଛି । ୨୦୨୧ରେ ରାଜ୍ଯରେ ୧୦ ହଜାର ୯୮୪ ସଡ଼କ ଦୁର୍ଘଟଣା ହୋଇଥିବା ବେଳେ ୫ ହଜାର ୮୧ ଜଣଙ୍କ ମୃତ୍ୟୁ ହୋଇଛି। ଏକ ସର୍ଭେରୁ ଜଣାପଡ଼ିଛି ଯେ ଜାତୀୟ ସ୍ତରରେ ଦୁର୍ଘଟଣା ଜନିତ ମୃତ୍ୟୁ ହାର ଠାରୁ ଓଡ଼ିଶାରେ ଦୁର୍ଘଟଣା ମୃତ୍ୟୁ ହାର ୩୩.୩୩ ପ୍ରତିଶତ ଅଧିକ । ପ୍ରତି ଶହେଟି ଦୁର୍ଘଟଣାରେ ୪୮ ଜଣଙ୍କର ମୃତ୍ୟୁ ହେଉଥିବା ଜଣାପଡ଼ିଛି ।

ଅନେକ ପଦକ୍ଷେପ ପରେ ବି ଦୁର୍ଘଟଣା କମୁ ନାହିଁ କି ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟାା ବି କମ୍‌ ହେଉ ନାହିଁ । ତେଣୁ ଉଦବେଗ ପ୍ରକାଶ କରିଛି ପରିବହନ ବିଭାଗ। ଆଗାମୀ ଦିନରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୫୦ ପ୍ରତିଶତ ମୃତ୍ୟୁହାର କମାଇବା ନେଇ ପ୍ରୟାସ ଆରମ୍ଭ କରିଛି ପରିବହନ ବିଭାଗ। ଆଜି ଠାରୁ ପୋଲିସ ଓ ଟ୍ରାନ୍ସପୋର୍ଟ ଅଧିକାରୀଙ୍କ କ୍ରାସ୍‌ ଇନ୍‌ଭେଷ୍ଟିଗେସନ୍‌ ତାଲିମ କାର୍ଯ୍ଯକ୍ରମ ଆରମ୍ଭ ହୋଇଛି। ପୋଲିସ କମିଶନରଙ୍କ କାର୍ଯ୍ଯାଳୟରେ ଆୟୋଜିତ କାର୍ଯ୍ଯକ୍ରମରେ ମୋଟ ୭୦ ଜଣଙ୍କୁ ତାଲିମ ଦିଆଯାଇଛି । ଏଥିରେ ୫୦ ଜଣ ପୋଲିସ ଓ ୨୦ ଜଣ ପରିବହନ ଅଧିକାରୀ ସାମିଲ ହୋଇଥିଲେ।

ଦୁର୍ଘଟଣା କାହିଁକି ଘଟୁଛି ତାହାର ସଠିକ ତଦନ୍ତ କରିବା ସହ ବୈଜ୍ଞାନିକ ପ୍ରଣାଳୀରେ ଦୁର୍ଘଟଣା ରୋକିବାକୁ ତାଲିମ ଦିଆଯାଇଛି। କାହିଁକି ଘଟୁଛି ଦୁର୍ଘଟଣା, ଏଥିପାଇଁ ଦାୟୀ କିଏ ଭଳି ଦିଗର ତଦନ୍ତ କରିବା ସହ ସବୁ ପ୍ରକାର ତଦନ୍ତ ସହ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ତାଲିମ ଦିଆଯାଇଛି। ତିନିଟି ପର୍ଯ୍ଯାୟରେ ଭୁବନେଶ୍ୱର, ରାଉରକେଲା ଓ ବ୍ରହ୍ମପୁରରେ ଏଭଳି ତାଲିମ ଦିଆଯିବ। ସଡକ ସୁରକ୍ଷା କ୍ଷେତ୍ରରେ ବିଶେଷ ଭାବେ କାର୍ଯ୍ଯ କରିଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ମୁସ୍କାନ ଫାଉଣ୍ଡେସନ ତାଲିମ ଦେଉଛନ୍ତି।

ସଡକ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ବଛା ବଛା କିଛି ପୋଲିସ ଓ ପରିବହନ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ଯକ୍ରମରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ । ପୋଲିସ ଡିଜି, ବାଣିଜ୍ଯ ଓ ପରିବହନ ବିଭାଗ ସଚିବ, ପରିବହନ କମିଶନର, ପୋଲିସ କମିଶନର ପ୍ରମୁଖ ଉପସ୍ଥିତ ଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.