ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେ: ଡିଭାଇଡର୍ ଭାଙ୍ଗି ଟ୍ରକ୍କୁ ଧକ୍କା ଦେଲା ସ୍ଲିପର ବସ୍, ୪ ମୃତ; ୨୦ ଆହତ
ଉତ୍ତର ପ୍ରଦେଶର କନୌଜରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଡିଭାଇଡର୍ ଭାଙ୍ଗି ଅନ୍ୟ ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ୍କୁ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ଦେଇଥିଲା ।

ଉତ୍ତର ପ୍ରଦେଶର କନୌଜରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ୍ୱେରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଠାରେ ଡିଭାଇଡର୍ ଭାଙ୍ଗି ଅନ୍ୟ ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ୍କୁ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ତିରଭାର୍ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ମିଳିଥିବା ସୂଚନା ମୁତାବକ, ଏକ ଘରୋଇ ସ୍ଲିପର ବସ୍ ଯାତ୍ରୀମାନଙ୍କୁ ନେଇ ଗୋରଖପୁରରୁ ଦିଲ୍ଲୀ ଯାଉଥିଲା । ଏଥିରେ ପାଖାପାଖି ୪୦ ଜଣ ଯାତ୍ରୀ ଥିଲେ । ଏହି ସମୟରେ କନୌଜର ଥଥିଆଠାରୁ ୨୦୮ କିଲୋମିଟର ଦୂର ପିପରୌଲି ଗାଁ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଥିଲା । କୁହାଯାଉଛି ଯେ ବସ୍ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା । ଏହା ଡିଭାଇଡର ଭାଙ୍ଗି ଭୁଲ୍ ପାର୍ଶ୍ୱକୁ ପଳାଇଥିଲା ଏବଂ ବିପରୀତ ପାର୍ଶ୍ୱରୁ ଆସୁଥିବା ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଆଜି ସକାଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା ରହିଛି ।
ଉଭୟ ଗାଡ଼ି ଜୋରଦାର୍ ଧକ୍କା ହେବା ପରେ ଘଟଣାସ୍ଥଳରେ ଲୋକେ ଚିତ୍କାର କରିବାକୁ ଲାଗିଥିଲେ । ଦୁର୍ଘଟଣାର ଭୟାବହତା ଦେଖି ସମସ୍ତେ ଥରି ଉଠିଥିଲେ । ବସ୍ ଏବଂ ଟ୍ରକର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ବସ୍ରେ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲା ।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା କ୍ଷଣି ଡିଏମ୍ ଶୁଭ୍ରାନ୍ତ କୁମାର ଶୁକ୍ଳା ଓ ଏସ୍ପି ଅମିତ କୁମାର ଆନନ୍ଦ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏସ୍ପି କହିଛନ୍ତି ଯେ ଦୁର୍ଘଟଣାର ଯାଞ୍ଚ ଚାଲିଛି । ଆହତମାନଙ୍କୁ ଡାକ୍ତରଖାନା ପଠାଯାଇଛି । ସେପଟେ ଏହି ଦୁର୍ଘଟଣା ଯୋଗୁ ରାଜପଥ କିଛି ସମୟ ପାଇଁ ଜାମ୍ ରହିଥିଲା । କନୌଜ ପୋଲିସ ରାସ୍ତାରୁ ଦୁର୍ଘଟଣାଗ୍ରସ୍ତ ଗାଡ଼ିଦ୍ୱୟକୁ ହଟାଇବା ପରେ ଯାତାୟାତ ସ୍ୱଭାବିକ ହୋଇଥିଲା ।