ଘରକୁ ଫେରିଲେ କିମସ କୋଭିଡ୍ ହସପିଟାଲର ୧୨ କରୋନା ଯୋଦ୍ଧା, ରୋଗୀ ଚିକିତ୍ସା ପରେ ନିଜେ ୧୪ ଦିନ ଧରି ରହିଥିଲେ କ୍ବାରେଣ୍ଟାଇନରେ

କିମସ କୋଭିଡ ହସ୍ପିଟାଲରେ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରୁଥିବା ୧୨ ଜଣ ଡାକ୍ତର ଆଜି ଘରକୁ ଫେରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ସେମାନେ ସାତ ଦିନ କାର୍ଯ୍ୟ କରିବା ପରେ ୧୪ ଦିନ ସଂଗରୋଧରେ ରହିଥିଲେ । ଏହାପରେ ସେମାନଙ୍କ ନମୂନା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିବାରୁ ଆଜି ଘରକୁ ଯିବା ପାଇଁ ଅନୁମତି ଦିଆଯାଇଛି ।

କିମ୍‌ସ କୋଭିଡ ହସ୍ପିଟାଲରେ ଡାକ୍ତରମାନେ କାର୍ଯ୍ୟ କରିବା ସମୟରେ ସେମାନଙ୍କୁ ଖାଇବା, ପିଇବା ଓ ରହିବାରେ ଯେଭଳି କୌଣସି ଅସୁବିଧା ନହୁଏ ସେଥିପାଇଁ ବ୍ୟବସ୍ଥା କରାଯାଇଥିଲା । ICMR ଓ WHO ନିୟମ ଅନୁସାରେ ସେମାନେ ପ୍ରଥମ ପର୍ଯ୍ୟାୟରେ ସାତ ଦିନ କାର୍ଯ୍ୟ କରିବା ପରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସେମାନଙ୍କ ଦୁଃସାହସିକ କାର୍ଯ୍ୟ ପାଇଁ ଧନ୍ୟବାଦ ଜଣାଇଥିଲେ । କିମ୍‌ସ ପ୍ରଥମେ କୋଭିଡ ହସ୍ପିଟାଲ କରିବା ପାଇଁ ସୁଯୋଗ ପାଇଥିବା ବେଳେ ଏହି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ସାହସର ସହ କରୋନା ସଂକ୍ରମିତଙ୍କୁ ସେବା ଯୋଗାଇ ଦେବା ପାଇଁ ଆଗେଇ ଆସିଥିଲେ ବୋଲି ଡକ୍ଟର ସାମନ୍ତ କହିଥିଲେ । ଏହି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସେବାରେ କରୋନା ସଂକ୍ରମିତ ରୋଗୀମାନେ ଭଲ ହୋଇ ଯିବା ପରେ ବେଶ ସନ୍ତୋଷ ପ୍ରକାଶ କରିଥିଲେ । ଡାକ୍ତରମାନେ ମଧ୍ୟ ଏଭଳି ସମୟରେ ସେବା ଯୋଗାଇ ଦେବାର ସୁଯୋଗ ପାଇଥିବାରୁ ଖୁସି ପ୍ରକାଶ କରିଛନ୍ତି । ଆଜି ଏହି କାର୍ଯ୍ୟକ୍ରମରେ କିଟ୍‌ ବିଶ୍ୱବିଦ୍ୟାଳୟର ଉପକୁଳାଧିପତି ଡକ୍ଚର ସୁବ୍ରତ ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ରହି କରୋନା ଯୋଦ୍ଧାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.