Below header

ବିବାହିତାଙ୍କୁ ବାହାହୋଇ ଆଦିବାସୀ ଯୁବକ ହେଲେ ସାମାଜିକ ବାସନ୍ଦର ଶିକାର, ଘୂରି ବୁଲୁଛନ୍ତି ଜଙ୍ଗଲରେ 

ରାୟଗଡ଼ା(କେ.ନ୍ୟୁଜ୍‌) : କୁହନ୍ତି, ବିବାହ ହେଉଛି ନୈସର୍ଗିକ ବା ସ୍ୱର୍ଗୀୟ । ହେଲେ ଯେତେବେଳେ ଏହା ସାମାଜିକ ପରମ୍ପରାର ପରିସୀମାକୁ ଲଂଘି ଯାଏ, ଏହା ହୋଇଯାଏ ଅଭିଶାପ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲାରେ ।

ଜଣେ ବିବାହିତାକୁ ବିବାହ କରି ଆଦିବାସୀ ଯୁବକ ହୋଇଯାଇଛନ୍ତି ସାମାଜିକ ବାସନ୍ଦର ଶିକାର । ଫଳରେ ବିବାହିତ ଦମ୍ପତି ଜୀବନ ବିକଳରେ ବଣ ପାହାଡ଼ର ଲୁଚି ବୁଲୁଛନ୍ତି । ଖାଲି ସେତିକି ନୁହେଁ ତାଙ୍କ ସହ ବାସନ୍ଦ ହୋଇ ଆତଙ୍କିତ ଅବସ୍ଥାରେ ଜୀବନ କାଟୁଛନ୍ତି ୯ଟି ପରିବାର ।

ଘଟଣାଟି ଏପରି, ରାୟଗଡ଼ା ଜିଲ୍ଲାର ଚାନ୍ଦିଲି ଥାନା ରୁପୁଣି ଗାଁର ଶ୍ୟାମାରାଓ ତୋଇକା ଦୁଇମାସ ତଳେ ସୁକୁବାଇ ଗାଁର ସୁକୁବାସୀଙ୍କୁ ବିବାହ କରିଥିଲେ । RAYGADA-2ଏହାପୂର୍ବରୁ ସୁକୁବାଇ ବିବାହ କରିଥିଲେ । ତେବେ ସ୍ୱାମୀଙ୍କ ନିର୍ଯାତନାରୁ ମୁକୁଳିବା ପାଇଁ ଶ୍ୟାମାରାଓଙ୍କ ହାତ ଧରିଥିଲେ । ଏଥିପାଇଁ ରୁପିଣି ଗାଁରେ ନିଶାପ ବସି ୬୦ ହଜାର ଟଙ୍କା ଜରିମାନା ଦେବାକୁ ନିଷ୍ପତ୍ତି ହୋଇଥିଲା । ଶ୍ୟାମାରାଓ ୬୦ ହଜାର ଟଙ୍କା ଜରିମାନା ବି ଦେଇଛନ୍ତି ।

ତଥାପି ଗାଁରେ ଅସନ୍ତୋଷର ନିଆଁ କୁହୁଳୁଛି । ଗାଁର ଅନ୍ୟ ୧୨୦ ପରିବାର, ତୋଇକା ସମ୍ପ୍ରଦାୟର ୯ ପରିବାରକୁ ନିଆଁ ପାଣି ବାସନ୍ଦ କରିଛନ୍ତି । ଏହି ୯ ପରିବାରର ଜଙ୍ଗଲଜାତ ଦ୍ରବ୍ୟକୁ ବିକ୍ରି କରିବାକୁ ଦିଆଯାଉନି ।

ଖାଲି ସେତିକି ନୁହେଁ ଏହି ୯ ପରିବାରଙ୍କ ସହ କେହି ସମ୍ପର୍କ ରଖିଲେ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି କୁହାଯାଇଛି । ଚାନ୍ଦିଲି ପୋଲିସ ଉଭୟ ଗୋଷ୍ଠୀର ଲୋକଙ୍କୁ ଡାକି ଶ୍ୟାମାରାଓଙ୍କ ସମସ୍ୟାର ସମାଧାନ କରିଥିଲେ ।

ତଥାପି ଗାଁରେ ଭୟର ବାତାବରଣ ରହିଛି । ବାସନ୍ଦ ୯ଟି ପରିବାର ପାଇଁ ଚଳିବା କଷ୍ଟକର ହୋଇପଡ଼ିଛି । ତେବେ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଜଣେ ମାଜିଷ୍ଟ୍ରେଟ୍‌ଙ୍କୁ ଦାୟିତ୍ୱ ଦେବେ ବୋଲି ଏସ୍‌ପି କହିଛନ୍ତି । 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.