Below header

ଅସମୟରେ ପରସ୍ପରକୁ ସାହାଯ୍ୟ କରିବା ଶିଖେଇଛି ଓ ଭାଇଚାରା ବଢ଼େଇଛି କରୋନା, ଭୋକିଲା ପେଟକୁ ଦାନା ଦେବା ପାଇଁ ଏକାଠି ହୋଇଯାଇଛନ୍ତି ସବୁଧର୍ମର ଲୋକେ

କେନ୍ୟୁଜ(ବ୍ୟୁରୋ): ଭୋକ କି ଜାଣେ ଜାତି ଧର୍ମ । କରୋନା ଭାଇରସ ଆସି ଆଜି ଏ ମଣିଷ ସମାଜ କୁ ବହୁତ କିଛି ଶିକ୍ଷା ଦେଇଛି । ଅସମୟରେ ପରସ୍ପରକୁ ସାହାଯ୍ୟ କରିବା ଶିଖେଇଛି ଏଇ କରୋନା । ସବୁଠାରୁ ବଡ଼ କଥା ହେଲା ଭାଇଚାରା ବଢ଼େଇ ଦେଇଛି କରୋନା । ଜାତି ଧର୍ମ କୁ ନେଇ ନିଜ ନିଜ ଭିତରେ ଥିବା କ୍ରୋଧ ଘୃଣା କୁ ଭୁଲି ଯାଇଛି ମଣିଷ । ଭୋକିଲା ପେଟ କୁ ଦାନା ଟିକିଏ ଦେବା ପାଇଁ ଆଜି ହିନ୍ଦୁ ,ମୁସଲିମ ,ଶିଖ ,ଇସାଇ ସମସ୍ତେ ଏକ ହେଇଯାଇଛନ୍ତି। ସମସ୍ତେ ନିଜ ଧର୍ମ ଭୁଲି ଗୋଟିଏ ଜାତି ଗୋଟିଏ ଧର୍ମକୁ ଅନୁସରଣ କରୁଛନ୍ତି ତାହା ହଉଛି ମଣିଷ ଜାତି ଆଉ ମାନବିକତା ଧର୍ମ ।

 ଏହି ଲକ ଡାଉନ ରେ ଜୀବିକା ହରାଇ ଅସୁବିଧା ରେ ଦିନ କାଟୁଥିବା ମୁସଲମାନ ଭାଇଙ୍କ ପାଇଁ ମନ୍ଦିରରୁ ଭୋଗ ଆଣି ଖାଇବାକୁ ଦେଉଛନ୍ତି ହିନ୍ଦୁ ଭାଇ । ଭଗବାନ ସମସ୍ତଙ୍କ ଦେହରେ ଗୋଟିଏ ରଙ୍ଗର ରକ୍ତ ଲାଲ ରକ୍ତ ଦେଇଛନ୍ତି ପ୍ରକୃତ ରେ ଆଜି ଏହାର ପ୍ରମାଣ ମିଳିଛି ଯେ ଜାତି ଧର୍ମ କିଛି ନାଇ ଆମେ ସମସ୍ତେ କେବଳ ମଣିଷ। ସୁଦୂର ପଶ୍ଚିମବଙ୍ଗ ରାଜ୍ୟର ମୁର୍ସିଦାବାଦ ଜିଲ୍ଲା ଅନ୍ତର୍ଗତ ଗଙ୍ଗଧରି ଗାଁର ୨୭ ଜଣ ଫେରିଵାଲା ନିଜ ପେଟ ପାଟଣା ପାଇଁ ନବରଙ୍ଗପୁର ସହରକୁ ଆସିଥିଲେ । ସ୍ଥାନୀୟ ଭାଟିସାଲଗୁଡା ଅଞ୍ଚଳରେ ଘର ଭଡା ନେଇ ଏମାନେ ରହିଥିଲେ । ଗାଁ ଗାଁ ବୁଲି ଚଦର, ବେଡ଼ସିଟ, ପଟି ,ବିଭିନ୍ନ ସାମଗ୍ରୀ ବିକ୍ରି କରି ଦୁଇ ପଇସା ରୋଜଗାର କରୁଥିଲେ । ହେଲେ ହଟାତ କିଛି ଦିନ ପରେ ଲକଡାଉନ ଘୋଷଣା ହେଇଗଲା । ଏମାନଙ୍କ ରୋଜଗାର ବନ୍ଦ ହେଇଗଲା ଗାଡି ମୋଟର ଯାତାୟାତ ନଥିବାରୁ ଏମାନେ ନିଜ ନିଜ ଘରକୁ ମଧ୍ୟ ଯାଇ ପାରିଲେ ନାହିଁ । ପାଖରେ ଥିବା ଟଙ୍କା ରେ କିଛି ଦିନ ଚଳିବା ପରେ ବହୁ ଅସୁବିଧା ର ସାମ୍ନା କରିବାକୁ ପଡିଥିଲା ଏଇ ୨୭ ଫେରିବାଲା ମାନଙ୍କୁ ।

ଏଇ ଖବର ଟି ପାଇବା ପରେ ବାବା ଆଖଣ୍ଡଳ ମଣୀ ସେବାୟତ , ଆମେ ନବରଙ୍ଗପୁରିୟା ଗ୍ରୁପ ଏବଂ ମା ଭଣ୍ଡାରଘରଣୀ କର୍ମକାଣ୍ଡ ପ୍ରଶିକ୍ଷଣ କେନ୍ଦ୍ରର ସଦସ୍ୟ ମାନେ ନବରଙ୍ଗପୁର ଏସପି ନିତିନ କୁସଲକରଙ୍କ ନିକଟରେ ଖାଦ୍ୟ ପ୍ରସ୍ତୁତ କରି ବଣ୍ଟନ କରିବା ର ଅନୁମତି ପାଇଁ ଅନୁରୋଧ କରିଥିଲେ । ଏସପି ଅନୁରୋଧ ଗ୍ରହଣ କରି ଅନୁମତି ଦେବାସହ ପୌରଧିକାରୀଙ୍କ ସହ ଯୋଗାଯୋଗ କରି ଖାଦ୍ୟ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ ।

ପୌରଧିକାରୀ ଵିନୟ କୁମାର ପଟେଲ ମଧ୍ୟ ଏଇ ଅନୁଷ୍ଠାନ ମାନଙ୍କର ଉତ୍ସାହ ଆଉ ଅନୁରୋଧ ଦେଖି ଭାଟିସାଲଗୁଡା ଅଂଚଳ ର ଏଇ ଫେରିଵାଲା ଙ୍କୁ ରନ୍ଧାଖାଦ୍ୟ ଦେବା ପାଇଁ ଅନୁମତି ଦେଇଥିଲେ । ଏଇ ଅନୁଷ୍ଠାନ ଗୁଡିକ ପକ୍ଷରୁ ବାବା ଆଖଣ୍ଡଳମଣୀ ମନ୍ଦିରରେ ପ୍ରତ୍ୟେକ ଦିନ ୧୫୦ ଲୋକଙ୍କ ପାଇଁ ପ୍ରସ୍ତୁତ ହେଉଛି ଭୋଗ । ଆଉ ମହାଦେବଙ୍କ ପ୍ରସାଦକୁ ଖୁସିରେ ଗ୍ରହଣ କରୁଛନ୍ତି ୨୭ ମୁସଲମାନ ଭାଇ । ମନ୍ଦିର ପ୍ରସାଦ ଜଣେ ଭୋକିଲା ଲୋକର ଭୋକ ପୁରା କରୁଛି ଏଇଟା ହିଁ ପ୍ରକୃତ ଭଗବାନଙ୍କ ପୂଜା ବୋଲି କହିଛନ୍ତି ଆଖଣ୍ଡଳ ମଣୀ ମନ୍ଦିରର ମୁଖ୍ୟ ପୂଜକ ବାବୁଲା ତ୍ରିପାଠୀ।

ମହାଦେବଙ୍କ ପ୍ରସାଦ ପାଇ ଆମେ ଜୀବିତ ଅଛୁ ଏ ବିପତ୍ତି ସମୟରେ ଆମ ନିଜର ପରିବାର ବୋଲି କେହି ନାହିଁ ଅଥଚ ଏ ଭାଇ ମାନେ ନିଜ ରକ୍ତସମ୍ପର୍କୀୟଙ୍କ ଭଳି ଠିକ ଖାଇବା ସମୟ ଆସି ଖାଇବା ଦେଇ କିଛି ସମୟ ଆମ ସହିତ ବିତଉଛନ୍ତି । ଗାଁଠାରୁ ଦୂରରେ ରହିବି ଏ ସ୍ନେହ ପାଇଁ ଘର କଥା କୁ ବି ଭୁଲିଯାଉଛୁ ଏବଂ ଲକଡାଉନ ପରେ ମଧ୍ୟ ଏ ସମ୍ପର୍କ ଏମିତି ନିବିଡ଼ ହେଇ ରହିଲା ବୋଲି ମୁସଲିମ ଭାଇ କହିଛନ୍ତି । ଏଇ ମହତ କାର୍ଯ୍ୟପାଇଁ ସହରର ସମସ୍ତ ଅନୁଷ୍ଠାନ ଗୁଡିକ ପକ୍ଷରୁ ଏଇ ତିନି ଅନୁଷ୍ଠାନକୁ ପ୍ରଶଂସା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.